ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳିବା ନିମନ୍ତେ ଭାରତୀୟ କ୍ରିକେଟ୍ ଦଳ (ଟିମ୍ ଇଣ୍ଡିଆ) ଶନିବାର ସେଠାକୁ ଯାତ୍ରା କରିଛନ୍ତି। ଆସନ୍ତା ବର୍ଷ ବିଶ୍ୱକପ୍ କ୍ରିକେଟ୍ ଖେଳାଯିବାକୁ ଥିବା ବେଳେ ଏହି ସିରିଜ୍କୁ ଭାରତ ଗୁରୁତ୍ୱର ସହ ନେଇଛି।
ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନି ବେଶ୍ ଖୁସି ଥିବା ଭଳି ପରିଲକ୍ଷିତ ହେଉଥିଲା। ସୂଚନାଥାଉକି କୋହଲି ଓ ଧୋନି କିଛିଦିନ ତଳେ ୟୋ-ୟୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଇପିଏଲ୍ ଖେଳୁଥିବା ବେଳେ କୋହଲିଙ୍କ ବେକରେ ଆଘାତ ଲାଗିଥିଲା। ତେବେ ସେ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଥିବା କହିଛନ୍ତି। ଇଂଲଣ୍ଡ ଗସ୍ତ ପୂର୍ବରୁ ବିମାନବନ୍ଦରରେ କୋହଲିଙ୍କ ସହ ଫଟୋ ଉଠାଇବାକୁ ଜଣେ ଛୋଟ ଝିଅ ଆଗ୍ରହ ପ୍ରକାଶ କରିଥିଲା। କୋହଲି ମଧ୍ୟ ଝିଅର ଅନୁରୋଧ ରକ୍ଷା କରି ତା’ ସହ ଫଟୋ ଉଠାଇଥିଲେ। ବିମାନ ମଧ୍ୟରେ ଭାରତୀୟ ଦଳର ସଦସ୍ୟ ରୋହିତ ଶର୍ମା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ଦିନେଶ କାର୍ତ୍ତିକ ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଫଟୋ ଉଠାଇଥିଲେ। ଭାରତୀୟ ଦଳ ଆସନ୍ତା ୨୭ ଓ ୨୯ରେ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳିବ। ଏହାପରେ ଦଳ ଇଂଲଣ୍ଡ ବିପକ୍ଷରେ ୩ଟି ଟ୍ୱେଣ୍ଟି୨୦, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ।