ଓଜନ କମାଇବା ପାଇଁ ଚାହୁଁଛନ୍ତି.. କରନ୍ତୁ ଏହି ବ୍ୟାୟାମ
ଦେଶୀ ରାଷ୍ଟ୍ରରେ ବିଦ୍ୟାଳୟ-ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ହୁଲାହୁପ୍ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଏ। ଏହି ବ୍ୟାୟାମରେ ପୂରା ଶରୀର କାର୍ଯ୍ୟ କରୁଥିବାର ଜଣାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ଏକ ପ୍ରମୁଖ ସମସ୍ୟା ହୋଇଛି। ଖାଦ୍ୟପେୟ ସହ ଜୀବନଶୈଳୀ କାରଣରୁ ଅଧିକାଂଶଙ୍କ ଓଜନ ବଢ଼ୁଛି। ଏଭଳି ସମୟରେ ନିୟମିତ ଭାବେ ୧୫-୨୦ ମିନିଟ୍ ହୁଲାହୁପ୍ କଲେ ଓଜନ କମ୍ ହୋଇପାରିବ। ଆମେରିକୀୟ ଅଧ୍ୟୟନରୁ ପ୍ରକାଶିତ ଯେ ଶୀଘ୍ର ଓଜନ କମ୍ କରିବାକୁ ଚାହୁଁଥିବା ବର୍ଗର ଲୋକେ ଏଇ ପ୍ରକ୍ରିୟାକୁ ଆପଣେଇବା ଉଚିତ। ଦୈନିକ ୧୫ ମିନିଟ୍ ହୁଲାହୁପ୍ କରୁଥିବା ୧୦୦ଜଣ ବ୍ୟକ୍ତିଙ୍କର ୬ ସପ୍ତାହ ପରେ ପରୀକ୍ଷା କରାଯାଇଥିଲା। ଅଧିକାଂଶଙ୍କ ଓଜନ ୪-୫ କିଲୋ ହ୍ରାସ ପାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ହୁଲାହୁପ୍ କଲେ ଅସ୍ତବ୍ୟସ୍ତ ଲାଗିଥାଏ। ନିୟମିତ ଭାବେ ଅଳ୍ପଅଳ୍ପ ସମୟ ଅଭ୍ୟାସ କରିବା ପରେ ହିଁ ଜଣେ ବ୍ୟକ୍ତି ୧୫ ମିନିଟ୍ ଅନବରତ ହୁଲାହୁପ୍ କରିପାରେ।