ଫ୍ରାନ୍ସ ପ୍ରିକ୍ୱାର୍ଟରରେ ; ପେରୁର ବିଦାୟ
ଏକାତେରିନ୍ବର୍ଗ : ଫିଫା ବିଶ୍ୱକପ୍ରେ ପ୍ରିକ୍ୱାର୍ଟରଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛି ଫ୍ରାନ୍ସ। ଗ୍ରୁପ୍ ‘ସି’ରେ କ୍ରମାଗତ ୨ୟ ମ୍ୟାଚ୍ ଜିତି ଫ୍ରାନ୍ସ ଏହି କୃତିତ୍ୱ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ହରାଇଥିବା ଫ୍ରାନ୍ସ ଗୁରୁବାର ପେରୁକୁ ୧-୦ ଗୋଲ୍ରେ ପରାସ୍ତ କରିଛି। ୩୪ ମିନିଟ୍ରେ ଫ୍ରାନ୍ସର କିଲିଆନ୍ ଏମ୍ବାପେ ଗୋଲ୍ ଦେଇଥିଲେ। କ୍ରମାଗତ ୨ୟ ପରାଜୟ ପରେ ପେରୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ଅବଶ୍ୟ ଏହାର ଆଉ ଏକ ମ୍ୟାଚ୍ ରହିଛି।
ମ୍ୟାଚ୍ ଆରମ୍ଭରୁ ମୁକାବିଲା ପ୍ରାୟ ମଝି ପଡ଼ିଆରେ ସୀମିତ ରହିଥିଲା। ଆରମ୍ଭରୁ ଫ୍ରାନ୍ସ ପାଖରେ ଅଧିକ ସମୟ ବଲ୍ ରହିଥିବା ବେଳେ ପରେ ପେରୁ ଖେଳକୁ ନିୟନ୍ତ୍ରଣକୁ ନେଇଥିଲା। ୬ ମିନିଟରେ ପେରୁର ଆନ୍ଦ୍ରେ କାରିଲୋ ବଲ୍ ନେଇ ଆଗେଇ ଯାଇଥିଲେ ହେଁ ଫ୍ରାନ୍ସ ଡିଫେଣ୍ଡର ତାଙ୍କୁ ରୋକିଥିଲେ। ପରେ ବଲ୍ ମିଳିଥିଲା ପେରୁର ୟୋଟୁନ୍ଙ୍କୁ। ୟୋଟୁନ୍ ସଟ୍ ମାରିଥିଲେ ଏବଂ ଫ୍ରାନ୍ସ ଗୋଲ୍ରକ୍ଷକ ହ୍ୟୁଗୋ ଲୋରିସ୍ ଆଗକୁ ଚାଲି ଯାଇଥିଲେ ହେଁ ବଲ୍ ଗୋଲ୍ପୋଷ୍ଟ ଉପରେ ଚାଲି ଯାଇଥିଲା। ଫ୍ରାନ୍ସ ଡିଫେନ୍ସରେ ସାମୁଏଲ୍ ଉମ୍ଟିଟି ଚମତ୍କାର ପ୍ରଦର୍ଶନ କରିଥିଲେ। ୧୧ ମିନିଟରେ ଫ୍ରାନ୍ସର ତାରକା ଷ୍ଟ୍ରାଇକର ଏବଂ ଚଳିତ ବିଶ୍ୱକପ୍ରେ ଫ୍ରାନ୍ସ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିବା ଆଣ୍ଟୋଏନ୍ ଗ୍ରିଜ୍ମ୍ୟାନ୍ ସଟ୍ ମାରିଥିଲେ ହେଁ ବଲ୍ ଗୋଲ୍ପୋଷ୍ଟର ସାମାନ୍ୟ ବାହାରେ ଥିଲା। ୧୨ ମିନିଟ୍ରେ ଫ୍ରାନ୍ସ ମିଡ୍ଫିଲ୍ଡର ପଲ୍ ପୋଗ୍ବା ଏକ ଜୋର୍ଦାର ସଟ୍ ମାରିଥିଲେ ହେଁ ପେରୁ ଗୋଲ୍ରକ୍ଷକ ପେଡ୍ରୋ ଗାଲିସେ ବଲ୍କୁ ରୋକି ଦେଇଥିଲେ। ୧୪ ମିନିଟରେ ଫ୍ରାନ୍ସର ରାଫେଲ୍ ଭାରାନେ ଏକ ହେଡ୍ କରିଥିଲେ ହେଁ ବଲ୍ ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୧୬ ମିନିଟରେ ଗ୍ରିଜ୍ମ୍ୟାନ୍ଙ୍କ ଜୋର୍ଦାର କିକ୍କୁ ପେରୁ ଗୋଲରକ୍ଷକ ଗାଲିସେ ଚମତ୍କାର ଢଙ୍ଗରେ ରୋକି ଦେଇଥିଲେ। ପରେ ପେରୁ କିଛି ସଂଘବଦ୍ଧ ଆକ୍ରମଣ କରିଥିଲା। ୨୮ ମିନିଟରେ ପେରୁର ପ୍ରୟାସକୁ ଫ୍ରାନ୍ସ ଡିଫେଣ୍ଡର ରୋକିଥିବା ବେଳେ ୩୦ ମିନିଟରେ ପେରୁ ଷ୍ଟ୍ରାଇକରଙ୍କ ସଟ୍କୁ ଫ୍ରାନ୍ସ ଗୋଲ୍ରକ୍ଷକ ଲୋରିସ୍ ରୋକି ଦେଇଥିଲେ। ୩୪ ମିନିଟରେ ଫ୍ରାନ୍ସ ଗୋଲ୍ଦେଇ ଆଗୁଆ ହୋଇ ଯାଇଥିଲା। ଗ୍ରିଜ୍ମାନ ସାଥୀ ଖେଳାଳି ଅଲିଭର ଜିରୌଡ୍ଙ୍କୁ ଏକ ଥ୍ରୁ ବଲ୍ ଦେଇଥିଲେ। ଜିରୌଡ୍ଙ୍କ ସଟ୍ ପେରୁର କ୍ରିଷ୍ଟିଆନ୍ ରାମୋସ୍ଙ୍କ ଗୋଡ଼ରେ ବାଜି ପେରୁ ଗୋଲ୍ରକ୍ଷକ ଗାଲିସେଙ୍କ ମୁଣ୍ଡ ଉପରେ ଚାଲି ଯାଇଥିଲା। ଫଳରେ ଖାଲି ଗୋଲ୍ ସମ୍ମୁଖରେ ବଲ୍ ମିଳିଥିଲା ଫ୍ରାନ୍ସର କିଲିଆନ୍ ଏମ୍ବାପେଙ୍କୁ; ଯେଉଁଥିରୁ ସେ ବଲ୍କୁ ନେଟ୍ ମଧ୍ୟକୁ ପଠାଇ ଦେଇଥିଲେ। ଏହି ଗୋଲ୍ଦେଇ ଏମ୍ବାପେ (୧୯ ବର୍ଷ ୧୮୩ ଦିନ) ବିଶ୍ୱକପ୍ରେ ଫ୍ରାନ୍ସର ସର୍ବକନିଷ୍ଠ ଗୋଲ୍ ସ୍କୋରର ହୋଇଛି। ପୂର୍ବରୁ ଏହି ରେକର୍ଡ ଡେଭିଡ୍ ଟ୍ୟାଜେଗ୍ୱେ (୨୦ ବର୍ଷ ୨୪୬ ଦିନ)ଙ୍କ ନାମରେ ଥିଲା। ଏହି ଗୋଲ୍ ବରଣ କରିବା ପରେ ପେରୁ କିଛି ସଂଘବଦ୍ଧ ଆକ୍ରମଣ କରିଥିଲା। ତେବେ ଫ୍ରାନ୍ସ ଡିଫେନ୍ସ ସେମାନଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ପେରୁ ଅଧିକ ଆକ୍ରମଣ କରିଥିଲା। ତେବେ ଏହାକୁ ପ୍ରତିହତ କରି ଫ୍ରାନ୍ସ ପୁଣି ଆକ୍ରମଣ ମୁଦ୍ରାକୁ ଫେରିଥିଲା। ଏହିପରି ଉଭୟ ଦଳଙ୍କ ମଧ୍ୟରେ ଆକ୍ରମଣ ପ୍ରତ୍ୟାକ୍ରମଣ ଚାଲିଥିଲା। ୭୪ ମିନିଟରେ ପେରୁ ଷ୍ଟ୍ରାଇକରଙ୍କ ହେଡର ଗୋଲ୍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ପେରୁର ତାରକା ଫରୱାର୍ଡ ପାଓଲୋ ଗ୍ୱୁରେରୋ କିଛି ଚମତ୍କାରିତା ଦେଖାଇ ପାରିନଥିଲେ।