ଆତଙ୍କର ଉପତ୍ୟକା

0

କେନ୍ଦ୍ର ସରକାର ରବିବାର କାଶ୍ମୀର ଉପତ୍ୟକାରେ ସେନାର ଆତଙ୍କବାଦୀ ଦମନ ଅଭିଯାନକୁ ପୁଣିଥରେ ବାହାଲ କରିବାକୁ ନିର୍ଦେଶ ଦେବା ସ୍ବାଗତଯୋଗ୍ୟ ପଦକ୍ଷେପ। ଅବଶ୍ୟ ଏହା ବ୍ୟତୀତ ଅନ୍ୟକିଛି ଉପାୟ ବି ନଥିଲା। ରମଜାନ ମାସରେ ସେଠାକାର ସ୍ଥିତିରେ ଶାନ୍ତି ବଜାୟ ରହିବ ବୋଲି ଯାହା ଚିନ୍ତା କରାଯାଉଥିଲା, ତାହା ହୋଇନାହିଁ; ବରଂ ଉପତ୍ୟକା ଅଧିକ ଅଶାନ୍ତ ଓ ଆତଙ୍କିତ ହୋଇଉଠିଛି। ନିକଟରେ ‘ରାଇଜିଂ କାଶ୍ମୀର’ ଖବରକାଗଜର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଶୁଜାତ ବୁଖାରୀ ଏବଂ ଜଣେ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଯେପରି ହତ୍ୟା କରିଛନ୍ତି, ତାହା ସମଗ୍ର ଉପତ୍ୟକାର ଭୟଙ୍କର ପରିସ୍ଥିତିକୁ ଚିହ୍ନାଇ ଦେଇଛି। ଶୁଜାତ କେବଳ ଜଣେ ମୁକ୍ତ ଚିନ୍ତନକାରୀ ନିର୍ଭୀକ ସାମ୍ବାଦିକ ନଥିଲେ, ବରଂ କାଶ୍ମୀର ଉପତ୍ୟକାରେ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ସର୍ବଦା ଚେଷ୍ଟିତ ଥିଲେ। ସେଇଥିପାଇଁ ସେ ଆତଙ୍କବାଦୀଙ୍କ ନିଶାଣରେ ରହିଥିଲେ। ତାଙ୍କ ହତ୍ୟାପରେ ଏବେ ସେଠାରେ ସାମ୍ବାଦିକଙ୍କ ମଧ୍ୟରେ ବି ଆତଙ୍କ ସୃଷ୍ଟି ହୋଇଥିବା ଖବର ଆସୁଛି, ଯାହା ସ୍ବାଭାବିକ। ତେବେ ଖବରଦାତାମାନେ ଯଦି ନିର୍ଭୀକ ଭାବେ ଖବର ସଂଗ୍ରହ କରିପାରିବେ ନାହିଁ କିମ୍ବା ଲେଖନୀ ଚାଳନା କରିପାରିବେ ନାହିଁ, ତା’ହେଲେ ତାହାଠୁ ବଳି ଦୁର୍ଭାଗ୍ୟଜନକ କଥା କିଛି ନାହିଁ।
ଶୁଜାତଙ୍କ ହତ୍ୟାର ପୂର୍ବଦିନ ସୀମାପାର ହୋଇଥିବା ଗୁଳିବର୍ଷଣରେ ଆମର ଚାରି ଯବାନ ସହିଦ ହୋଇଥିଲେ। ଗୋଟିଏ ପଟେ ଜାମ୍ମୁକାଶ୍ମୀର ଭିତରେ ଆତଙ୍କବାଦୀଙ୍କ ଆତଙ୍କ, ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ଉତ୍ପାତ, ଅନିୟନ୍ତ୍ରିତ ଯୁବକଙ୍କ ଟେକାପଥର ମାଡ଼ ଓ ଅନ୍ୟପଟେ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଏସବୁ ମିଶି ଯେଉଁ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି, ତା’କୁ ପ୍ରତିହତ କରିବା ଜରୁରୀ ହୋଇପଡ଼ିଛି। ଏପରିକି ଇଦ୍‌ ଦିନ ମଧ୍ୟ ଲୋକେ ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷ କରିବାକୁ ପଛେଇ ନାହାନ୍ତି। ସେମାନେ ପାକିସ୍ତାନର ପତାକା ଧରି ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଦେଖାଯାଇଛି। ଏଥିରୁ ସେହି ଲୋକମାନେ କାହାର ଇସାରାରେ ପରିଚାଳିତ ହେଉଛନ୍ତି, ତାହା ଚିହ୍ନିବା ଆଦୌ କଷ୍ଟକର ନୁହେଁ। ଯେଉଁ ସମୟରେ ଭାରତ ସରକାର ସେନାକୁ ସଂଯମ ରକ୍ଷା ପାଇଁ ନିର୍ଦେଶ ଦେଇଛନ୍ତି, ସେହି ସମୟ​‌େ​‌ର ଏଭଳି ଘଟନା ଘଟିବା ପାକିସ୍ତାନର ରଣନୀତି ବ୍ୟତୀତ ଅନ୍ୟକିଛି ହୋଇନପାରେ।
ପାକିସ୍ତାନ ସର୍ବଦା ଚେଷ୍ଟା କରିଅାସିଛି ଯେ କାଶ୍ମୀରକୁ ବିଶ୍ବର ଅନ୍ୟ ଦେଶଗୁଡ଼ିକ ଏକ ବିବାଦୀୟ ଅଞ୍ଚଳ ଭାବେ ଦେଖନ୍ତୁ। ତେଣୁ ସେଠାରେ ଯେ‌େ‌ତ ଅଶାନ୍ତି ସୃଷ୍ଟି କରିହେବ, ସେତିକି ପାକିସ୍ତାନ ପାଇଁ ଭଲ। ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଓ କାଶ୍ମୀରକୁ ଆତଙ୍କବାଦୀ ପ୍ରେରଣ କରି ସେହି ଦେଶ ତାହା ହିଁ ବାରମ୍ବାର ସୂଚାଇ ଆସିଛି। ଅତୀତରେ ଉଫାରେ ସାଙ୍ଘାଇ ସହଯୋଗ ସଙ୍ଗଠନ ବୈଠକରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ ସୀମାରେ ନିଶ୍ଚିତ ଶାନ୍ତି ପ୍ରତିଷ୍ଠା ପାଇଁ ଯେଉଁ ସମ୍ମତି ଆଦାନପ୍ରଦାନ ହୋଇଥିଲା, ତା’କୁ ଏବେ ପ୍ରବଳ ଧକ୍କା ଲାଗିଛି। କେନ୍ଦ୍ର ସରକାର ପୂର୍ବରୁ କହିଥିଲେ ​‌େ​‌ଯ ଯଦି ସୈନ୍ୟ ଅଭିଯାନ ବନ୍ଦ କରିବା ଫଳରେ ବାତାବରଣରେ ଶାନ୍ତି ଫେରିଆସେ, ତେବେ ଏହାର ଅବଧିକୁ ଆଗକୁ ମଧ୍ୟ ବଢ଼ାଯାଇପାରେ; କିନ୍ତୁ ତାହା ସମ୍ଭବ ହେଲା ନାହିଁ କି ନିକଟ ଭବିଷ୍ୟତରେ ମଧ୍ୟ ହେବାର ସମ୍ଭାବନା ଦେଖାଯାଉ ନାହିଁ। ଉଭୟ ଦେଶ ମଧ୍ୟରେ ତିକ୍ତତା ହ୍ରାସ ପାଇବା ବଦଳରେ ବଢ଼ିଚାଲିଛି। ତା’ର ଆଉ ଏକ ପ୍ରମାଣ ହେଲା ଏଥର ଇଦ୍‌ରେ ଅଟ୍ଟାରୀ-ୱାଘା ସୀମାରେ ଉଭୟ ଦେଶର ଯବାନଙ୍କ ମଧ୍ୟ ମିଠା ଦିଆନିଆ ହୋଇନାହିଁ, ଯାହା ଏକ ପରମ୍ପରା। ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଆତଙ୍କବାଦ-ବିରୋଧୀ ଅଭିଯାନକୁ ପୁନଃ କାର୍ଯ୍ୟକାରୀ କରିବା ଯଥାର୍ଥ। ଭୁଲିଯିବା ଅନୁଚିତ ଯେ ଗତବର୍ଷ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଅତଏବ ଚଳିତବର୍ଷ ଏ ନେଇ ସୁରକ୍ଷାକର୍ମୀଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ।
ଅପରପକ୍ଷେ, ଭାରତ ପ୍ରଶାସିତ କାଶ୍ମୀର ଉପରେ ଜାତିସଙ୍ଘର ମାନବାଧିକାର ଉଚ୍ଚାୟୁକ୍ତ ଜାୟଦ ରାଡ ଅଲ-ହୁସୈନଙ୍କ ରିପୋର୍ଟକୁ ଭାରତ ତତ୍କାଳ ଅଗ୍ରାହ୍ୟ ଘୋଷଣା କରିବା ଯଥାର୍ଥ। ଏଥିରେ ଅନେକ ବିବାଦୀୟ ବିଷୟ ସ୍ଥାନ ପାଇଛି, ଯାହା ଆଦୌ ତଥ୍ୟାଶ୍ରୟୀ ମନେହେଉ ନାହିଁ। ଏହି ରିପୋର୍ଟରେ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଦର୍ଶାଯିବା ସହ ତା’ର ତଦନ୍ତ ହେବା ଆବଶ୍ୟକ ବୋଲି କୁହାଯାଇଛି, ଯାହା ସ୍ପଷ୍ଟରୂପେ ଭାରତର ଏକତା ଓ ସାର୍ବଭୌମତ୍ବ ପ୍ରତି ଅବମାନନା। ସର୍ବାଧିକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଥିରେ ଯେଉଁ ଶବ୍ଦାବଳୀ ବ୍ୟବହାର କରାଯାଇଛି ତାହା ଘୋର ଆପତ୍ତିଜନକ ଏବଂ ଜାତିସଙ୍ଘ ନିୟମ ପରିପନ୍ଥୀ ମଧ୍ୟ। ଜାତିସଙ୍ଘ ଲସ୍କର-ଏ-ତୋଇବା ଓ ଜୈସ୍‌-ଏ-ମହମ୍ମଦକୁ ଆନ୍ତର୍ଜାତିକ ଆତଙ୍କବାଦୀ ସଂଗଠନ ବୋଲି ସ୍ବୀକାର କରିଥିବାବେଳେ ଏହି ରିପୋର୍ଟରେ ସେମାନଙ୍କ ପାଇଁ ‘ଅସ୍ତ୍ରଧାରୀ ସମୂହ’ ବୋଲି ଲେଖାଯାଇଛି। ସେହିପରି ପାକିସ୍ତାନ ପ୍ରଶାସିତ କାଶ୍ମୀରକୁ ବାରମ୍ବାର ‘ସ୍ବାଧୀନ ଜାମ୍ମୁ ଓ କାଶ୍ମୀର’ ବୋଲି ଉଲ୍ଲେଖ ରହିଛି। ଭାରତ ପକ୍ଷରୁ ଯଥାର୍ଥରେ କୁହାଯାଇଛି ଯେ ପାକିସ୍ତାନ ପକ୍ଷରୁ ବାରମ୍ବାର କାଶ୍ମୀର ସୀମାରେ ଆତଙ୍କବାଦୀଙ୍କୁ ପଠାଯାଇ ଲୋକଙ୍କୁ ହତ୍ୟା କରାଯାଉଛି, ଯାହା ମାନବାଧିକାରର ଘୋର ଉଲ୍ଲଙ୍ଘନ; କିନ୍ତୁ ସେ ବିଷୟରେ ପଦେହେଲେ ରିପୋର୍ଟରେ ଲେଖାଯାଇ ନାହିଁ। ସେ ଯାହାହେଉ, ଭାରତକୁ ଏ ବିଷୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ବିଶେଷତଃ, ଏହି ରିପୋର୍ଟକୁ ନେଇ ଆନ୍ତର୍ଜାତିକ ମଞ୍ଚରେ ପାକିସ୍ତାନ ଭାରତ ବିରୋଧରେ ଯେମିତି ଫାଇଦା ଉଠାଇବାକୁ ଚେଷ୍ଟା ନକରେ, ତା’କୁ ପ୍ରତିହତ କରିବାକୁ ହେବ।

Leave A Reply