ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କାର୍ତ୍ତି

0

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ଲାଞ୍ଚ କାରବାର ମାମଲାରେ କାର୍ତ୍ତି ଚିଦମ୍ବରମ୍‌ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାରି କରିଥିବା ସମନ ରଦ୍ଦ କରିବା ଲାଗି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି। ବରିଷ୍ଠ ନେତା କଂଗ୍ରେସ ପି. ଚିଦମ୍ବରମ୍‌ଙ୍କ ପୁତ୍ର କାର୍ତ୍ତିଙ୍କୁ ଜେରା କରିବା ଲାଗି ରବିବାର ବାଏକୁଲା କେନ୍ଦ୍ରୀୟ କାରାଗାରକୁ ନିଆଯାଇଥିଲା। ସକାଳ ୭ଟାରେ ଏୟାର ଇଣ୍ଡିଆର ଏକ ବିମାନ ଯୋଗେ ସିବିଆଇ ତାଙ୍କୁ ମୁମ୍ବଇ ଆଣିଥିଲା। ସେଠାରେ ଆଇଏନ୍‌ଏକ୍ସ ମେଡିଆ ଲିମିଟେଡ୍‌ର ପୂର୍ବତନ ନିର୍ଦେଶକ ପିଟର ମୁଖାର୍ଜୀ ଏବଂ ତାଙ୍କ ପତ୍ନୀଙ୍କ ସହିତ କାର୍ତ୍ତିଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଇନ୍ଦ୍ରାଣୀଙ୍କ ବିଚାର ବିଭାଗୀୟ ହାଜତ ମିଆଦରେ ୧୪ ଦିନ ବୃଦ୍ଧି କରିଛନ୍ତି। ଆଇଏନ୍‌ଏକ୍ସ ମେଡିଆର ପୂର୍ବତନ ନିର୍ଦେଶକ ଇନ୍ଦ୍ରାଣୀ ମୁମ୍ବାଇ ସ୍ଥିତ ବଏକୁଲା କାରାଗାରରୁ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡ (ଏଫ୍‌ଆଇପିବି) କ୍ଲିଅରାନ୍ସ କରାଇଦେବା ଲାଗି କାର୍ତ୍ତି ଦିଲ୍ଲୀର ଏକ ହୋଟେଲରେ ୧ ନିୟୁତ ଆମେରିକୀୟ ଡଲାର ଲାଞ୍ଚ ମାଗିଥିଲେ ବୋଲି ଇନ୍ଦ୍ରାଣୀ ନିକଟରେ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ବୟାନ ଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଅଣାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦିଲ୍ଲୀ ଫେରିବା ବାଟରେ କାର୍ତ୍ତି କହିଛନ୍ତି। ଆଇଏନ୍‌ଏକ୍ସ ମିଡିଆଠାରୁ ୩.୫ କୋଟି ଟଙ୍କା ଲାଞ୍ଚ ନେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି।

Leave A Reply