ଗୁଳି ମାରି ଆତ୍ମହତ୍ୟା କଲେ ଆଧ୍ୟାତ୍ମିକ ଗୁରୁ ଭାୟୁଜୀ ମହାରାଜ

0

ଇନ୍ଦୋର : ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ଭାୟୁଜୀ ମହାରାଜ ମଙ୍ଗଳବାର ସିଲ୍‍ଭର ସ୍ପ୍ରିଙ୍ଗସ୍ଥିତ ବାସଭବନରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଇନ୍ଦୋର ପୁଲିସ୍‍ ସୂଚନା ଅନୁସାରେ ଭାୟୁଜୀ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ପୁଲିସ୍‍ ଭାୟୁଜୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ (ସୁଇସାଇଡ୍‍ ନୋଟ) ଜବତ କରିଛି। ଏଥିରୁ ସେ କିଛି ଦିନ ହେବ ଅବସାଦରେ ଥିଲେ ଓ ଏଥିପାଇଁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ସୁଇସାଇଡ୍‍ ନୋଟରେ ଇଂରାଜୀରେ ଲେଖା ହୋଇଛି ଯେ ପରିବାରର ଦାୟିତ୍ୱ ନେବା ପାଇଁ ସେଠାରେ ଜଣକୁ ରହିବା ଆବଶ୍ୟକ। ମୁଁ ଯାଉଛି… ବହୁତ ଅବସାଦଗ୍ରସ୍ତ ଏବଂ ସମସ୍ୟା ମଧ୍ୟରେ ରହିଥିଲି। ମହାରାଜ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଡାହାଣ ପଟ ମୁଣ୍ଡକୁ ଗୁଳି କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଇନ୍ଦୋରସ୍ଥିତ ବମ୍ବେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୁଲିସ୍‍ ଡିଆଇଜି ହରିନାରାୟଣଚାର୍ଯ୍ୟ ମିଶ୍ର ପ୍ରକାଶ କରିଛନ୍ତି। ଘଟଣାସ୍ଥଳରୁ ପୁଲିସ୍‍ ଏକ ସୁଇସାଇଡ୍‍ ନୋଟ୍‍ ଏବଂ ବନ୍ଧୁକ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରହିଛି ବୋଲି ଆଇଜି ମକରନ୍ଦ ଦେଓସ୍କାର ସୂଚନା ଦେଇଛନ୍ତି। ଏନେଇ ମହାରାଜଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚୁରା କରାଯାଇପାରେ ବୋଲି ସେ କହିଛନ୍ତି। ଭାୟୁଜୀଙ୍କ ନିକଟତମ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେ କିଛି ଦିନ ହେବ ଅବସାଦ ମଧ୍ୟରେ ରହୁଥିଲେ। ମହାରାଜଙ୍କ ପ୍ରଥମ ପତ୍ନୀ ମାଧବୀଙ୍କ ୨୦୧୫ ନଭେମ୍ବର ମାସରେ ଦେହାନ୍ତ ହୋଇଥିଲା। ଏହାପରେ ମହାରାଜ ୨୦୧୩ ଅପ୍ରେଲ ୩୦ରେ ଡ. ଆୟୁଷୀ ଶର୍ମାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଜନ୍ମିତ ଝିଅ ଏବଂ ମହାରାଜଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।
୧୯୬୮ ମସିହାରେ ସୁଜାଲପୁରରେ ଏକ ଜମିଦାର ପରିବାରରେ ଜନ୍ମିତ ଭାୟୁଜୀ ମହାରାଜଙ୍କ ପ୍ରକୃତ ନାମ ଉଦୟ ଦେଶମୁଖ। ଆଧ୍ୟାତ୍ମିକ ଗୁରୁ ହେବା ପୂର୍ବରୁ ସେ ଜଣେ ମଡେଲ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଆଧ୍ୟାତ୍ମିକ ଗୁରୁ ହେବା ପରେ ସେ ନିଜ ସାଂସାରିକ ଜୀବନରୁ ଦୂରରେ ରହୁଥିଲେ। ସେ ବିଗତ ଦେଢ ବର୍ଷ ହେବ କୌଣସି ସାର୍ବଜନୀନ ଉତ୍ସବରେ ଯୋଗ ଦେଉନଥିଲେ। ସେ ମହାରାଷ୍ଟ୍ରରେ ଅନେକ ସାମାଜିକ ପ୍ରକଳ୍ପ ଆରମ୍ଭ କରି କୃଷକଙ୍କ ଉତ୍ଥାନ ଦିଗରେ କାର୍ଯ୍ୟ କରୁଥିଲେ। ମଧ୍ୟପ୍ରଦେଶ ସରକାର ନିକଟରେ ତାଙ୍କୁ ନର୍ମଦା ନଦୀ ସଂରକ୍ଷଣ ନିମନ୍ତେ ଗଠିତ କମିଟିରେ ସ୍ଥାନ ଦେଇଥିଲେ ଓ ତାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିଲା। ହେଲେ ମହାରାଜ ମନ୍ତ୍ରୀ ପାହ୍ୟା ପଦମର୍ଯ୍ୟାଦା ଗ୍ରହଣ କରିବାକୁ ମନା କରିଦେଇଥିଲେ। ଭାୟୁଜୀଙ୍କ ଆତ୍ମହତ୍ୟା ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମଧ୍ୟପ୍ରଦେଶ କଂଗ୍ରେସ ଭାୟୁଜୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ରାଜ୍ୟ ସରକାରଙ୍କ ଚାପରେ ଭାୟୁଜୀ ଆତ୍ମହତ୍ୟା କରିଛନ୍ତି ଓ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

Leave A Reply