କଂଗ୍ରେସ ଇଫ୍ତାର ପାର୍ଟି ତାଲିକାରେ ପ୍ରଣବ
ନୂଆଦିଲ୍ଲୀ: କଂଗ୍ରେସର ଇଫ୍ତାର ପାର୍ଟିରେ ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ନାମ ନଥିବା ପ୍ରସଙ୍ଗରେ ଚାଲିଥିବା ବାଦବିବାଦ ଓ ଆଲୋଚନା ସମାଲୋଚନାର ଅନ୍ତ ଘଟିଛି। ଆସନ୍ତା ବୁଧବାର ରାହୁଲ୍ ଗାନ୍ଧି ଆୟୋଜନ କରିଥିବା ଇଫ୍ତାର ପାର୍ଟିରେ ଯୋଗ ଦେବା ପାଇଁ ପ୍ରଣବ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାପୂର୍ବରୁ କଂଗ୍ରେସର ଇଫ୍ତାର ପାର୍ଟି ତାଲିକାରେ ପ୍ରଣବଙ୍କ ନାମ ନଥିଲା। କେତେଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ବାରଣ ସତ୍ତେ୍ୱ ପ୍ରଣବ ଆରଏସ୍ଏସ୍ ସମ୍ମିଳନୀରେ ଯୋଗଦେଇଥିବାରୁ ତାଙ୍କୁ ଇଫ୍ତାର ପାର୍ଟିକୁ ନିମନ୍ତ୍ରଣ କରାଯାଇ ନଥିବା ଚର୍ଚ୍ଚା ହେଉଥିଲା। ଏହି ପ୍ରସଙ୍ଗରେ କେତେଜଣ କଂଗ୍ରେସ ନେତା କହିଥିଲେ ଯେ ପ୍ରଣବ ରାଷ୍ଟ୍ରପତି ପଦ ଅଳଂକୃତ କରିସାରିଥିବାରୁ ତାଙ୍କୁ ପାର୍ଟିକୁ ନିମନ୍ତ୍ରଣ କରାଯାଇ ନଥାଇ ପାରେ। ଏହି କାରଣରୁ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନ୍ସାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ। ତେବେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯିବ କି ନାହିଁ ତାହା କଂଗ୍ରେସ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା।