www.samajalive.in
Sunday, December 14, 2025
19.1 C
Bhubaneswar

ଚାଷୀଙ୍କୁ ଗାଈ ଋଣ ମହଙ୍ଗା, କନ୍ଦାଉଛି ବ୍ୟାଙ୍କ

ଟିଟିଲାଗଡ଼:  ଚାଷୀବର୍ଗଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ସହ ସ୍ୱଳ୍ପ ସୁଦ୍ଧରେ ଋଣ ପ୍ରଦାନ କରାଯାଉଥିବା ସରକାରୀ ସ୍ତରରେ ଡିଣ୍ଡିମା ପିଟା ଚାଲିଛି। ହେଲେ ତାହା ଅନ୍ଧକୁ ଦର୍ପଣ ଦେଖା ସାବ୍ୟସ୍ତ ହୋଇଥିବା ଟିଟିଲାଗଡ ବ୍ଲକ କତରକେଲା ଗ୍ରାମର ଚାଷୀଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ମତେ ଗ୍ରାମର ନିରୁପମା ସାହୁ ସରକାରଙ୍କ ଡାଏରୀ ଇନ୍ଟରପ୍ରେନରସିପ ଡେଭଲପମେନ୍ଟ ସ୍କିମ (ଡିଇଡିଏସ)ରେ ନିଜ ଚାଷ ଜମି ଟିଟିଲାଗଡ ସମବାୟ ବ୍ୟାଙ୍କରେ ବନ୍ଧା ପକାଇ ଗାଈ ଋଣ ଆବେଦନ କରିଥିଲେ। ବ୍ୟାଙ୍କ ପକ୍ଷରୁ ଏନେଇ ୮ଟି ଗାଈ, ଗୁହାଲ ନିର୍ମାଣ, କ୍ଷୀର ଦୁହିଁବା ମେସିନ, ବିଦ୍ୟୁତି କରଣ ଆଦି ସମସ୍ତ କାର୍ଯ୍ୟ ନେଇ ୪,୯୪,୦୦୦ ଟଙ୍କା ଡିସେମ୍ବର ୨୦୧୮ରେ ମଞ୍ଜୁର ହୋଇଥିଲା। ହେଲେ ଚାଷୀ ଗୁହାଳ ସମେତ ସମସ୍ତ ଆନୁସାଙ୍ଗିକ ମେସିନ ବସାଇବା କାର୍ଯ୍ୟ ସମ୍ପନ୍ନ ସହ ୮ଟି ଉନ୍ନତମାନର ଗାଈ କ୍ରୟ କରିସାରିଥିବା ବେଳେ ତାଙ୍କୁ ଅଦ୍ୟାବଧି ମାତ୍ର ୩,୫୦,୦୦୦ ଟଙ୍କା ହିଁ ସମବାୟ ବ୍ୟାଙ୍କ ପ୍ରଦାନ କରିଥିବା ଜଣାଯାଇଛି। ଦେଢ ବର୍ଷରୁ ଅଧିକ ସମୟ ବିତିଯାଇଥିବା ବେଳେ ଚାଷୀ ବାରମ୍ବାର ବକେୟା କିସ୍ତି ପାଇଁ ସୁଦୁର ଟିଟିଲାଗଡ ବ୍ୟାଙ୍କକୁ ଧାଇଁ ଧାଇଁ ନୟାନ୍ତ ହୋଇପଡିଥିବା କହିଛନ୍ତି। ଚାଷୀ ଋଣ ବାବଦକୁ ୧,୪୪, ୦୦୦ ଟଙ୍କା ବ୍ୟାଙ୍କରୁ ପାଇବାକୁ ଥିବା ବେଳେ ୪ଟି ଗାଈର ମୂଲ୍ୟ ବିକ୍ରେତାଙ୍କୁ ଦେଇ ପାରିନଥିବା କହିଛନ୍ତି। ଏନେଇ ବିକ୍ରେତା ପ୍ରତିଦିନ ଚାଷୀଙ୍କ ଘରକୁ ଧାଉଁଛି।

ଅନ୍ୟପକ୍ଷରେ ଯୋଜନା ନେଇ ସବସିଡି ବାବଦକୁ ୧,୨୩,୫୦୦ ଟଙ୍କା ଏବଂ ଚାଷୀଙ୍କ ଦ୍ୱାରା ଜମା ମାର୍ଜିନ ଟଙ୍କା ୩୫,୦୦୦ ବ୍ୟାଙ୍କ ପାଖରେ ଜମା ରହିଛି। ଏହା ସହ ଚାଷୀ ୩୫,୦୦୦ ଟଙ୍କା ଋଣ ବାବଦକୁ ପରିଶୋଧ ମଧ୍ୟ କରିସାରିଲେଣି। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଚାଷୀଙ୍କୁ ୧,୧୦,୦୦୦ ଟଙ୍କା ଜମା କଲେ ଋଣର ୧,୪୪,୦୦୦ ଟଙ୍କା ରିଲିଜ କରାଯିବ ବୋଲି କହିଥିବା ଅଭିଯୋଗ ହୋଇଛି। ଚାଷୀ ୧,୧୦,୦୦୦ ଟଙ୍କା ଜମା ଯଦି କରିବ ତେବେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ଅଧିକ ମାତ୍ର ୩୪,୦୦୦ ଟଙ୍କା ପ୍ରଦାନ କରାଗଲେ ଚାରୋଟି ଗାଈର ମୂଲ୍ୟ କିଭଳି ବିକ୍ରେତାଙ୍କୁ ଦେବେ ସେ ନେଇ ଚିନ୍ତାରେ ପଡିଛନ୍ତି। ଅପରପକ୍ଷରେ ଚାଷୀଙ୍କୁ ପ୍ରଥମ ଋଣ କିସ୍ତି ପ୍ରଦାନରେ ମଧ୍ୟ ବ୍ୟାଙ୍କରେ ଟଙ୍କା ନାହିଁ ବୋଲି କହି ୬ରୁ ୮ମାସ ପର୍ଯ୍ୟନ୍ତ ବିଲମ୍ବ କରାଯାଇଥିବା ୧୨ ପ୍ରତିଶତ ସୁଦ୍ଧ ପ୍ରଦାନ ପାଇଁ ଚାପ ପକାଯାଉଥିବା ଅଭିଯୋଗ ହୋଇଛି। ସମ୍ପ୍ରତି କରୋନା ନେଇ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେଲା ଚାଷୀଙ୍କ ଦୁଗ୍ଧ ଓମଫେଡ ପକ୍ଷରୁ ନେଇ ଅଚଳାବସ୍ଥା ଦୂର ହୋଇନଥିବା ବେଳେ ଚାଷୀ ଦୁର୍ଦଶା ଭୋଗୁଛନ୍ତି। ବ୍ୟାଙ୍କର ଟାଳଟୁଳ ନୀତି ନେଇ ଚାଷୀ ପରିବାର ସରକାରୀ ଯୋଜନା ନେଇ ହିନସ୍ତା ହେବା ସାର ହୋଇଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଲୋକନାଥ ସାହୁ, ଜ୍ୟୋତିପ୍ରସାଦ ସାହୁ, ରେଣୁକା ସାହୁ ମଧ୍ୟ ଯୋଜନା ନେଇ ସମାନ ଧରଣର ହନ୍ତସନ୍ତ ହେଉଥିବା କହିଛନ୍ତି। ବ୍ୟାଙ୍କ ଗୁଡିକ ପକ୍ଷରୁ ନିରବ ମୋଦୀ, ବିଜୟ ମାଳ୍ୟା, ମେହୁଲ ଚୌକସି ଭଳି ଧନିକ ମାନଙ୍କୁ ଋଣ ପ୍ରଦାନରେ କୌଣସି ବିପଦ ନଥିବା ବେଳେ ଚାଷୀ ନିଜ ଜମି ବନ୍ଧା ଦେଇ ଏଭଳି ହଇରାଣ ହରକତ ହେବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବ୍ୟାଙ୍କ ପରିଚାଲକ ଜୀବର୍ଦ୍ଧନ ରଣାଙ୍କୁ ପଚାରିବାରୁ କୋର୍ଟ ବନ୍ଦ ଥିବାରୁ ଠିକଣା ସମୟରେ ସେମାନେ କାଗଜପତ୍ର କରିପାରିନାହାନ୍ତି, ନିୟମ ମୁତାବକ କିସ୍ତି ଭରିଲେ ବକେୟା ଋଣ ପ୍ରଦାନ କରାଯିବ ବୋଲି କହିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories