www.samajalive.in
Monday, December 8, 2025
14.1 C
Bhubaneswar

କେରଳ: ଡ଼ାକ୍ତରୀ ଚିଠା ଦେଖାଇ ଲୋକ ମାଗୁଛନ୍ତି ମଦ-ପାସ୍

ଥିରୁବନନ୍ତପୁରମ୍‌ : କରୋନା ସମୂହ ସଂକ୍ରମଣ ଭୟରେ ଏବେ ସବୁଆଡ଼େ ଲକ୍ଡ଼ାଉନ୍ । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଏହି ଲକ୍ଡ଼ାଉନ ୧୫ ଏପ୍ରିଲ ପର୍ଯ୍ୟନ୍ତ ବଳବତ୍ତର ରହିବ । ହେଲେ କିଛି ଲୋକଙ୍କୁ ଏବେ ଘାରିଛି ମଦ ଚିନ୍ତା । କେରଳରେ ମଦ କିଣିବାକୁ ଯିବା ପାଇଁ ଲୋକମାନେ ପୁଲିସକୁ ପାସ୍ ମାଗୁଥିବା ଦେଖିବାକୁ ମିଳିଛି । ଏପରିକି ଡ଼ାକ୍ତରୀ ଚିଠା ସହ ସେମାନଙ୍କୁ ମଦ ଦିଆଯିବାକୁ ୪୦ ଜଣ ଆବେଦନକାରୀ କେରଳ ସରକାରଙ୍କୁ ଦରଖାସ୍ତ ପଠାଇଛନ୍ତି ।
ଲକ୍ଡ଼ାଉନ ସମୟରେ ମଦ ଦୋକାନ ଖୋଲିବାକୁ କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଯୁକ୍ତି ବାଢ଼ିଥିଲେ ବରିଷ୍ଠ ବଲିଉଡ଼ ଅଭିନେତା ଋଷି କପୁର । ଘରେ ବସିବସି ଲୋକମାନେ ବିଷାଦ (ଫ୍ରଷ୍ଟେସନ)ର ଶିକାର ହେଉଥିବାରୁ ସେମାନଙ୍କ ପାଇଁ ମଦ ଦୋକାନ ଖୋଲିବାର ଆବଶ୍ୟକତା ଥିବା ସେ କହିଥିଲେ । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ତାଙ୍କୁ ଟ୍ରୋଲ କରିଥିଲେ ।
ମାତ୍ର କେରଳରେ ମଦ ପିଇବା ନିମନ୍ତେ ସରକାରଙ୍କୁ ଆବେଦନ କରିବା ପରି ଘଟଣା ଅନ୍ୟ ରାଜ୍ୟରେ ଦେଖିବାକୁ ମିଳିନାହିଁ । କେରଳ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଏର୍ଣ୍ଣାକୁଲମ୍ ଜିଲାରୁ ୮, କୋଟ୍ଟାୟାମ ଜିଲାରୁ ୪, ଥିରୁବନନ୍ତପୁରମରୁ ୩ଟି ସମେତ ମୋଟ ୪୦ଟି ଆବେଦନ ସରକାରଙ୍କ ନିକଟରେ ପହଞ୍ଚିଛି । ଏଗୁଡ଼ିକୁ ରାଜ୍ୟ ପାନୀୟ ନିଗମକୁ ପଠାଯାଇଛି; ସେମାନେ ଆବଶ୍ୟକ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ମଦ ପହଞ୍ଚାଇ ଦେବେ । ତେବେ ସରକାରୀ ନିର୍ଦେଶ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ସାପ୍ତାହିକ ସର୍ବାଧିକ ୩ ଲିଟର ପର୍ଯ୍ୟନ୍ତ ମଦ ଯୋଗାଇ ଦିଆଯିବ । ପରବର୍ତ୍ତୀ ସପ୍ତାହ ପାଇଁ ସେମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ସାନି ଆବେଦନ କରିବାକୁ ପଡ଼ିବ ବୋଲି ଅଧିକାରୀ ଜଣକ କହିଛନ୍ତି ।
ତେବେ କେରଳ ସରକାରୀ ଡ଼ାକ୍ତରୀ ସଂଘ (କେଜିଏମ୍ଓଏ) ଏପରି ବ୍ୟବସ୍ଥାକୁ ବିରୋଧ କରିଛି । କୌଣସି ଡ଼ାକ୍ତର କେବେ ବି ପ୍ରେସକ୍ରିପ୍ସନରେ ମଦ ପ୍ରେସକ୍ରାଇବ କରି ନ ଥାନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାର ପ୍ରତିବାଦରେ ସେମାନେ କଳାଦିବସ ପାଳନ କରିବାକୁ ଧମକ ଦେଇଛନ୍ତି । ଅନ୍ୟପକ୍ଷରେ ଡ଼ାକ୍ତରୀ ଚିଠାରେ ମଦ ଯୋଗାଣ ନିଷ୍ପତ୍ତିକୁ ଭାରତୀୟ ମେଡ଼ିକାଲ ଆସୋସିଏସନ (ଆଇଏମଏ) ଅଯୌକ୍ତିକ ଓ ଅବୈଜ୍ଞାନିକ ବୋଲି ଅଭିହିତ କରିଛି ।
ଲକ୍ଡ଼ାଉନ ସମୟରେ ମଦ ଦୋକାନ ବନ୍ଦକୁ ନେଇ କେରଳରେ ବିରୋଧ କରାଯାଇଥିଲା। କିଛି ଲୋକ ମଦ ଦୋକାନ ବନ୍ଦ ଯୋଗୁଁ ଆତ୍ମହତ୍ୟା ମଧ୍ୟ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories