ଆତ୍ମପ୍ରଶଂସାର କୁଫଳ
ମହାରାଜା ଯଯାତି ଦୀର୍ଘକାଳ ଧରି ରାଜ୍ୟଶାସନ କରିଥିଲେ। ସାଂସାରିକ ଭୋଗବିଳାସ ପ୍ରତି ବିତୃଷ୍ଣା ଆସିବାରୁ ପୁତ୍ର ପୁରୁ ହାତରେ ରାଜ୍ୟଭାର ଅର୍ପଣ କରି ଜଙ୍ଗଲକୁ ଚାଲିଯାଇଥିଲେ ତପସ୍ୟା ନିମିତ୍ତ। କ୍ରୋଧଜୟୀ ଯଯାତି ବାନପ୍ରସ୍ଥ ବ୍ରତ ଅବଲମ୍ବନ ଦୀର୍ଘକାଳ ଧରି କୃଚ୍ଛ୍ର ସାଧନା କରିଥିଲେ।
ତପସ୍ୟା ଥିଲା ଅତି କଠୋର, କେବଳ ଜଳଗ୍ରହଣ କରି, ପରବର୍ତ୍ତୀ ସମୟରେ ବାୟୁ ସେବନ କରି ତଥା ଗୋଟିଏଗୋଡ଼ରେ ଠିଆ ହୋଇ ଦୀର୍ଘକାଳ ତପସ୍ୟା କରିଥିଲେ। ତପସ୍ୟା ପ୍ରଭାବରୁ ସ୍ବର୍ଗଲୋକ ପ୍ରାପ୍ତି ହୋଇଥିଲେ ଯଯାତି। କେତେବେଳେ ସେ ଦେବତାଙ୍କ ସହ ସ୍ବର୍ଗଲୋକରେ ରହୁଥିଲେ ତ କେତେବେଳେ ବ୍ରହ୍ମଲୋକରେ ବିଚରଣ କରୁଥିଲେ। ତାଙ୍କର ଏଭଳି ଅବାଧ ବିଚରଣ ଦେବତାମାନଙ୍କ ଈର୍ଷାର କାରଣ ହୋଇଥିଲା। ଯଯାତି ଯେତେବେଳେ ଦେବରାଜ ଇନ୍ଦ୍ରଙ୍କ ନିକଟକୁ ଯାଉଥିଲେ ସେତେବେଳେ ତାଙ୍କସହ ଇନ୍ଦ୍ରଙ୍କ ଆସନ (ସିଂହାସନ)େର ବସୁଥିଲେ। ଦେବରାଜ ଇନ୍ଦ୍ର ଏହି ପରମ ପୁଣ୍ୟାତ୍ମାଙ୍କୁ ଆପଣାଠାରୁ ନୀଚ ଆସନ ଦେବାକୁ ଚାହୁଁ ନଥିଲେ, ହେଲେ ମୃତ୍ୟୁଲୋକରୁ ଆସିଥିବା ଜଣେ ବ୍ୟକ୍ତି ଆପଣା ସିଂହାସନରେ, ପୁଣି ତାଙ୍କ ନିକଟରେ ବସିବାକୁ ସେ ଆଦୌ ପସନ୍ଦ କରୁନଥିଲେ। ଏହା ତାଙ୍କୁ ବହୁତ ଅସୁଖ ଲାଗୁଥିଲା। ଦେବରାଜ ଭାବରେ ସେ ଏହାକୁ ନିଜ ପ୍ରତି ଘୋର ଅପମାନ ବୋଲି ବିଚାରୁଥିଲେ। ଦେବତାମାନେ ମଧ୍ୟ ସର୍ବଦା ଭାବୁଥିଲେ କେଉଁ ପ୍ରକାରେ ଯଯାତିଙ୍କୁ ସ୍ବର୍ଗଚ୍ୟୁତ କରାଯାଇପାରେ। ଦେବତାମାନଙ୍କ ଏତାଦୃଶ ମନୋଭାବ ଇନ୍ଦ୍ରଙ୍କୁ ଅଗୋଚର ନଥିଲା।
ଦେବରାଜ ଶେଷରେ ମନେମନେ ଏକ ଯୋଜନା ପାଞ୍ଚିଲେ। ସେଦିନ ସିଂହାସନରେ ଇନ୍ଦ୍ରଙ୍କ ନିକଟରେ ଯଯାତି ବସିଥାନ୍ତି। ଯଯାତିଙ୍କୁ ପ୍ରଲୁବ୍ଧ କରିବା ପାଇଁ ଇନ୍ଦ୍ର ଅତି ମଧୁର ସ୍ବରରେ ତାଙ୍କର ଢ଼େର ପ୍ରଶଂସା କରିଥିଲେ। କହିଥିଲେ- ଆପଣ ପରମ ପୁଣ୍ୟାତ୍ମାମାନଙ୍କ ମଧ୍ୟରୁ ଅନ୍ୟତମ। ଆପଣଙ୍କ ସରି ଭଲା କିଏ ହୋଇପାରିବ। ମୁଁ ଜାଣିବାକୁ ଚାହୁଁଛି ଆପଣ ଏପରି କି ତପସ୍ୟା କଲେ ଯେ ଯାହାଫଳରେ ଆପଣ ଇନ୍ଦ୍ରଲୋକ ଓ ବ୍ରହ୍ମଲୋକରେ ଅବାଧ ବିଚରଣ କ୍ଷମତା ପାଇଲେ। ଇନ୍ଦ୍ରଙ୍କଠାରୁ ଏଭଳି ତୋଷାମୋଦପୂର୍ଣ୍ଣ ବାକ୍ୟ ଶୁଣି ଯଯାତି ଭୁଲିଗଲେ ଯେ ମଧୁର ବାଣୀର ଜାଲରେ ସେ ଛନ୍ଦିହେବାକୁ ଯାଉଛନ୍ତି ବୋଲି। ନିଜର ତପସ୍ୟା ଓ ସାଧନା ନେଇ ଖୋଦ ଦେବରାଜଙ୍କଠାରୁ ଢ଼େର ପ୍ରଶଂସା ଶୁଣି କହି ପକାଇଲେ- ‘ଦେବରାଜ! ଦେବତା, ମନୁଷ୍ୟ, ଗନ୍ଧର୍ବ, କିନ୍ନର ମୁନିଋଷି କେହି ବି ମୋ ଭଳି ତପସ୍ୟା କରିବାର ଆପଣ ଦେଖି ନଥିବେ କି ଶୁଣିନ ଥିବେ।’
ବାସ୍, କଥା ଶେଷ ହେବା ପୂର୍ବରୁ ଇନ୍ଦ୍ରଙ୍କ ମୁହଁର ଭାବ ବଦଳି ଯାଇଥିଲା। କଠୋର ସ୍ବରରେ କହିଥିଲେ- ‘ଯଯାତି! ମୋର ଆସନରୁ ଅବିଳମ୍ବେ ଉଠିଯାଅ। ତୁମେ ନିଜ ମୁହଁରେ ନିଜର ଢ଼େର ପ୍ରଶଂସା ବଖାଣିଲଣି। ଏହାଦ୍ବାରା ତୁମର ସକଳ ପୁଣ୍ୟ ନଷ୍ଟ ହୋଇଗଲା ଯାହାକୁ ନେଇ ତୁମେ ଚର୍ଚ୍ଚା କରୁଛ। ଦେବତା, ଗନ୍ଧର୍ବ, ମୁନିଋଷିମାନେ କିଏ କେତେ ତପ କରିଛନ୍ତି ତାହା ନଜାଣି ତୁମେ ସେମାନଙ୍କୁ ଆକ୍ଷେପ, ତିରସ୍କାର କଲ। ନିଜକୁ ବଡ଼ବୋଲି ଦେଖାଇବାକୁ ଯାଇ ସେମାନଙ୍କ ତପସ୍ୟାକୁ ନ୍ୟୂନଦୃଷ୍ଟିରେ ଦେଖିଲ। ଏହି କାରଣରୁ ତୁମେ ଏବେ ସ୍ବର୍ଗଚ୍ୟୁତ ହେବ।’ ଇନ୍ଦ୍ର ଏହା କହିବା ମାତ୍ରେ ଯଯାତି ସ୍ବର୍ଗଚ୍ୟୁତ ହୋଇଯାଇଥିଲେ। ହେଲେ ଯଯାତିଙ୍କ ଆକୁଳ ଅନୁନୟ ବିନୟରେ ଦେବରାଜ ଇନ୍ଦ୍ର ଏକ ସର୍ତ୍ତ ରଖିଥିଲେ ସେ ସତ୍ପୁରୁଷଙ୍କ ମଣ୍ଡଳୀରେ ପତିତ ହେବେ ଓ ସତସଙ୍ଗ ପ୍ରାପ୍ତିର ପରିଣାମରେ ପୁନଃ ସ୍ବର୍ଗଲୋକ ଯିବେ।
Comments are closed.