୭୨ ଘଣ୍ଟାରେ ପ୍ରତିଶୋଧ ନିଅ ; ନଚେତ୍‍ ମୁଁ ନେବି

0

ଜାମ୍ମୁ  : ‘ମୋ ପୁଅର ଅପହର୍ତ୍ତା ଓ ହତ୍ୟାକାରୀଙ୍କୁ ୭୨ଘଣ୍ଟା ମଧ୍ୟରେ ଖୋଜି ହତ୍ୟାକର।’ କେନ୍ଦ୍ର ସରକାରଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ପରେ ହତ୍ୟାର ଶିକାର ହୋଇଥିବା ଭାରତୀୟ ସେନା ଯବାନ ଆଉରଙ୍ଗଜେବ୍‍ ଶୋକାଭିଭୂତ ବାପା। ସେ ପୁନଶ୍ଚ ପ୍ରଶ୍ନ କରିଛନ୍ତିି ଯେ ‘ଏଭଳି ଜଘନ୍ୟ ହତ୍ୟାକାରୀଙ୍କ ବିରୋଧରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ କିଏ ବାଧା ଦେଉଛି? ୭୨ଘଣ୍ଟା ମଧ୍ୟରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି ତାହାହେଲେ ମୁଁ ନିଜେ ମୋ ପୁଅ ହତ୍ୟାର ପ୍ରତିଶୋଧ ନେବି। ସହିଦଙ୍କୁ ନେଇ ଚାଲିଥିବା ରାଜନୀତିକୁ ବରଦାସ୍ତ କରିବି ନାହିଁ।’ ୨୦୦୩ରୁ ଅଦ୍ୟାବଧି କାହିଁକି ରାଜ୍ୟରୁ ଆତଙ୍କବାଦୀଙ୍କୁ ନିପାତ କରାଯାଇପାରି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ଆମେ ପରିସ୍ଥିତିରେ ଉନ୍ନତି ଘଟିବ ବୋଲି ଆଶା କରୁଥିଲୁ; କିନ୍ତୁ ଅଧିକ ବିଗିଡ଼ି ଯାଇଥିବା ଅନୁଭବ କରୁଛୁ। ବିଚ୍ଛିନ୍ନତାବାଦୀ ଓ କାଶ୍ମୀରକୁ ନେଇ ରାଜନୀତି କରୁଥିବା ଶକ୍ତିଙ୍କୁ ତୁରନ୍ତ ରାଜ୍ୟ ବାହାରକୁ ଫିଙ୍ଗିଦିଆଯିବା ଉଚିତ ବୋଲି ସେ କହିଛନ୍ତି। ସେନା କାଶ୍ମୀର ଉପତ୍ୟକାରୁ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ପଦକ୍ଷେପ ନେଉ ବୋଲି ସେ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପାକିସ୍ତାନ ଆଶୀର୍ବାଦରେ ରାଜନୀତି କରୁଥିବା ବିଚ୍ଛିନ୍ନତାବାଦୀ ନେତାଙ୍କୁ ତାଗିଦା କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆଉରଙ୍ଗଜେବ୍‍ଙ୍କ ବାପା ଜଣେ ପୂର୍ବତନ ସାମରିକ କର୍ମଚାରୀ। ତାଙ୍କ ଭାଇ ମଧ୍ୟ ଏବେ ସେନାରେ କର୍ତ୍ତବ୍ୟରତ। ୨୦୦୪ରେ ତାଙ୍କ ଦାଦା ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଗୁରୁବାର ଇଦ୍‍ ପାଇଁ ଘରକୁ ଆସୁଥିବାବେଳେ ଆଉରଙ୍ଗଜେବ୍‍ଙ୍କୁ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା କରିଥିଲେ। ପୁଅକୁ ଅନ୍ତତଃ ପରିବାର ସହିତ ଇଦ୍‍ କଟାଇବା ପାଇଁ ଛାଡ଼ି ଦେବାକୁ ଆଉରଙ୍ଗଜେବ୍‍ଙ୍କ ମା ଆକୁଳ ନିବେଦନ କରିଥିଲେ ମଧ୍ୟ ତାହା ବୃଥା ଯାଇଥିଲା। ଶୁକ୍ରବାର ତାଙ୍କର ଶେଷକୃତ୍ତ୍ୟ ସମ୍ପନ୍ନ ସମୟରେ କାନ୍ଦି କାନ୍ଦି ବାପା କହିଛନ୍ତି ଯେ ଇଦ୍‍ରେ ପୁଅ ଆମ ସହିତ ରହିବ ବୋଲି ଯେଉଁ ସ୍ୱପ୍ନ ଥିଲା ତାହା ଅଧୁରା ରହିଗଲା। ଶୁକ୍ରବାର ପୂର୍ବାହ୍ଣରେ ଶତାଧିକ ଅଞ୍ଚଳବାସୀ ଆଉରଙ୍ଗଜେବ୍‍ଙ୍କ ଶେଷକୃତ୍ତ୍ୟରେ ଯୋଗ ଦେଇଥିଲେ। ପୁଲୱାମା ଜିଲା ଅନ୍ତର୍ଗତ କାଲାମପୋରାଠାରୁ ୧୦ କିଲୋମିଟର ଦୂରସ୍ଥ ଗୁସୁ ଗ୍ରାମରୁ ଯମାନଙ୍କ ଗୁଳିବିଦ୍ଧ ମୃତଦେହ ଗୁରୁବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଥିଲା। ହିଜବୁଲ୍‍ ମୁଜାହିଦ୍ଦିର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସମୀର ଟାଇଗର୍‍ର ଏନ୍‍କଉଣ୍ଟରରେ ପ୍ରତିଶୋଧ ପରାୟଣ ହୋଇ ଆତଙ୍କବାଦୀମାନେ ଆଉରଙ୍ଗଜେବ୍‍ଙ୍କୁ ଅପହରଣ କରିନେଇ ହତ୍ୟା କରିଥିବା କୁହାଯାଉଛି।

kalyan agarbati
Leave A Reply