www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ହେଲ୍ପଲାଇନ ‘ଭରସା’ର ଶୁଭାରମ୍ଭ କଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ

ଜୟପୁର : କୋଭିଡ-୧୯ ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ଚାପରେ ରହିଥିବା ଛାତ୍ର ସମୁଦାୟକୁ ମାନସିକ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଭିନବ ସେବା ‘ଭରସା’ର ଶୁଭାରମ୍ଭ କରାଯାଇଛି । ଏହା ଏକ ଜ୍ଞାନଗତ ମାନସିକ ପରାମର୍ଶ ସେବା ଯାହାକି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଥର ଲାଗି ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀ ୮୦୪୬୮୦୧୦୧୦ ହେଲ୍ପଲାଇନ ନମ୍ବରକୁ ଫୋନ କରି ‘ଭରସା’ ସେବାର ଲାଭ ଉଠାଇପାରିବେ ।

ସେମବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ‘ନିଶଙ୍କ’ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବାକୁ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ  ଅମିତ ଖାରେ, ରାଜ୍ୟ ଉଚ୍ଚ ଶିକ୍ଷା ସଚିବ ତଥା କମିଶନର ଶାଶ୍ୱତ ମିଶ୍ର, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଚନ୍ଦ୍ରଶେଖର କୁମାର ପ୍ରମୁଖ ଏହି ଅବସରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ଏହି ଅବସରରେ ଶ୍ରୀ ପୋଖରିୟାଲ କହିଥିଲେ ଯେ କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଦେଶ ବର୍ତମାନ ଏକ ସଙ୍କଟପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହାମାରୀ ନିୟନ୍ତ୍ରଣ ଲାଗି ଭାରତ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ । ନୂଆ ଶିକ୍ଷାବର୍ଷ ଏବଂ ଇଣ୍ଟରନେଟ ମାଧ୍ୟମରେ ଶିକ୍ଷାଦାନ ଦିଗରେ ପଦକ୍ଷେପ ନିଆଯିବା ଉପରେ ସେ ଜୋର ଦେଇଥିଲେ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବା ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପଦକ୍ଷେପ ସେ ଦିଗରେ ଏକ ବିଶେଷ ଭାବେ ଯୋଗଦାନ ଦେଇପାରିବ । ସେ ବିଧିବଦ୍ଧ ଭାବେ ଏହି ହେଲ୍ପଲାଇନର ଶୁଭାରମ୍ଭ କରିବା ସହିତ ଏହା ଛାତ୍ରଛାତ୍ରୀ, ଅଭିଭାବକ ଓ ଅନ୍ୟମାନଙ୍କ ପାଇଁ ବିଶେଷ ଲାଭପ୍ରଦ ହେବ ବୋଲି କହିଥିଲେ । ଏହି ଅବସରରେ ଉପସ୍ଥିତ କୁଳପତି, ବିଭିନ୍ନ ସଂସ୍ଥାନର ମୁଖ୍ୟ, ରେଜିଷ୍ଟ୍ରାର ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନଙ୍କୁ ସେ ଶୁଭକାମନା ଜଣାଇଥିଲେ। ଭରସା ଭଳି ପ୍ରୟାସର ଅନୁକରଣ କରିବା ଲାଗି ସେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦେଇଥିଲେ।

- Advertisement -

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ ‘ଭରସା’ ହେଲ୍ପଲାଇନର ବିଭିନ୍ନ ବୈଶିଷ୍ଟ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଏହା କୋଭିଡ-୧୯ ମହାମାରୀ ସମୟରେ ଚାପରେ ଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବା ଲାଗି ମାନସିକ ପରାମର୍ଶ ଯୋଗାଇ ଦେବ। ସେ କହିଥିଲେ ଯେ ଓଡ଼ିଶାର ଯେକୌଣସି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ସେବାର ସୁବିଧା ନେଇପାରିବେ । ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବା ସମୟରେ ଏହି ହେଲ୍ପଲାଇନକୁ ୪୦୦ରୁ ଅଧିକ ଫୋନ କଲ ଆସିଥିବା ସେ ସୂଚନା ଦେଇଥିଲେ। ଭରସା ପ୍ରୟାସର ଶୁଭାରମ୍ଭ କରାଯିବାରେ କୋରାପୁଟ ଜିଲ୍ଲାପାଳମଧୁସୂଦନ ମିଶ୍ରଙ୍କର ବିଶେଷ ଯୋଗଦାନ ରହିଛି।

ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏପରି ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ କରୋନା ମହାମାରୀ ସମୟରେ ମାନସିକ ଚାପରେ ଥିବା ଛାତ୍ରଛାତ୍ରୀଙ୍କୁ ଏହା ବିଶେଷ ଭାବେ ସହାୟକ ହୋଇପାରିବ ।
ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସଂଘ ଭରସା ହେଲ୍ପଲାଇନର ସହଯୋଗୀ ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହିତ କାର୍ଯ୍ୟ କରିବ। ଏହି ଅବସରରେ ସଂଘର ସଭାପତି ଡ. ମୀନା ହରିହରନ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।
ଏହି ଅବସରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀ, ଅଧ୍ୟାପକ, ଗବେଷକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories