କଲମପୁର : କଳାହାଣ୍ଡି ଭୌଗଳିକ ମାନଚିତ୍ରର ଅନ୍ୟ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ। ଏହି ଜଙ୍ଗଲ ମଧ୍ୟରେ ରହିଛି ଅନେକ ଛୋଟ ବଡ ଝରଣା। ବର୍ଷର ପ୍ରାୟ ୮ରୁ ୯ ମାସ ଏହି ଜଙ୍ଗଲରୁ ସୃଷ୍ଟି ହେଇଥିବା ଝରଣା ଝରୁଥାଏ। କିଛି ବଡ ଝରଣା ବର୍ଷ ତମାମ ଝରି ·ଲିଛି। ବାଘ, ଭାଲୁ, ହରିଣ ଓ ବାର୍ହା ଭଳି ବହୁ ଜଙ୍ଗଲି ଜନ୍ତୁଙ୍କ ସମେତ ମୟୁର ଆଦି ଲୁପ୍ତ ପ୍ରାୟ ପକ୍ଷୀଙ୍କ ନିବାସ ସ୍ଥଳି ଏହି ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ। ଏହାସହ ଏହି ଜଙ୍ଗଲ ମଧ୍ୟରେ ରହିଛି ବହୁ ଔଷଧିୟ ବୃକ୍ଷ। ଜଙ୍ଗଲ ଉପରେ ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଏହି ଜଙ୍ଗଲ ଏବେ ଦିନକୁ ଦିନ ଶ୍ରୀ ହୀନ ହେବାରେ ଲାଗିଛି। ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଶାଳ, ଶାଗୁଆନ ଭଳି ଗଛ ଶୂନ୍ୟ ହେଉଥିବା ବେଳେ ବହୁ ଜଙ୍ଗଲି ଜନ୍ତୁ ଓ ପକ୍ଷୀ ମଧ୍ୟ ଶୂନ୍ୟ ହେବାରେ ଲାଗିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଓ ବନ ବିଭାଗର ନିରବତା କାରଣରୁ ପ୍ରତି ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଏହି ଜଙ୍ଗଲ ପୋଡିବା ଆରମ୍ଭ ହେଇଥାଏ। କିନ୍ତୁ ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ଅପ୍ରେଲ ପ୍ରଥମ ସପ୍ତାହ ଠାରୁ ଜଙ୍ଗଲ ପୋଡୁଥିବା ଦେଖାଯାଉଛି।
ପ୍ରତି ବର୍ଷ ଜଙ୍ଗଲ ପୋଡିକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ମାଧ୍ୟମରେ ଜନ ସଚେତନତା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଲୋକଙ୍କ ମଧ୍ୟରେ ଜଙ୍ଗଲର ଉପକାରିତା ପାଇଁ ବନ ସମିତି ସବୁ ଗଠନ ହେଇଛି ଯାହା ଜଙ୍ଗଲ ନଷ୍ଟରୁ ରୋକିବାରେ ସହାୟକ ହେବ। ତଥାପି ଜଙ୍ଗଲରେ ନିଆଁ ଲାଗିବା କମୁ ନାହିଁ। ଗତ ଏକ ସପ୍ତାହ ମଧ୍ୟରେ ସିଙ୍ଗାରୀ ସଂରକ୍ଷିତ ଓ ଏହି ଜଙ୍ଗଲ ଅନ୍ତର୍ଗତ ଦେବଗିରୀ ଜଙ୍ଗଲ ଅଂଚଳରେ ନିଆଁ ଲାଗି ହେକ୍ଟର ହେକ୍ଟର ଜଙ୍ଗଲ ନିଆଁ ଲାଗି ଜଙ୍ଗଲର ବହୁ ବଡ ବଡ ଗଛ ସମେତ ଅନେକ ଔଷଧିୟ ଗଛ ନଷ୍ଟ ହେଉଛି। ଏହି ଜଙ୍ଗଲ ପୋଡି ଯୋଗୁଁ ବହୁ ଗଛ ର ମଞ୍ଜି ପୋଡି ପାଉଁଶ ହେଇଯାଉଛି। ଯେଉଁଥି ପାଇଁ ନୁତନ ଜଙ୍ଗଲ ସୃଷ୍ଟିରେ ପ୍ରତିବନ୍ଧକ ସାଜୁଛି। ବନ ବିଭାଗ ତରଫରୁ ନିଆଁ ଲିଭାଳି ଦଳ ନିୟୋଜିତ ହେଇଥିଲେ ମଧ୍ୟ ଦିନ ତମାମ ନିଆଁ ଲିଭାଇବାର ପ୍ରୟାସ କରିବା ବଦଳରେ ସଂଧ୍ୟାରେ ଜଙ୍ଗଲ ଭିତରକୁ ଯାଇ ନିଆଁ ଲିଭାଇବା ସମ୍ଭବ ହେଉ ନାହିଁ। ସୋମବାର ଦିନ ସଂଧ୍ୟା ସୁଦ୍ଧା ବନ ବିଭାଗର ସାଟେଲାଇଟରେ ଏହି ଜଙ୍ଗଲର ୮ ଗୋଟି ସ୍ଥାନରେ ନିଆଁ ଲାଗିଥିବା ଦର୍ଶାଯାଇଛି କିନ୍ତୁ ଜଙ୍ଗଲର ପ୍ରାୟ ୧୦ରୁ ଅଧିକ ସ୍ତାନରେ ନିଆଁ ଲାଗି ରହିଛି। ରାତି ତମାମ ଏହି ନିଆଁ ଲାଗି ରହିଥିବାରୁ ଲୋକଙ୍କ ମଧ୍ୟରେ ଆଲୋକ ମାଳା ରେ ସଜ୍ଜିତ ଉତ୍ସବ ସ୍ଥଳର ଭ୍ରମ ସୃଷ୍ଟି କରୁଛି। ବର୍ତମାନ ମହୁଲ ଗୋଟାଇବାର ସମୟ। କିଛି ମହୁଲ ଗୋଟାଳି ଗଛ ତଳର ପତ୍ରକୁ ପୋଡି ସଫା କରିବା ଉଦ୍ଦେଶ୍ୟରେ ନିଆଁ ଲଗାଇ ଦେଉଛନ୍ତି। ସେହି ନିଆଁ ଦ୍ୱାରା ଜଙ୍ଗଲ ପୋଡି ପାଉଁସ ହେଇଯାଉଛି। ସେହିଭଳି ଜଙ୍ଗଲିଆ ମାନେ ମଧ୍ୟ ଜଙ୍ଗଲକୁ ଯାଇ ବିଡି ଟାଣିବା ପାଇଁ ମାଚିସ ଜାଳି ଫିଙ୍ଗି ଦେଉଥିବାରୁ ଶୁଖିଲା ପତ୍ର ଓ ଡାଳରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଛି। ଏହାସହ ଅନେକ ଜଙ୍ଗଲ ନିକଟବର୍ତି ଗ୍ରାମ ଗୁଡିକର ଲୋକ ଜଙ୍ଗଲ ପୋଡି ପୋଡୁ ଚାଷ କରୁଥିବାରୁ ବିଶେଷ ଭାବେ ଜଙ୍ଗଲ ନଷ୍ଟ ହେଉଛି। ଏହି ଜଙ୍ଗଲ ପୋଡି ·ଷ କରୁଥିବା ଲୋକଙ୍କ ପ୍ରତି ବନ ବିଭାଗ ଆବଶ୍ୟକିୟ ପଦକ୍ଷେପ ନେଉନଥିବାରୁ ଜଙ୍ଗଲ ପୋଡି ବୃଦ୍ଧି ପାଉଛି। ଜଙ୍ଗଲ ମଧ୍ୟରେ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉନଥିବାରୁ ଜଙ୍ଗର ନିଆଁ ଓ ପାଣି ପାଇଁ ଜଙ୍ଗଲି ଜନ୍ତୁ ଜନ ବସତି ମୁହାଁ ହେବା ସହ ଶିକାରୀ କବଳରେ ପଡୁଛନ୍ତି। ତେଣୁ ତୁରନ୍ତ ଜଙ୍ଗଲ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।



