ଜୋରସୋରରେ ଚାଲିଛ କୋଭିଡ – ୧୯ ଆଇସୋଲେସନ ୱାର୍ଡ କୋଚର ନିର୍ମାଣ

ସମ୍ବଲପୁର : କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପି ଲକ୍ ଡାଉନ୍ କରାଯାଇଥିବା ବେଳେ ଯାତ୍ରୀବାହୀ ରେଳ ସେବାକୁ ଭାରତୀୟ ରେଳବାଇ ତରଫରୁ ବାତିଲ କରାଯାଇଛି। ତେବେ ଏହି ଆପଦା ପରିସ୍ଥିତିରେ ରେଳବାଇ ତାର ସାମାଜିକ ଗୁରୁଦାୟିତ୍ୱକୁ ବହନ କରି ଯାତ୍ରୀବାହୀ କୋଚ ଗୁଡିକୁ କୋଭିଡ – ୧୯ ଆଇସୋଲେସନ ୱାର୍ଡରେ ପରିବର୍ତ୍ତିତ କରି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସାହାଯ୍ୟ ଯୋଗାଇ ଦେଇଛି। କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଅତିକମରେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖାଯାଉଥିବା ବେଳେ ଆବଶ୍ୟକସ୍ଥଳରେ ତାଙ୍କୁ ମେଡିକାଲ ଦଳର ନଜରରେ ରଖାଯାଇ ଚିକିତ୍ସା କରାଯାଉଛି। କିନ୍ତୁ ଦେଶର ଜନସଂଖ୍ୟା ଅନୁପାତରେ ସେଭଳି ମେଡିକାଲ ୱାର୍ଡର ସୁବିଧା ଉପଲବ୍ଧ ନାହିଁ। ଏଣୁ ରେଳବାଇ ଏହାର ବିକଳ୍ପ ଖୋଜି ବାହାର କରି ତାର ଯାତ୍ରୀବାହୀ କୋଚ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ – ୧୯ ମେଡିକାଲ ୱାର୍ଡରେ ପରିବର୍ତ୍ତିତ କରିବାରେ ଲାଗି ପଡିଛି।

ଦେଶର ବିଭିନ୍ନ ରେଳ ଷ୍ଟେସନ ଗୁଡିକର କୋଚିଂ ଡିପୋ ମାନଙ୍କରେ ଏହି କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ସମ୍ବଲପୁର ଠାରେ ମଧ୍ୟ ୩୨ଟି କୋଚକୁ ୱାର୍ଡରେ ପରିବର୍ତ୍ତନ କାର୍ଯ୍ୟ ଚାଲୁ ରହିଛି। ସ୍ଲିପର କୋଚର ମଝିରେ ରହିଥିବା ବର୍ଥକୁ ସମ୍ପୁର୍ଣ୍ଣ ଭାବରେ ବାହାର କରିଦିଆଯାଇ ରୋଗୀ ଉପଯୋଗୀ ବେଡ ନିର୍ମାଣ କରାଯାଇଛି। ଗୋଟିଏ କୋଚରେ ୯ ଜଣ ରୋଗୀଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି। ରୋଗୀ ମାନଙ୍କର ସୁବିଧା ପାଇଁ ମୋବାଇଲ, ଲାପଟଫ ଚାର୍ଜର ସୁବିଧା, ପ୍ଲାଷ୍ଟିକ ପରଦା, ବିଭିନ୍ନ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ସ୍ଥାନ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା କରାଯାଉଛି। ପ୍ରତି କୋଚ ମଧ୍ୟରେ ଔଷଧ ରଖିବା ଓ ପାରାମେଡିକାଲ ଦଳ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। କୋଚର ଟଏଲେଟ ଗୁଡିକୁ ବାଥରୁମରେ ପରିବର୍ତ୍ତିତ କରାଯାଇଛି। ପ୍ରତି ବାଥରୁମରେ ବାଥିଂ ଷ୍ଟୁଲ, ବେସିନ ପାଖରେ ହେଣ୍ଡୱାସ କରିବା ପାଇଁ ସ୍ୱତନ୍ତ୍ର ବେସିନ ଲଗାଯାଇଛି। ପ୍ରତ୍ୟେକ କୋଚରେ ମେଡିକାଲ ଓ ଅନ୍ୟାନ୍ୟ ବର୍ଜବସ୍ତୁ ରଖିବା ପାଇଁ ୩ଟି ଲେଖାଏଁ ସ୍ୱତନ୍ତ୍ର ଡଷ୍ଟବିନ ରଖାଯାଇଛି। ପ୍ରତ୍ୟେକ ବେଡ ନିକଟରେ ୨ଟି ଲେଖାଏଁ ଅମ୍ଲଜାନ ଟାଙ୍କି ରଖିବାର ସ୍ଥାନ କରାଯାଇଛି। କୋଚ ମଧ୍ୟକୁ ମଶା, ମାଛି ଆଦି କୀଟପତଙ୍ଗ ନ ଆସିବା ପାଇଁ ସମସ୍ତ ଝରକା ଗୁଡିକରେ ପ୍ଲାଷ୍ଟିକ ଜାଲି ଲଗାଯାଇଛି। ମାର୍ଚ୍ଚ ୩୧ ତାରିଖରୁ ରେଳ କର୍ମଚାରୀ ମାନେ କଠିନ ପରିଶ୍ରମ କରି ଏହାର ନିର୍ମାଣ ଜାରି ରଖିଛନ୍ତି। ଏହି କୋଚ ଗୁଡିକର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଏହାକୁ ପ୍ରଶାସନକୁ ହସ୍ତାନ୍ତରିତ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳବାଇ ପକ୍ଷରୁ କରାଯାଉଥିବା ଏହି ମାନବୀୟ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Comments are closed.