ପାଠ ପଢିବା ପରେ ଚାକିରୀ ମଧ୍ୟ କରିଥିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧି ୪୮ବର୍ଷରେ ପଦାର୍ପଣ କରିଛନ୍ତି। ରାହୁଲ ରାଜନୀତିରେ ୨୦୦୪ରେ ଆରମ୍ଭ କରିଥିଲେ। ସେତେବେଳେ ସେ ମାତ୍ର ୩୪ବର୍ଷରେ ପଦାର୍ପଣ କରିଥିଲେ। ଆସନ୍ତୁ ଜାଣିବା ରାଜନୀତିରେ ଆସିବା ପୂର୍ବରୁ କିପରି ଥିଲା ରାହୁଲଙ୍କ ଜୀବନ ଓ ଶିକ୍ଷାଗତ ଯୋଗ୍ୟତା।
ରାହୁଲଙ୍କ ଜନ୍ମ ୧୯ଜୁନ ୧୯୭୦ରେ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧିଙ୍କ ବାସଭବନରେ ହୋଇଥିଲା। ନେହେରୁ- ଗାନ୍ଧି ପରିବାର ୪ର୍ଥ ପିଢୀ ଭାବରେ ରାହୁଲ ଜନ୍ମଗ୍ରହଣ କରିଥିଲେ। ରାହୁଲଙ୍କୁ ପାଠ ପଢା ବାରମ୍ଭାର ମଝିରେ ଛାଡ଼ିବାକୁ ପଡ଼ିଥିଲା। ଏପରିକି ତାଙ୍କ ନାମ ପରିବର୍ତ୍ତନ କରି ପାଠ ପଢିବାକୁ ପଢିଥିଲେ ରାହୁଲ। ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ପଡ଼ିଥିଲା।
ରାହୁଲଙ୍କ ପାଠ ପଢା ଦିଲ୍ଲୀ ମଡ଼େଲ ସ୍କୁଲରେ ଆରମ୍ଭ ହୋଇଥିଲା। ପରେ ରାହୁଲ ଅଧିକ ପଢିବା ପାଇଁ ଡୁନ୍ ସ୍କୁଲରେ ଭର୍ତ୍ତି ହୋଇଥିଲେ। ଦେରାଦୁନର ଏହି ସ୍କୁଲରେ ରାଜୀବ ଗାନ୍ଧି ମଧ୍ୟ ପାଠ ପଢିଥିଲେ।
୧୯୮୪ରେ ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ରାହୁଲଙ୍କ ପାଠ ପଢା ସ୍ଥଗିତ ହୋଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ରାହୁଲଙ୍କୁ ଘରେ ରହି ଅବଶିଷ୍ଟ ପାଠ ପଢିବାକୁ ପଡ଼ିଥିଲା। ୧୯୮୯ପର୍ଯ୍ୟନ୍ତ ରାହୁଲ ସ୍କୁଲ ଯାଇ ନଥିଲେ। ୧୯୮୯ରେ ଦିଲ୍ଲୀ ସ୍ଟିଫେନ କଲେଜରେ ରାହୁଲ ନାମ ଲେଖାଇ ଥିଲେ। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ମଧ୍ୟ ପାଠ ପଢା ଅଧାରେ ବନ୍ଦ କରି ରାହୁଲ ଆମେରିକା ଚାଲିଗଲେ। ୧୯୯୦ରେ ରାହୁଲ ହାର୍ବାଡ଼ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହେଲେ। ତେବେ ୧୯୯୧ରେ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ଏଠାରେ ମଧ୍ୟ ପାଠ ପଢା ବନ୍ଦ କରିବାକୁ ପଡ଼ିଥିଲା। ହାର୍ବଡ଼ ଛାଡ଼ିବା ପରେ ୧୯୯୧ରୁ ୧୯୯୪ପର୍ଯ୍ୟନ୍ତ ରାହୁଲ ରୋଲିଙ୍ଗ୍ସ କଲେଜରେ ନାମ ଲେଖାଇଲେ। ଏହି କଲେଜରୁ ରାହୁଲ ଗ୍ରାଜୁଏଟ ହେଲେ। ପରେ କେମ୍ବ୍ରିଜର ଟିନିଟି କଲେଜରୁ ରାହୁଲ ଏମଫିଲ କଲେ। ୩ ବର୍ଷ ପର୍ଯ୍ୟନ୍ତ ଇଂଲଣ୍ଡରେ ମୋନିଟର ଗ୍ରୁପ ପାଇଁ କାର୍ଯ୍ୟ ମଧ୍ୟ କରିଥିଲେ। ଏହି ଗ୍ରୁପ୍ ମେନେଜମେଣ୍ଟ ଗୁରୁ ମାଇକେଲ ପୋର୍ଟରର ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ ରାହୁଲ ନାମ ପରିବର୍ତ୍ତନ କରି ପାଠ ପଢିଛନ୍ତି। ୨୦୦୪ରେ ରାହୁଲ ରାଜନୀତିରେ ପଦାର୍ପଣ କଲେ। ୨୦୦୪ରେ ହିଁ ରାଜୀବଙ୍କ ନିର୍ବାଚନ କ୍ଷେତ୍ର ଆମେଠିରୁ ସେ କଂଗ୍ରେସ ସାଂସଦ ଭାବରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।