ପ୍ରିକ୍ୱାର୍ଟରରେ ବେଲ୍‍ଜିୟମ୍‍

0

ମସ୍କୋ :  କ୍ରମାଗତ ୨ୟ ମ୍ୟାଚ୍‍ରେ ବିଜୟ ସହ ବେଲ୍‍ଜିୟମ୍‍ ଦଳ ଚଳିତ ଫିଫା ବିଶ୍ୱକପ୍‍ର ପ୍ରିକ୍ୱାର୍ଟଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳା ଯାଇଥିବା ଗ୍ରୁପ୍‍ ‘ଜି’ର ମ୍ୟାଚ୍‍ରେ ଟ୍ୟୁନିସିଆକୁ ୫-୨ ଗୋଲ୍‍ରେ ବେଲ୍‍ଜିୟମ୍‍ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‍ରେ ପାନାମାକୁ ୩-୦ ଗୋଲ୍‍ରେ ପରାସ୍ତ କରିଥିବା ବେଲ୍‍ଜିୟମ୍‍ ଏହି ୨ଟି ମ୍ୟାଚ୍‍ରୁ ମୋଟ ୮ଟି ଗୋଲ୍‍ଦେବାର କୃତିତ୍ୱ ହାସଲ କରିଛି। ବେଲ୍‍ଜିୟମ୍‍ ପାଇଁ ଅଧିନାୟକ ଏଡେନ୍‍ ହାଜାର୍ଡ ଓ ରୋମେଲୁ ଲୁକାକୁ ୨ଟି ଲେଖାଏଁ ଗୋଲ୍‍ ସ୍କୋର୍‍କରି ଦଳର ବିଜୟରେ ହିରୋ ସାଜିଛନ୍ତି। ପ୍ରଥମଥର ଏକ ବିଶ୍ୱକପ୍‍ ମ୍ୟାଚ୍‍ରେ ବେଲ୍‍ଜିୟମ୍‍ ୫ଟି ଗୋଲ୍‍ ସ୍କୋର୍‍କରିଛି। ଅନ୍ୟପକ୍ଷରେ କ୍ରମାଗତ ୨ୟ ମ୍ୟାଚ୍‍ ହାରି ଆଫ୍ରିକୀୟ ଦେଶ ଟ୍ୟୁନିସିଆ ନକ୍‍ଆଉଟ ଦୌଡ଼ରୁ ବାଦ୍‍ପଡ଼ିଛି।
୪ର୍ଥ ମିନିଟରେ ଟ୍ୟୁନିସିଆ ଗୋଲ୍‍ରକ୍ଷକ ବେନ୍‍ ମୁସ୍ତାଫାଙ୍କୁ ୨ ଥର ଗୋଲ ବଞ୍ଚାଇବାକୁ ପଡ଼ିଥିଲା। ପ୍ରଥମେ ରୋମେଲୁ ଲୁକାକୁ ଏବଂ ପରେ ଥମାସ୍‍ ମ୍ୟୁନିଅରଙ୍କୁ ଗୋଲ୍‍ଦେବାରୁ ମୁସ୍ତାଫା ବଞ୍ଚିତ କରିଥିଲେ। ୬ଷ୍ଠ ମିନିଟରେ ଚେଲ୍‍ସିର ତାରକା ଷ୍ଟ୍ରାଇକର ହାଜାର୍ଡଙ୍କୁ ପେନାଲ୍‍ଟି ଏରିଆ ମଧ୍ୟରେ ଫାଉଲ୍‍ମାରି ପକାଇ ଦେଇଥିଲେ ଟ୍ୟୁନିସିଆ ଡିଫେଣ୍ଡର। ଫଳତଃ ବେଲ୍‍ଜିୟମ୍‍କୁ ପେନାଲ୍‍ଟି ମିଳିଥିଲା। ଏଥିରୁ ନିଜେ ଅଧିନାୟକ ଏଡେନ୍‍ ହାଜାର୍ଡ ଗୋଲ୍‍ଦେଇ ଦଳକୁ ଆଗୁଆ କରିଥିଲେ। ପରେ ଟ୍ୟୁନିସିଆ କିଛି ସଂଘବଦ୍ଧ ଆକ୍ରମଣ କରିଥିଲେ ହେଁ ଗୋଲ୍‍ ହୋଇନଥିଲା। ଏଡେନ ହାଜାର୍ଡ ୧୩ ମିନିଟରେ ଗୋଲ୍‍ଦେବାର ସୁଯୋଗ ପାଇଥିଲେ ହେଁ ଗୋଲ୍‍ରକ୍ଷକ ମୁସ୍ତାଫା ତାଙ୍କ କିକ୍‍କୁ ରୋକି ଦେଇଥିଲେ। ୧୬ ମିନଟରେ ବେଲ୍‍ଜିୟମ୍‍ ୨ୟ ଗୋଲ୍‍ ଦେଇଥିଲା। ଟ୍ୟୁନିସିଆ ଡିଫେଣ୍ଡରଙ୍କ ତ୍ରୁଟିରୁ ବେଲ୍‍ଜିୟମ୍‍ର ତାରକା ଖେଳାଳି ଡ୍ରାଇସ୍‍ ମର୍ଟେନ୍‍ସ ବଲ୍‍ ପାଇଥିଲେ; ଯିଏ ମାଞ୍ଚେଷ୍ଟର ୟୁନାଇଟେଡ୍‍ ତାରକା ରୋମେଲୁ ଲୁକାକୁଙ୍କ୍‍ ପାସ୍‍ ଦେଇଥିଲେ। ଲୁକାକୁ ସହଜରେ ଟ୍ୟୁନିସିଆ ଗୋଲ୍‍ରକ୍ଷକ ମୁସ୍ତାପାଙ୍କୁ ପରାସ୍ତ କରିଥିଲେ। ୧୮ ମିନିଟରେ ଟ୍ୟୁନିସିଆ ଏକ ଗୋଲ୍‍ ସୁଝାଇ ପାରିଥିଲା। ୱାହ୍‍ବି ଖଜ୍ରି ମାରିଥିବା ଫ୍ରିକିକ୍‍କୁ କୁଦାମାରି ଦର୍ଶନୀୟ ହେଡ୍‍କରି ଗୋଲ୍‍ ଦେଇଥିଲେ ଟ୍ୟୁନିସିଆର ଡାଇଲାନ୍‍ ବ୍ରୋନ୍‍। ୧୯ ମିନିଟରେ ବେଲ୍‍ଜିୟମ୍‍ ୩ୟ ଗୋଲ୍‍ ସ୍କୋର୍‍ କରିବାରୁ ବଞ୍ଚିତ ହୋଇଥିଲା। କାରାସ୍କୋଙ୍କ କିକ୍‍କୁ ଟ୍ୟୁନିସିଆ ଗୋଲ୍‍ରକ୍ଷକ ମୁସ୍ତାଫା ବାହାର କରି ଦେଇଥିଲେ। ବଲ୍‍ ପାଇଥିଲେ ଡ୍ରାଇଜ୍‍ ମର୍ଟେନ୍‍ସ; ଯିଏ ଗୋଲ୍‍ପୋଷ୍ଟ ବାହାରକୁ ବଲ୍‍ ମାରି ଦେଇଥିଲେ। ୨୭ ମିନିଟରେ ଲୁକାକୁ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲେ। ପ୍ରଥମାର୍ଦ୍ଧ ଇଞ୍ଜ୍ୟୁରୀ ସମୟର ୨ୟ ମିନିଟରେ ଲୁକାକୁ ଗୋଲ୍‍ଦେବାରୁ ବିଫଳ ହୋଇଥିଲେ। ତେବେ ମଧ୍ୟାନ୍ତରର ଠିକ୍‍ ପୂର୍ବରୁ ଲୁକାକୁ ଦଳ ପାଇଁ ୩ୟ ଏବଂ ବ୍ୟକ୍ତିଗତ ୨ୟ ଗୋଲ୍‍ ସ୍କୋର୍‍ କରିଥିଲେ। ମ୍ୟୁନିଅରଙ୍କ ପାସ୍‍ରୁ ଲୁକାକୁ ଏହି ଗୋଲ୍‍ଟି ସ୍କୋର୍‍ କରିଥିଲେ। ବେଲ୍‍ଜିୟମ୍‍ ଫୁଟ୍‍ବଲ ଇତିହାସରେ ସଫଳତମ ଗୋଲ୍‍ସ୍କୋରର ଲୁକାକୁ ଏହି ଗୋଲ୍‍କୁ ମିଶାଇ ୪୦ଟି ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍ କରିଛନ୍ତି। ୫୧ ମିନିଟରେ ଅଧିନାୟକ ଏଡେନ୍‍ ହାଜାର୍ଡ ଦଳ ପାଇଁ ୪ର୍ଥ ଏବଂ ବ୍ୟକ୍ତିଗତ ୨ୟ ଗୋଲ୍‍ ଦେଇଥିଲେ। ଏକ ଲମ୍ବା ପାସ୍‍କୁ ଛାତିରେ ନିୟନ୍ତ୍ରଣ କରି ହାଜାର୍ଡ ଟ୍ୟୁନିସିଆର ୨ ଡିଫେଣ୍ଡରଙ୍କୁ ଚକ୍‍ମା ଦେଇ ଗୋଲ୍‍ ସ୍କୋର୍‍ କରିଥିଲେ। ୯୦ ମିନିଟରେ ବେଲ୍‍ଜିୟମ୍‍ ୫ମ ଗୋଲ୍‍ ସ୍କୋର୍‍ କରିଥିଲା। ମିଚି ବାତ୍‍ସୁୟାଇ ଏହି ଗୋଲ୍‍ଟି ସ୍କୋର୍‍ କରିଥିଲେ। ମ୍ୟାଚ୍‍ ସରିବାକୁ କେଇ ସେକେଣ୍ଡ ବାକିଥିବା ବେଳେ ୨ୟ ଗୋଲ୍‍ ଦେଇଥିଲା ଟ୍ୟୁନିସିଆ। ୱାହ୍‍ବି ଖଜ୍ରି ଏହି ଗୋଲ ସ୍କୋର୍‍ କରିଥିଲେ।

kalyan agarbati
Leave A Reply