ଆଜମ୍ପସନ ଦ୍ୱୀପରେ ନୌସେନା ଘାଟି ନିର୍ମାଣ ଲାଗି ଭାରତ-ସିଚେଲ୍ସ ମଧ୍ୟରେ ସମ୍ମତି

0

ନୂଆଦିଲ୍ଲୀ : ଆଜମ୍ପସନ ଦ୍ୱୀପରେ ନୌସେନା ଘାଟି ନିର୍ମାଣ ଲାଗି ଭାରତ ଓ ସିଚେଲ୍ସ ମଧ୍ୟରେ ସହମତି ପ୍ରକାଶ ପାଇଛି। ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଚେଲ୍ସ ରାଷ୍ଟ୍ରପତି ଡାନି ଆଣ୍ଟୋଇନେ ରୋଲେନ ଫାଉରେଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା କାଳରେ ଏହି ସମ୍ମତି ପ୍ରକାଶ ପାଇଛି। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଦୁଇ ନେତାଙ୍କ ଆଲୋଚନା ବେଳେ ପରସ୍ପରର ଉଦ୍‍ବେଗକୁ ସମ୍ମାନ ଜଣାଇ ଏହି ପ୍ରକଳ୍ପ ନିର୍ମାଣ ଲାଗି ସମ୍ମତି ପ୍ରକାଶ କରିଛନ୍ତି। ଦୁଇ ଦିନ ତଳେ ସିଚେଲ୍ସ ସରକାର ଏହି ପ୍ରକଳ୍ପକୁ ବିରୋଧ ପୂର୍ବକ ମଞ୍ଜୁରୀ ଦେବାକୁ ମନା କରିଥିଲେ। ପ୍ରକଳ୍ପକୁ ସିଚେଲ୍ସର ବିରୋଧୀ ଦଳଗୁଡିକ ବିରୋଧ କରୁଥିବା କାରଣରୁ ଏହାର ସରକାର ଏଥିରୁ ଦୂରେଇ ଯିବା ନେଇ କହିଥିଲା। ମାତ୍ର ଦୁଇ ଦିନ ପରେ ସିଚେଲ୍ସ ସରକାର ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ପୂର୍ବକ ପ୍ରକଳ୍ପ ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସିଚେଲ୍ସରେ ନୌସେନା ଘାଟି ନିର୍ମାଣ ପାଇଁ ୨୦୧୮ ଜାନୁଆରୀରେ ଦୁଇଦେଶ ମଧ୍ୟରେ ପ୍ରଥମ ବୁଝାମଣା ହୋଇଥିଲା।
ଏହି ଅବସରରେ ସିଚେଲ୍ସର ସାମରିକ ଭିତ୍ତିଭୂମି ବିକାଶ ଲାଗି ଭାରତ ସରକାର ୧୦୦ନିୟୁତ ଡଲାର ସହାୟତା ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏହି ସହାୟତା ରାଶି ଦ୍ୱାରା ସିଚେଲ୍ସ ପ୍ରତିରକ୍ଷା ସାମଗ୍ରୀ କିଣିବା ଲାଗି ସକ୍ଷମ ହେବ। କଥାବାର୍ତ୍ତା ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ନୌସେନା ଘାଟି ନିର୍ମାଣ ଦ୍ୱାରା ଭାରତ ମହାସାଗର ଅଞ୍ଚଳରେ ଭାରତର ସାମରିକ ସ୍ଥିତି ମଜଭୁତ ହେବ। ଏହି ପ୍ରକଳ୍ପ ନିର୍ମାଣ ସମୟରେ ଉଭୟ ଦେଶ ପରସ୍ପରର ଅଧିକାରକୁ ସମ୍ମାନ ଜଣାଇବେ। ଫାଉରେ ତାଙ୍କ ବିବୃତିରେ କହିଥିଲେ ଯେ ଆଜମ୍ପସନ ଦ୍ୱୀପରେ ସାମରିକ ଘାଟି ନିର୍ମାଣ ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା। ଦୁଇଦେଶ ମିଳିତ ଭାବେ ପରସ୍ପରର ସ୍ୱାର୍ଥକୁ ସମ୍ମାନ ଦେଇ ଏହି ପ୍ରକଳ୍ପ ନିର୍ମାଣ କରିବେ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଫାଉରେଙ୍କୁ ସାକ୍ଷାତ କରିବା ପୂର୍ବକ ଅନ୍ୟାନ୍ୟ ଦ୍ୱିପାକ୍ଷିକ ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ମାନବ ସମ୍ବଳ ବିକାଶ ଉପରେ ଆଲୋଚନା କରିଥିଲେ।
ଶୁକ୍ରବାର ଠାରୁ ସିଚେଲ୍ସ ରାଷ୍ଟ୍ରପତି ୬ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପ୍ରଥମେ ସେ ଗୁଜରାଟରେ ଓହ୍ଲାଇଥିଲେ। ଏଠାରେ ସେ ସାବରମତି ଆଶ୍ରମ, ଆଇଆଇଏମ୍‍ ଅହମଦାବାଦ ପରିଦର୍ଶନ କରିଥିଲେ।

kalyan agarbati
Leave A Reply