ମାତୃମୃତ୍ୟୁ ହାର ରୋକିବ ନୂତନ ଔଷଧ
ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ପ୍ରତିବର୍ଷ ୭୦,୦୦୦ ମାତୃମୃତ୍ୟୁ ଘଟୁଛି। ସନ୍ତାନ ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଅଧିକାଂଶ ମା’ ପ୍ରାଣ ହରାଉଛନ୍ତି; କିନ୍ତୁ ଏଣିକି ଏହି ସମସ୍ୟା ଆଉ ରହିବ ନାହିଁ। ମା’ମାନେ ସୁରକ୍ଷିତ ମାତୃତ୍ୱ ଲାଭ କରିବେ। ‘କାର୍ବେଟୋସିନ୍’ ନାମକ ଏକ ନୂତନ ଔଷଧ ବିଶ୍ୱର ବହୁ ମା’ଙ୍କ ଜୀବନ ରକ୍ଷା କରିବ। ପୂର୍ବରୁ ରକ୍ତସ୍ରାବ ବନ୍ଦ କରିବା ନିମନ୍ତେ ‘ଅକ୍ସିଟୋସିନ୍’ ନାମକ ଏକ ଔଷଧ ବ୍ୟବହାର କରାଯାଉଥିଲା। କିନ୍ତୁ ଏହାକୁ ନିରନ୍ତର ୨ରୁ ୮ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରରେ ଫ୍ରିଜ୍ରେ ରଖିବାକୁ ପଢୁଥିଲା। ଫ୍ରିଜ୍ରୁ ବାହାରିବା କ୍ଷଣି ଏହାର ପ୍ରଭାବ ହ୍ରାସ ପାଉଥିଲା। ମାତ୍ର ‘କାର୍ବେଟୋସିନ୍’କୁ ଫ୍ରାଜ୍ରେ ରଖିବାର ଆବଶ୍ୟକତା ପଡିବ ନାହିଁ। ୩୦ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା ଏବଂ ୭୫% ଆଦ୍ରତାରେ ଏହାର ପ୍ରଭାବ ତିନି ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନ୍ୟ ଏକ ସଂସ୍ଥା ସହିତ ଏହି ଔଷଧର ପରୀକ୍ଷା କରି ଏହି ରିପୋର୍ଟ ପ୍ରଦାନ କରିଛି। ଭାରତ, ଆର୍ଜେଣ୍ଟିନା, ଇଜିପ୍ଟ, କେନିଆ, ନାଇଜେରିଆ, ସିଙ୍ଗାପୁର ସମେତ ବିଶ୍ୱର ୧୦ଟି ରାଷ୍ଟ୍ରର ୩୦,୦୦୦ ମହିଳାଙ୍କଠାରେ ଏହି ଔଷଧର ପରୀକ୍ଷା କରାଯାଇଛି। ‘ଅକ୍ସିଟୋସିନ୍’ ତୁଳନାରେ ‘କାର୍ବେଟୋସିନ୍’ ଅଧିକ ସୁରକ୍ଷିତ ଏବଂ ଫଳପ୍ରଦ। ବିଶ୍ୱରେ ଏଭଳି ବହୁତ ରାଷ୍ଟ୍ର ଅଛି ଯେଉଁଠାରେ ଲୋକେ ରେଫ୍ରିଜରେଟର୍ କ୍ରୟ କରିବାକୁ ସକ୍ଷମ ନୁହନ୍ତି। ବହୁ ରାଷ୍ଟ୍ରରେ ଅସ୍ତ୍ରୋପଚାର ତୁଳନାରେ ମା’ମାନେ ପ୍ରକୃତିକ ଭାବେ ସନ୍ତାନ ପ୍ରସବ କରିଥାଆନ୍ତ। ଏଭଳି ରାଷ୍ଟ୍ରଗୁଡିକ ଲାଗି ଏହି ଔଷଧ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ‘ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍’ରେ ରିପୋର୍ଟ ପ୍ରକାଶ ପାଇଛି।