ବାତ୍ୟା ପରେ ବାତ୍ୟା ଆସୁଛି, ଘର ପାଇବାରୁ ବଞ୍ଚିତ ରବି

କଣ୍ଟାପଡ଼ା : ସାମୁଦ୍ରିକ ବାତ୍ୟା ଫଣିକୁ ଯିବାରେ ବର୍ଷେ ବିତିଲା, ପୁଣି ଏବେ ଆସୁଛି ସମ୍ଭାବ୍ୟ ବାତ୍ୟା ଅମ୍ପନ। ଫଣି ବାତ୍ୟାରେ ସମ୍ପୂର୍ଣ୍ଣ ଘରଦ୍ୱାର ହରାଇଥିବା କଣ୍ଟାପଡ଼ା ବ୍ଲକ୍‍ ଅନ୍ତର୍ଗତ ବ୍ରାହ୍ମଣବାଟୀ ପଞ୍ଚାୟତ ଅଧିନ ସାନମୂଳାଇ ଗ୍ରାମର ରବିନାରାୟଣ ଜେନା ଘରେ ଖଣ୍ଡେ ପାଇବା ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଢା ହେଉଥିଲେ ମଧ୍ୟ କୌଣସି ରାଜନେତା, ନିର୍ବାଚିତ ଜନପ୍ରତିନିଧି କିମ୍ବା ବ୍ଲକ୍‍ ପ୍ରଶାସନ ଶୁଣିବାକୁ କେହି ନାହିଁ। ରବିନାରାୟଣଙ୍କର ୨ ପୁଅ ଓ ସ୍ତ୍ରୀଙ୍କୁ ନେଇ ସଂସାର। ନିଜେ କୃଷିଶ୍ରମିକ ଭାବେ ଗାଁଗଣ୍ଡାରେ କାମଧନ୍ଦା କରୁଥିବା ବେଳେ ବଡ଼ପୁଅ ରଞ୍ଜନ ଗୁଜୁରାଟରେ ଦାଦନ ଖଟନ୍ତି। ଯାହା ଯେତିକି ରବି ରୋଜଗାର କରନ୍ତି ତାହା ଘର ଚଳାଇବାକୁ ନିଅଣ୍ଟ ପଡ଼ୁଥିବା ବେଳେ ପକ୍କାଘର ଖଣ୍ଡିଏ କରିବାର ସ୍ୱପ୍ନ ତାଙ୍କର ଏ ପର୍ଯ୍ୟନ୍ତ ପୂରଣ ହୋଇ ପାରି ନାହିଁ। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସମାଜସେବୀ ସଞ୍ଜୟକୁମାର ରାଉତରାୟ ଓ ବିଶ୍ୱରଞ୍ଜନ କାନୁନ୍‍ଗୋ ଦାବି କରିଛନ୍ତି। ଏ ସମ୍ବନ୍ଧରେ କଣ୍ଟାପଡ଼ା ବିଡିଓ କେ. ଅଶୋକ କୁମାରଙ୍କୁ ପଚାରିବାରେ ସେ କହିଥିଲେ ବର୍ତ୍ତମାନ ପରିସ୍ଥିତିରେ କରୋନା ନିୟନ୍ତ୍ରଣକୁ ନେଇ ପ୍ରଶାସନ ବ୍ୟସ୍ତ। ଏହି ବିପଦ ଟଳିବା ପରେ ତାଙ୍କୁ ଆଇନଗତ ଭାବେ ତଦନ୍ତ କରାଯାଇ ପକ୍କାଘର ଦେବାର ବ୍ୟବସ୍ଥା କରାଯିବ।

Comments are closed.