ସହିଦ ଯବାନ ଆଉରଙ୍ଗଜେବ୍ଙ୍କ ପରିବାରକୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀନଗର : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଭାରତୀୟ ସେନାର ସହିଦ ଯବାନ ଆଉରଙ୍ଗଜେବ୍ଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। ଭାରତୀୟ ସେନା ବାହନୀର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହିତ ସୀତାରମଣ ସହିଦ ଯବାନଙ୍କ ଜାମ୍ମୁ କାଶ୍ମୀର ଅନ୍ତର୍ଗତ ପୁଞ୍ଚସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ଆଉରଙ୍ଗଜେବ୍ଙ୍କୁ ନିର୍ମମ ଓ ବର୍ବରୋଚିତ ହତ୍ୟା ଘଟଣାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୋକସନ୍ତପ୍ତ ପରିବାରବର୍ଗକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଇଦ୍ ପାଳନ ଲାଗି ଆଉରଙ୍ଗଜେବ୍ ଜୁନ୍ ୧୪ରେ ନିଜ ଗ୍ରାମକୁ ଫେରିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ପୁଲୱାମା ଜିଲାରୁ ଅପହରଣ କରିନେଇ ଥିଲେ। ବିଳମ୍ବିତ ରାତିରେ ସୁରକ୍ଷାବାହିନୀ ତାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରିଥିଲା। ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସମୀର ଟାଇଗରର ଏନ୍କାଉଣ୍ଟରରେ ଆଉରଙ୍ଗଜେବ୍ ସାମିଲ ଥିବାରୁ ଆତଙ୍କବାଦୀମାନେ ହିଂସାପରାୟଣ ହୋଇ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଇଙ୍ଗିତରେ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ଭାରତୀୟ ଗୁଇନ୍ଦା ସୂତ୍ରରୁ ଜଣାପଡିଛି।