www.samajalive.in
Sunday, December 14, 2025
26.1 C
Bhubaneswar

ହାଣ୍ଡିଶାଳକୁ ମହଙ୍ଗା ମାଡ଼ ; ହାରାହାରି ପରିବା କିଲୋ ୫୦ ଟପିଲା

ଭୁବନେଶ୍ବର : କରୋନା ସଂକ୍ରମଣ କାଳରେ ଲକଡାଉନ ଓ ସଟଡାଉନ ଭିତରେ ବି ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ଅଧିକାଂଶ ଜିଲାରେ ପରିବା ଖୁବ୍ ଶସ୍ତା ଥିଲା। ଆଳୁ, ପିଆଜକୁ ବାଦ ଦେଲେ ଅଧିକାଂଶ ପରିବା ଦାମ ୧୦ରୁ ୨୦ ଟଙ୍କା ଭିତରେ ସୀମିତ ଥିଲା। ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଥିଲେ। କରୋନା ଯନ୍ତ୍ରଣା କାଳରେ ପରିବା ଚାଷରୁ ଗୁଜୁରାଣ ମେଣ୍ଟାଇବା ନେଇ ଚାଷୀ ପ୍ରମାଦ ଗଣୁଥିଲେ।

ହେଲେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଛି। କିଲୋ ପିଛା ୧୦ଟଙ୍କାରେ ବିକ୍ରି ହେଉଥିବା ପନିପରିବା ଭିତରୁ ଅଧିକାଂଶ ପରିବା ଦାମ ହଠାତ ବଢ଼ିଯାଇଛି। ଆଳୁ, ପିଆଜକୁ ଛାଡ଼ିଦେଲେ କୌଣସି ପରିବା ଦର ୫୦ ଟଙ୍କା ତଳେ ନାହିଁ ା ସବୁଠୁ ଅଧିକ ବାଧୁଛି ମଧ୍ୟବିତ୍ତ ଏବଂ ଗରିବ ପରିବାର ଲୋକଙ୍କୁ । କରୋନା କଟକଣା ବେଳେ ରୋଜଗାର ନଥିବାରୁ ଲୋକଙ୍କ ଉପରେ ପରିବା ଦର କୋରଡ଼ା ମାଡ଼ ସଦୃଶ ହୋଇଛି । ରୋଜଗାର କମିବା ସହିତ ଦରଦାମ ବୃଦ୍ଧି ଏବେ ସେମାନଙ୍କ ପାଇଁ ଦୁର୍ବିସହ

- Advertisement -

ହୋଇପଡ଼ିଛି । ପରିବା ବ୍ୟବସାୟୀ କହୁଛନ୍ତି କରୋନା କଟକଣା ଯୋଗୁଁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ ଓଡ଼ିଶା ଏବଂ ନୟାଗଡ଼, ଫୁଲବାଣୀ ପ୍ରଭୃତି ଅଞ୍ଚଳରୁ ପରିବା ଆସିପାରୁନାହିଁ । ଭୁବନେଶ୍ବରକୁ ଦୈନିକ ୫୦ ଟନରୁ ଊର୍ଦ୍ଧ୍ବ ବିଭିନ୍ନ କିସମର ପରିବା ଆମଦାନୀ ହୋଇଥାଏ । ତାହା ଏବେ ୧୫ ରୁ ୨୦ ଟନ ଭିତରେ ସୀମିତ ରହିଛି ।
ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର ପରିବା ଅମଳ କମିଛି। ବାତ୍ୟା ଅମ୍ପନ ଏବଂ ମୌସୁମି ବର୍ଷାରେ ପରିବା ନଷ୍ଟ ହୋଇଯାଇଛି । ଯେଉଁ ବାଡ଼ିରୁ ୧୦ ବସ୍ତା ପରିବା ବାହାରୁଥିଲା ସେଥିରୁ ୨ ବସ୍ତା ପରିବା ବାହାରୁଛି ବୋଲି କହିଛନ୍ତି ବଳଙ୍ଗା ନରୁଦା ଗାଁର ପରିବା ଚାଷୀ ଅଜୟକୁମାର ରାଉତ । ନରୋଦାର ଚାଷୀ ବ୍ରଜକିଶୋର ରାଉତ, ଚନ୍ଦନପୁରର ସୁବାସଚନ୍ଦ୍ର ଜେନା ଏବଂ ରେସିଙ୍ଗାର ପ୍ରମୁଖ ପରିବାଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ ସେଇ ଏକା କଥା କହିଛନ୍ତି। ଚାଷୀଙ୍କଠାରୁ ବ୍ୟବସାୟୀ ବାଇଗଣ କିଲୋ ୩୦ ଟଙ୍କା, କାଙ୍କଡ଼ ୪୦ ଟଙ୍କା, ଜହ୍ନି ୩୦ ଟଙ୍କା, ଭେଣ୍ଡି ୧୫ ଟଙ୍କା, ଅମୃତଭଣ୍ଡା ୨୦, ଝୁଡ଼ଙ୍ଗ ୩୦ ଟଙ୍କା, ପୋଟଳ ୪୦ ଓ କଲରା ୩୦ ଟଙ୍କାରେ କିଣୁଛନ୍ତି। ଏ ଅଞ୍ଚଳରୁ ୨ରୁ ୩ ଟନ ପରିବା ରାଜଧାନୀ ଏବଂ ପାଖାପାଖି ଦେଢ଼ଟନ ପରିବା ପୁରୀ ମାର୍କେଟକୁ ଯାଇଥାଏ ା କରୋନା କଟକଣା ଏବଂ ତେଲ ଦର ବୃଦ୍ଧି ଯୋଗୁଁ ପରିବହନ ସୁବିଧା ନଥିବାରୁ ପରିବା ଯାଇପାରୁ ନାହିଁ । ସେହିପରି ବାଙ୍କି, ଆଠଗଡ଼, ବାଲିଅନ୍ତା, ନିମାପଡ଼ା ଅଞ୍ଚଳରୁ ପରିବା ଆମଦାନୀ କମିଛି। କଟକ ବୟାଳିଶ ମୌଜା, ଗୋବିନ୍ଦପୁର ଅଞ୍ଚଳର ଅଧିକ ପରିବା ଭୁବନେଶ୍ବରକୁ ଆସିଥାଏ ତାହ ମଧ୍ୟ ସମ୍ଭବ ହେଉନାହିଁ ।

ଶୁକ୍ରବାର ରାଜଧାନୀର ବଡ଼ ପରିବା ପାଇକାରୀ ବଜାରରେ ଆଳୁ କିଲୋ ୨୫ ଟଙ୍କା, ପିଆଜ ୨୦ ଟଙ୍କା, ବାଇଗଣ(କଳା) ୫୦ ଓ ଧଳାଗୋଲ ୬୦ ଟଙ୍କା, ଟମାଟୋ ୪୦ ଟଙ୍କା, ଝୁଡ଼ଙ୍ଗ ୪୦ରୁ ୫୦ ଟଙ୍କା, ସାରୁ ୪୦ ଟଙ୍କା, ପୋଟଳ ୫୦ ଟଙ୍କା ବଡ଼ କାଙ୍କଡ଼ ୫୦ ଟଙ୍କା, ଦେଶୀ ୧୦୦ ଟଙ୍କା, ଅମୃତଭଣ୍ଡା ୨୫ ଟଙ୍କା, କଖାରୁ ୧୬ ଟଙ୍କା, କଲରା ୫୦ ଟଙ୍କା, ଜହ୍ନି ୪୦ ଟଙ୍କା, ଭେଣ୍ଡି ୩୦ ଟଙ୍କା, ସଚିନ୍ଦ୍ରା ୩୦ ଟଙ୍କା, ବିନ୍ସ ୮୦ ଟଙ୍କା, ଲାଉ ଗୋଟା ୨୦ ଟଙ୍କା, ବନ୍ଧାକୋବି ୩୦ ଟଙ୍କା, ଫୁଲ ଗୋଟା ୪୦ ଟଙ୍କା, କଞ୍ଚାଲଙ୍କା ୧୦୦ ଟଙ୍କା, ମାଟିଆଳୁ ୬୦ ଟଙ୍କା, ଗାଜର ୪୦ ଟଙ୍କା, ବିଟ ୪୦ ଟଙ୍କା ଶାଗ କୋଶଳା ୩ ବିଡ଼ା ୨୦, କଳମ ୪ ବିଡ଼ା ୨୦, ଖଡ଼ା ୩ ଗଛକୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ଆଇଗିଣିଆ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତିପ୍ରସାଦ ମିଶ୍ରଙ୍କ କହିବା ଅନୁଯାୟୀ ଗଦିରେ ଆଳୁ କ୍ବିଣ୍ଟାଲ ୨୦୫୦ ଟଙ୍କା ରହିଥିବା ବେଳେ ପିଆଜ କ୍ବିଣ୍ଟାଲ ୧୨୦୦ ଟଙ୍କା ରହିଛି । ରାଜଧାନୀରେ ଅନ୍ୟାନ୍ୟ ବଜାର ଚନ୍ଦ୍ରଶେଖରପୁର, ଇନ୍ଦ୍ରଧନୁମାର୍କେଟ, ଭିଏସଏସନଗର, ସହିଦନଗର, ୪ନଂ ହାଟ, ବରଗଡ଼ ହାଟ, ଏବଂ ରାସ୍ତାକଡ଼ ଫୁଟପାଥ ପରିବା ବଜାରରେ ଅଧିକ କିଲୋପ୍ରତି ୧୦ରୁ ୧୫ ଟଙ୍କା ଅଧିକ ଦରରେ ପରିବା ବିକ୍ରି ହେଉଛି।

ମାର୍ଚ୍ଚ ଓ ଏପ୍ରିଲ ଭିତରେ ପରିବାର ପ୍ରାବଲ୍ୟ ଦେଖାଯାଉଥିବା ବଜାରରେ ଏବେ ପରିବାରେ ହାତ ମାରିବା ମୁସ୍କିଲ ହେଲାଣି। ପରିବା ଦର ହଠାତ ବୃଦ୍ଧି ପଛରେ କାରଣ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅଧିକାଂଶ ବ୍ୟବସାୟୀ କହୁଛନ୍ତି ଡିଜେଲ ଦର ବୃଦ୍ଧି ହେତୁ ବାହାର ରାଜ୍ୟରୁ ଆମଦାନୀ ବାଧାପ୍ରାପ୍ତ ହୋଇଛି। ପରିବା ପାଇଁ ଉଚ୍ଚା ମୂଲ୍ୟ ଦେବାକୁ ପଡ଼ୁଛି। ରାଜ୍ୟ ବଜାର ଉପରେ ଏହାର ପ୍ରଭାବ ପଡ଼ୁଛି। ଚାଷୀ କହୁଛନ୍ତି ଜୁନ ଦ୍ବିତୀୟ ସପ୍ତାହଠାରୁ ବର୍ଷା ଲାଗିରହିବା ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ନଷ୍ଟ ହୋଇଛି। ଏବେ ଅମଳ କମିଛି, ଚାହିଦା ଅନୁସାରେ ଉତ୍ପାଦନ ନାହିଁ। ଫଳରେ ବଜାର ଦର ତେଜୁଛି। ଅଧିକ ରହିଛି। ଯାହା କିଛି ରହିଛି ତାହା ଅଧିକ ଚାହିଦା ପୂରଣ କରିପାରୁ ନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories