ବାଘ ଆକ୍ରମଣରେ ବାଳକର ମୃତ୍ୟୁ; ଜଙ୍ଗଲ ପୋଡ଼ିଦେଲେ ଗ୍ରାମବାସୀ

0

ନୈନିତାଲ : ମୂଷା ମାରିବାକୁ ଯାଇ ଘର ପୋଡ଼ିଦେବା ଭଳି ଉତ୍ତରାଖଣ୍ଡର ବାଗେଶ୍ୱର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ନରଭକ୍ଷୀ ଚିତାବାଘ ଯୋଗୁ ସମଗ୍ର ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି। ଏଠାକାର ହରିନଗରୀ ନିକଟସ୍ଥ ଜଙ୍ଗଲରୁ ବାହାରି ଏକ ଚିତାବାଘ ୭ ବର୍ଷ ବୟସ୍କ ବାଳକକୁ ମାରି ଖାଇଯିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସମଗ୍ର ଜଙ୍ଗଲକୁ ପୋଡି ଦେଇଛନ୍ତି। ସେମାନେ ଆକ୍ରମଣକାରୀ ବାଘକୁ ମାରିବାକୁ ଯାଇ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ସକାଳେ ହରିନଗରୀ ନିବାସୀ ଦିୱାନ ରାମଙ୍କ ପୁଅ ଦୀପକର ଅଧାଖିଆ ମୃତଦେହ ନିକଟସ୍ଥ ଜଙ୍ଗଲ ନିକଟରୁ ମିଳିଥିଲା। ସୋମବାର ସନ୍ଧ୍ୟାରେ ଦୀପକ ପରିସ୍ରା କରିବାକୁ ବାହାରକୁ ଯାଇଥିବାବେଳେ ତାକୁ ଚିତାବାଘ ଟାଣି ନେଇଥିଲା। ନିକଟସ୍ଥ ରୋଷେଇ ଘରେ ଥିବା ତାଙ୍କ ମା’ ଦୀପକଙ୍କ ପାଟି ଶୁଣିଥିଲେ। ବହୁ ଖୋଜା ଖୋଜି ପରେ ରାତିରେ ଦୀପକଙ୍କ ପତ୍ତା ମିଳି ନ ଥିଲା। ମଙ୍ଗଳବାର ସକାଳେ ପୁଅର ମୃତଦେହ ମିଳିବା ପରେ ଦିୱାନ୍‍ଙ୍କ ସମେତ ସମଗ୍ର ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇପଡିଥିଲେ। ଖବର ପ୍ରଚାରିତ ହେବା ପରେ ହଜାରେରୁ ଊର୍ଦ୍ଧ୍ବ ଗ୍ରାମବାସୀ ଏକତ୍ରିତ ହୋଇ ଜଙ୍ଗଲ ଆଡକୁ ମୁହାଁଇଥିଲେ। ନରହନ୍ତା ଚିତାବାଘକୁ ଖୋଜିବା ସମ୍ଭବ ନ ଥିଲା। ବାରମ୍ବାର ଆତ୍ମୀୟଙ୍କୁ ହରାଇବାର ଦୁଃଖ ସବୁଦିନ ପାଇଁ ଦୂର କରିବା ଉଦ୍ଦେଶ୍ୟରେ ସେମାନେ ଚାରିପଟୁ ସମ୍ପୂର୍ଣ୍ଣର୍ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଆର୍‍. କେ ସିଂହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ନିଆଁ ସବୁଆଡେ ବ୍ୟାପିଯାଇଥିବାରୁ ଜଙ୍ଗଲରେ ପ୍ରବେଶ କରିବା ସମ୍ଭବ ହୋଇ ନ ଥିଲା ବୋଲି ସେ କହିଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ଦୀପକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିବା ସହ ଉକ୍ତ ନରଭକ୍ଷୀ ଚିତାବାଘକୁ ଗୁଳି କରି ହତ୍ୟା କରିବାକୁ ଦାବି ଉଠାଇଛନ୍ତି।

Leave A Reply