ମେଜରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା: ସେନା ଅଧିକାରୀ ଗିରଫ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସେନାର ଜଣେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣାରେ ପୁଲିସ ଜଣେ ସେନା ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସେନା ଅଧିକାରୀ ଜଣଙ୍କ ହେଉଛନ୍ତି ମେଜର ନିଖିଲ ହାଣ୍ଡା। ମେଜର ହାଣ୍ଡାଙ୍କୁ ମିରଟରୁ ଗିରଫ କରାଯାଇଛି। ତାଙ୍କୁ ଏହି ହତ୍ୟା ଘଟଣା ଉପରେ ପୁଲିସ ପଚରା ଉଚରା କରୁଛି। ହତ୍ୟାର ଶିକାର ମେଜରଙ୍କ ପତ୍ନୀଙ୍କ ନାମ ଶୈଳଜା ଦ୍ୱିବେଦୀ। ଶନିବାର ପୂର୍ବାହ୍ଣରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଶୈଳଜାଙ୍କ ସ୍ୱାମୀ ସୈନ୍ୟ ବାହିନୀରେ ଜଣେ ମେଜର ପାହ୍ୟାର ଅଧିକାରୀ। ଉଭୟ ଶୈଳଜା ଓ ତାଙ୍କ ସ୍ୱାମୀଙ୍କ ସହିତ ଅଟକ ରହିଥିବା ମେଜର ହାଣ୍ଡାଙ୍କର ବନ୍ଧୁତା ଥିଲା। ମେଜର ହାଣ୍ଡା ଏବେ ଦିମାପୁରରେ କାର୍ଯ୍ୟରତ ଅଛନ୍ତି। ମୃତ୍ୟୁ ପୂର୍ବରୁ ଶୈଳଜାଙ୍କୁ ହାଣ୍ଡାଙ୍କ ସହିତ ଦେଖିôବାକୁ ମିଳିଥିଲା। ଏହା ସହିତ କିଛି ଦିନ ହେଲା ଶୈଳଜା ଏକ ସିଲଭର ରଙ୍ଗର ହଣ୍ଡା ସିଟି କାର ଚଳାଉଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁ ପଛରେ ଏହି କାରର ଭୂମିକା ରହିଥିବା ଆଶଙ୍କା କରାଯାଇଛି।
ଶନିବାର ଶୈଳଜାଙ୍କୁ ଦକ୍ଷିଣ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବାର ସ୍କୋୟାର ଅଞ୍ଚଳରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତ ଦେହକୁ ତାଙ୍କ ସ୍ୱାମୀ ଚିହ୍ନଟ କରିବା ପରେ ତାଙ୍କର ପରିଚୟ ମିଳିଥିଲା। ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି ବିବେଚନା କରାଯାଇଥିଲା। ତେବେ ତାଙ୍କ ଗଳା କଟାଯାଇଥିବା ଶବ ବ୍ୟବଛେଦରୁ ଜଣାପଡିଥିଲା। ଶୈଳଜାଙ୍କୁ ଗଳାକାଟି ହତ୍ୟା କରାଯିବା ପରେ ଗାଡି ମଡାଇଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ ସକାଳ ୧୦ଟାରେ ଶୈଳଜା ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ସେନାର ହସ୍ପିଟାଲକୁ ଫିଜିଓଥେରାପି ପାଇଁ ଆସିଥିଲେ। ଏହାର ଅଧଘଣ୍ଟା ପରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଫିଜିଓଥେରାପି ସେଣ୍ଟରକୁ ଯିବା ଲାଗି ଶୈଳଜାଙ୍କ ସ୍ୱାମୀଙ୍କ ପାଇଁ ଉଦ୍ଦିଷ୍ଟ ସେନା ଗାଡି ତାଙ୍କୁ ହସ୍ପିଟାଲ ବାହାରେ ଛାଡିଦେଇ ଆସିଥିଲା। ପରେ ତାଙ୍କୁ ହସ୍ପିଟାଲରୁ ଆଣିବା ଲାଗି ଗାଡିଟି ପୁଣି ହସ୍ପିଟାଲ ଯାଇଥିଲା। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ ଯେ ଶୈଳଜା ଆଜି ଫିଜିଓଥେରାପି ପାଇଁ ଆସିନାହାନ୍ତି।