ଅମିତ ଶାହାଙ୍କୁ ମିଛୁଆ କହିଲେ ମେହବୁବା

0

ଶ୍ରୀନଗର : ମେଣ୍ଟ ନୀତି ପାଳନରୁ ପିଡିପି ପଛଘୁଞ୍ଚା ଦେବାରୁ ସରକାରରୁ ଓହରିଯିବାର ନିଷ୍ପତ୍ତି ନିଆଗଲା ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମନ୍ତବ୍ୟ ଉପରେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‍ତି ରବିବାର ପ୍ରତିକ୍ରିୟା ରଖିଛନ୍ତି। ମେହବୁବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ପିଡିପି କେବବି ମେଣ୍ଟ ନୀତି ପାଳନରୁ ପଞ୍ଚଘୁଞ୍ଚା ଦେଇନଥିଲା ବୋଲି କହିଛନ୍ତି। ଏହାସହ ତାଙ୍କ ଦଳ ବିରୋଧରେ ମିଥ୍ୟା ଅଭିଯୋଗ ଲଗାଯାଉଛି ଓ ଶାହାଙ୍କ ଅଭିଯୋଗ ମିଥ୍ୟା ବୋଲି ମେହବୁବା କହିଛନ୍ତି। ଉଲ୍ଲେଖ ଯେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶନିବାର ଜାମ୍ମୁ କାଶ୍ମୀର ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ କହିଥିଲେ ଯେ ଜାମ୍ମୁ କାଶ୍ମୀର ବିକାଶ ଦିଗରେ ବିଜେପି କେବେ ବି ପ୍ରତିବନ୍ଧକ ହୋଇନାହିଁ। ମେଣ୍ଟ ନୀତି ପାଳନରେ ପିଡିପି ପଞ୍ଚଘୁଞ୍ଚା ଦେବାରୁ ବାଧ୍ୟ ହୋଇ ବିଜେପିକୁ ସରକାରରୁ ଓହରିବାକୁ ପଡିଲା। ଲକ୍ଷ୍ୟ ପୂରଣ ହୋଇପାରୁନଥିବାରୁ ଶାସନରେ ରହିବାର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ଶାହା କହିଥିଲେ। ଏହାର ଜବାବରେ ରବିବାର ମେହବୁବା ଟ୍ୱିଟ୍‍ କରିଛନ୍ତି ଯେ ମେଣ୍ଟ ନୀତି ରାମ ମାଧବ ଏବଂ ରାଜନାଥଙ୍କ ଭଳି ବରିଷ୍ଠ ନେତା ମାନେ ଠିକ୍‍ କରିଥିଲେ ଓ ଏହାକୁ ପାଳନ କରିବା ନେଇ ଆମେ ପ୍ରତିବନ୍ଧଥିଲୁ। ଆମେ ଯେଉଁ ପଦକ୍ଷେପ ନେଉଥିଲୁ ଓ ସୁଧାର ଆଣିଥିଲୁ ତାକୁ ବିଜେପି ବି ପ୍ରଶଂସା କରିଥିଲା। ଧାରା ୩୭୦କୁ ଯଥାସ୍ଥିତି ବଜାୟ ରଖିବା, ପାକିସ୍ତାନ ଏବଂ ହୁରିୟାତ ନେତାଙ୍କ ସହ ଆଲୋଚନା ଆମ ମେଣ୍ଟର କାର୍ଯ୍ୟସୂଚୀ ମଧ୍ୟରେ ଥିଲା। ଏବେ ବିଜେପି ଆମ ଉପରେ ମିଥ୍ୟା ଅଭିଯୋଗ ଲଗାଉଛି। ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏକ ପାଖିଆ ଅସ୍ତ୍ର ବିରତି ଏବଂ କଥାବାର୍ତ୍ତା ଆରମ୍ଭ ଆବଶ୍ୟକ ଥିଲା। ବିଜେପି ନିଜ ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା କରିବା ଆବଶ୍ୟକ ଥିଲା ବୋଲି ସେ ଯୁକ୍ତି ବାଢିଛନ୍ତି।
ଉଲ୍ଳେଖ ଯେ ଜାମ୍ମୁ କାଶ୍ମୀର ସରକାର ଭାଙ୍ଗିବା ପରେ ଶନିବାର ପ୍ରଥମଥର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜାମ୍ମୁରେ ପହଞ୍ଚିଥିଲେ। ସେଠାରେ ସେ ଡ, ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ସିବସରେ ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‍ ଟିପ୍ପଣୀ ଦେଉଛନ୍ତି ଓ ତାକୁ ଲସ୍କର-ଇ-ତୋଇବା ସଙ୍ଗେ ସଙ୍ଗେ ସମର୍ଥନ ଜଣାଉଛି। ସେହିପରି ପିଡିପି ଏବଂ ନ୍ୟାଶନାଲ କନଫ୍ରେନ୍ସର ଦୁଇଟି ପରିବାର ଜାମ୍ମୁ କାଶ୍ମୀରରେ ପାଖାପାଖି ୩ ପିଢି ଧରି ଶାସନ କରିଛନ୍ତି; କିନ୍ତୁ ସମସ୍ୟା ଦୂର କରିବାକୁ କିଛି କରିନାହାନ୍ତି।

kalyan agarbati
Leave A Reply