ମେଜରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା : ପୁଲିସ ହାଜତକୁ ଗଲେ ଗିରଫ ସେନା ଅଧିକାରୀ
ନୂଆଦିଲ୍ଲୀ : ସୈନ୍ୟ ବାହିନୀରେ କାର୍ଯ୍ୟରତ ଜଣେ ସେନା ମେଜରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣାରେ ଗିରଫ ହୋଇଥିବା ସେନା ଅଧିକାରୀ ନିଖିଲ ହାଣ୍ଡାଙ୍କୁ ସୋମବାର ୪ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ସୋମବାର ନିଖିଲଙ୍କୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ୪ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି। ଗିରଫ ସେନା ଅଧିକାରୀ ନିଖିଲ ହାଣ୍ଡା ମେଜର ପାହ୍ୟାର ଅଫିସର। ସେ ତାଙ୍କ ସାଥୀ ସେନା ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ମେଜର ହାଣ୍ଡା ଓ ମେଜର ଦ୍ୱିବେଦୀ ଦୁଇ ବନ୍ଧୁ। ତେବେ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କ ପ୍ରେମରେ ହାଣ୍ଡା ପଡିଯାଇଥିଲେ। ଏପରି କି ତାଙ୍କୁ ବିବାହ କରିବା ଲାଗି ଯୋଜନା କରିଥିଲେ। ଯୋଜନାରେ ବିଫଳ ହେବାରୁ ସେ ଶୈଳଜାଙ୍କୁ ହତ୍ୟା କରିଥିବା ପୁଲିସ ରିପୋର୍ଟରୁ ପ୍ରକାଶ।