ଔରଙ୍ଗଜେବଙ୍କଠାରୁ ଅଧିକ ନିଷ୍ଠୁର ନରେନ୍ଦ୍ର ମୋଦୀ : କଂଗ୍ରେସ
ନୂଆଦିଲ୍ଲୀ : ଦେଶରେ ୧୯୭୫ ଜରୁରୀ କାଳନୀ ପରିସ୍ଥିତି ଜାରିର ୪୩ ବର୍ଷ ପୂର୍ତ୍ତି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ବିଜେପି ନେତାଙ୍କ କଡ଼ା ସମାଲୋଚନା ଓ ଦେଶବ୍ୟାପୀ କଳା ଦିବସ ପାଳନକୁ କଂଗ୍ରେସ ମଙ୍ଗଳବାର ଦୃଢ ବିରୋଧ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ସମାଲୋଚନା ନେଇ କଂଗ୍ରେସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛି। ନରେନ୍ଦ୍ର ମୋଦୀ ମୁଗଲ ଶାସକ ଔରଙ୍ଗଜେଙ୍କଠାରୁ ଅଧିକ ନିଷ୍ଠୁର ଓ ସେ ବିଜେପି ଏବଂ ଗଣତନ୍ତ୍ରକୁ ବନ୍ଦୀ କରି ରଖିଛନ୍ତି ବୋଲି ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି। ସରଜେୱାଲା କହିଛନ୍ତି ଯେ ମୁଗଲ ଶାସକ ଔରଙ୍ଗଜେବ ନିଜ ପିତାକୁ ବନ୍ଦୀ କରିଥିଲା। ହେଲେ ମୋଦୀ ନିଜ ଦଳ ଏବଂ ଗଣତନ୍ତ୍ରକୁ ବନ୍ଦୀ କରି ରଖିଛନ୍ତି। ନିଷ୍ଠୁର ମୋଦୀ ଦୀର୍ଘ ୪୩ ବର୍ଷ ପରେ ଦେଶବାସୀଙ୍କୁ ଜରୁରୀ ପରିସ୍ଥିତିର ପାଠ ପଢାଉନ୍ତି । ୪୩ ବର୍ଷ ପରେ ବିଜେପିକୁ ଜରୁରୀ ପରିସ୍ଥିତି କଥା ମନେପଡିଛି । କଂଗ୍ରେସକୁ ସମାଲୋଚନା କରି ଓ ରାଗ ସୁଝି ବିଜେପି ମୋଦୀଙ୍କ ବିଫଳତା ଉପରେ ପରଦା ପକାଇବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଜରୁରୀ କାଳୀନ ପରିସ୍ଥିତି ଲାଗୁର ୪୩ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଥିଲେ। ଦେଶର ସ୍ୱର୍ଣ୍ଣିମ ଇତିହାସରେ ଜରୁରୀ ପରିସ୍ଥିତି ଏକ କଳାଦାଗ ବୋଲି ମୋଦୀ କହିଥିଲେ। ଏହାର କିଛି ଘଣ୍ଟା ପରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଆହୂତ କରି ବିଜେପି ଓ ମୋଦୀଙ୍କ ଉପରେ ବର୍ଷିଥିଲେ। ଉଲ୍ଲେଖ ଯେ ଜୁନ ୨୫ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଜର୍ମାନୀର ଏକଛତ୍ରବାଦ ଶାସକ ହିଟଲରଙ୍କ ସହିତ ତୁଳନା କରିଥିଲେ।