ବୋଧଗୟା ବିସ୍ଫୋରଣ ମାମଲାର ମୁଖ୍ୟ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

0

କଲକାତା : ବୋଧଗୟା ବିସ୍ଫୋରଣ ମାମଲାରରେ କଲକାତା ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍‍ଟିଏଫ୍‍)କୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ଆତଙ୍କବାଦୀ ସଂଗଠନ ଜମାତ୍‍-ଇଲ୍‍-ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‍ବି)ର ପ୍ରମୁଖ ଆତଙ୍କବାଦୀ ହାଜିବୁଲ୍ଲାକୁ ଏସ୍‍ଟିଏଫ୍‍ ପଶ୍ଚିମବଙ୍ଗର ହୁଗୁଳି ଜିଲା ଅନ୍ତର୍ଗତ ବନ୍ଦେଲ ରେଳଷ୍ଟେସନରୁ ଗିରଫ କରିଛି। ୫୭ ବର୍ଷ ବୟସ୍କ ହାଜିବୁଲ୍ଲା ମୁର୍ଶିଦାବାଦ ଜିଲା ଅନ୍ତର୍ଗତ ସମଶେରଗଞ୍ଜ ନିବାସୀ ବୋଲି କୁହାଯାଉଛି। ଚଳିତ ବର୍ଷ ଜାନୁଆରୀ ୧୯ରେ ଦଲାଇଲାମାଙ୍କ ଗସ୍ତ ସମୟରେ ବୋଧଗୟାର କାଳଚକ୍ର ପଡିଆଠାରେ ଘଟିଥିବା ବିସ୍ଫୋରଣର ସେ ମୁଖ୍ୟ ସନ୍ଦିଗ୍ଧ ଅପରାଧୀ। ଏହି ବିସ୍ଫୋରଣ ଘଟାଇବା ନିମନ୍ତେ ବୋମା ଯୋଗାଡ କରିବାରେ ସେ ଜେଏମ୍‍ବିକୁ ସହଯୋଗ କରିଥିଲା ବୋଲି ଏସ୍‍ଟିଏଫ୍‍ର ଡିସି ମୁରଲୀଧର ଶର୍ମା କହିଛନ୍ତି। ବିସ୍ଫୋରଣ ପରେ ପୁଲିସ ପାଇଗାମ୍ବାର ଏସ୍‍କେ ଏବଂ ଜାମିରୁଲ ଏସ୍‍କେକୁ ମୁର୍ସିଦାବାଦ ଏବଂ ଦର୍ଜିଲିଂରୁ ଗିରଫ କରିଥିଲା। ସେମାନଙ୍କଠାରୁ ବ୍ୟାପକ ବିସ୍ଫୋରକ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଥିଲା। ବିସ୍ଫୋରଣ ସମୟରେ ହାଜିବୁଲ୍ଲା ଉପସ୍ଥିତ ଥିଲା। ପରେ ସେ ହୁଗୁଳିରେ ଆଶ୍ରୟ ନେଇ ଏହି ଜିଲାରେ ଆତଙ୍କବାଦୀ ସଂଗଠନ ନିମନ୍ତେ ଏଜେଣ୍ଟ ନିଯୁକ୍ତ କରୁଥିଲା। ଏହି ମାମଲାରେ ପୂର୍ବରୁ ଗିରଫ ଅନ୍ୟ ଜଣେ ବାଂଲାଦେଶୀ ନାଗରିକ ନୂର ଆଲାମଙ୍କଠାରୁ ସୂଚନା ପାଇବା ପରେ ପୁଲିସ ସେଠାରେ ଚଢଉ କରି ହାଜିବୁଲ୍ଲାକୁ ଗିରଫ କରିଥିଲା।

kalyan agarbati
Leave A Reply