www.samajalive.in
Saturday, December 6, 2025
26.1 C
Bhubaneswar

ବାଣିଜ୍ୟ ଓ ବିକ୍ରୀ କର ବିଭାଗ ପକ୍ଷରୁ ମିଳିତ ଚଢଉ

ପାଟଣାଗଡ: ଲକଡାଉନର ସୁଯୋଗ ନେଇ ସହର ମଧ୍ୟରେ ବ୍ୟବସାୟ କରୁଥିବା କେତେକ ମୁନାଫାଖୋର ଏବଂ କଳାବଜାରୀ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦର ଅହେତୁକ ଭାବରେ ବୃଦ୍ଧି କରିଥିବା ଅଭିଯୋଗ ପରେ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହି କ୍ରମରେ ରାମଜୀ ଛକ ସ୍ଥିତ ସଜ୍ଜନ କୁମାର ଅଗ୍ରୱାଲଙ୍କ ଲକ୍ଷ୍ମୀ ଷ୍ଟୋର ଏବଂ ରାମପୁରସ୍ଥିତ ରାହୁଲ ଜୈନଙ୍କ ରାହୁଲ ଟ୍ରେଡର୍ସର ସମସ୍ତ ବିଲ ତଥା କାଗଜ ପତ୍ରର ଟିକିନିଖି ଅନୁସନ୍ଧାନ କରିବାକୁ ସ୍ଥାନୀୟ ଉପ ଜିଲାପାଳ ଡେପୁଟି କମିଶନର, ବିକ୍ରୀ କର ଏବଂ ଦ୍ରବ୍ୟସେବା କର, ପ୍ରବର୍ତ୍ତନ ଶାଖାକୁ ପତ୍ର ଦ୍ୱାରା ଗତ ୧୬ ତାରିଖ ଦିନ ଅନୁରୋଧ କରିଥିଲେ। ଆଜି କଳାହାଣ୍ଡି ବାଣିଜ୍ୟକର ବିଭାଗ ଯୁଗ୍ମ କମିଶନର ସଂଜୀବ ସିଂଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଉକ୍ତ ଦୁଇ ଦୋକାନ ଏବଂ ସେମାନଙ୍କ ଗୋଦାମ ଘର ଇତ୍ୟାଦି ଯାଞ୍ଚ କରିଥିବା ଜଣାଯାଇଛି।

- Advertisement -

ପ୍ରକାଶ ଯେ, ସହରରେ ଗତ କିଛି ଦନ ଧରି ବିଭିନ୍ନ ସାମଗ୍ରୀର ବ୍ୟାପକ କଳାବଜାରୀ ଯୋଗୁଁ ସାଧାରଣ ଖାଉଟି ତଳିତଳାନ୍ତ ହେବାରେ ଲାଗିଥିଲେ। ପ୍ରଥମେ ଆଳୁ, ପିଆଜର ଅହେତୁକ ଦରବୃଦ୍ଧି ପରେ ବିଭିନ୍ନ ପାନ ମସଲା, ତେଲ ଇତ୍ୟାଦିର କୃତ୍ରିମ ଅଭାବ ସୃଷ୍ଟି କରାଯାଇଥିଲା। ଦୁର୍ଭାଗ୍ୟର କଥା ଲୁଣ ଭଳି ଏକ ଆବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନିଜ ନିଜ ଗୋଦାମରେ ବ୍ୟାପକ ପରିମାଣରେ ଗଚ୍ଛିତ ରଖି ମୁନାଫାଖୋର କଳାବଜାରୀମାନେ ଲୁଣର ମଧ୍ୟ କୃତ୍ରିମ ଅଭାବ ସୃଷ୍ଟି କରିଥିଲେ। ୨୦ ଟଙ୍କାର ଲୁଣ ପ୍ୟାକେଟକୁ ୬୦ ଟଙ୍କାରେ ଏବଂ ୧୮୦ ଟଙ୍କାର ପ୍ୟାକେଟକୁ ୩୫୦ ଟଙ୍କାରେ ବିକିବାକୁ ପଛେଇ ନଥିଲେ କିଛି କଳାବଜାରୀ। ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତ ୧୬ ତାରିଖ ଦିନ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢଉ କରାଯିବା ସହ ରାମଜୀଛକର ଲକ୍ଷ୍ମୀ ଷ୍ଟୋର ମାଲିକ ଲୁଣ କଳାବଜାରୀ କରୁଥିବା ପ୍ରତକ୍ଷ୍ୟ ପ୍ରମାଣ ପାଇବା ପରେ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଆଜି କଳାହାଣ୍ଡି ଯୁଗ୍ମ କମିଶନ ଶ୍ରୀ ସିଂଙ୍କ ନେତୃତ୍ୱରେ ଡେପୁଟି କମିଶନର ଫକୀର ମୋହନ ଶତପଥି ଏବଂ ବଲାଙ୍ଗିର ଦ୍ରବ୍ୟ ସେବା କର ଅଧିକାରୀ ଆଶିଷ କୁମାର ସାହୁ ଉକ୍ତ ୨ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢଉ କରିବା ସହ ସେମାନଙ୍କ କାଗଜପତ୍ର ଠିକ୍‍ ନଥିବା ଦର୍ଶାଇ ସେଗୁଡିକୁ ଜବତ କରିଛନ୍ତି। ତେବେ ରାମପୁରସ୍ଥିତ ରାହୁଲ ଟ୍ରେଡର୍ସର ମାଲିକ ରାହୁଲ ଜୈନଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ପକାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ସୂଚନାଯୋଗ୍ୟ ଯେ, ରାହୁଲ ଜୈନ ରାମପୁରର ବିଶିଷ୍ଟ ବ୍ୟବସାୟୀ ଗୋବିନ୍ଦ ଜୈନଙ୍କ ସୁପୁତ୍ର। ଆଜିର ଏହି ଚଢଉ ଦ୍ୱାରା କଳାବଜାରୀଙ୍କ ମଧ୍ୟରେ ଛନକା ପଶିଯାଇଥିବା ସହ ବିକ୍ରୀକର ବିଭାଗ ସହରକୁ ଆସିଥିବା ଜାଣି ବହୁ ବ୍ୟବସାୟୀ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ବନ୍ଦ କରି ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories