ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା

ଭୁବନେଶ୍ବର: ଏଣିକି ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସ୍ଥିତି ଜାଣିବା ପାଇଁ ପ୍ରଥମ ଥର ପାଇଁ ଜନଗଣନା ଆରମ୍ଭ ହେବ। ଏଥି ପାଇଁ ନବଗଠିତ ରାଜ୍ୟ ଓବିସି କମିସନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ସୋମବାର ବିଧାନସଭାରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଅନ୍ୟାନ୍ୟ ପଛୁଆବର୍ଗ କମିସନ ଆଇନ-୧୯୯୩ରେ ସଂଶୋଧନ କରିଛନ୍ତି। ଏହା ଫଳରେ ସାମାଜିକ ଓ ଶିକ୍ଷାଗତ ସ୍ତରରେ ପଛୁଆ ବର୍ଗର ଲୋକଙ୍କୁ ଚିହ୍ନଟ କରିବା ପାଇଁ କମିସନ ନିଜେ ସର୍ଭେ କରିପାରିବେ। ୯୦ ବର୍ଷ ହେଲା ପଡ଼ି ରହିଥିବା ସର୍ଭେ ବିଧାନସଭାରେ ୧୯ ମିନିଟ୍‌ରେ ସର୍ବସମ୍ମତ କ୍ରମେ ପାରିତ ହୋଇଛି।

ସୂଚନାଯୋଗ୍ୟ, ଚଳିତ ମାସ ୧୨ ତାରିଖରେ ଓଡ଼ିଶା ସରକାର ରାଜ୍ୟ ଓବିସି କମିସନ ଗଠନ କରିଥିଲେ। ଆଇନ୍‌ରେ ସଂଶୋଧନ ନେଇ ସଂକଳ୍ପ ଗୃହୀତ ହେବା ପରେ ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ଯେ ସ୍ବାଧୀନ ଭାରତ​‌ର ବିକାଶ ପଥରେ ଅଗ୍ରସର ହେଉଥିବା ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ ସରକାର ପଦକ୍ଷେପ ନେବାକୁ ଚାହୁଁଛନ୍ତି। ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ। କିନ୍ତୁ ୯୦ ବର୍ଷ ତଳେ ହୋଇଥିବା ଜନଗଣନା ତଥ୍ୟ ବ୍ୟତୀତ ଆମ ପାଖରେ ଆଉ କୌଣସି ନିର୍ଭରଯୋଗ୍ୟ ତଥ୍ୟ ଉପଲବ୍ଧ ନାହିଁ। ସଦ୍ୟ ତଥ୍ୟ ବିନା ସମାଜର ପଛଆ ବର୍ଗର ଲୋକଙ୍କ ବିକାଶ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ରାଜ୍ୟ ସରକାରଙ୍କ ପକ୍ଷରେ ସମସ୍ୟା ସୃଷ୍ଟି କରୁଛି। ୨୦୧୧ରେ ହୋଇଥିବା ଜାତିଭିତ୍ତିକ ଜନଗଣନାର କିଛି ଅଂଶକୁ କେନ୍ଦ୍ର ସରକାର ୨୦୧୭ରେ ପ୍ରକାଶ କରିଥିଲେ, ଯାହା ନୂତନ ସରକାରୀ ଯୋଜନାରେ ହିତାଧିକାରୀ ଚିହ୍ନଟ ପାଇଁ ବ୍ୟବହାର ହେଉଛି। ଫଳରେ ଅନ୍ୟାନ୍ୟ ପଛୁଆବର୍ଗର ଉନ୍ନତି ଦିଗରେ ବଡ଼ ଅନ୍ତରାୟ ସାଜିଛି।

ଅପରପକ୍ଷେ ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ଜନଗଣନା ସୂଚକାଙ୍କରେ ଓବିସିଙ୍କ ସର୍ଭେ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଗତ ଜାନୁଆରୀ ୧୧ ତାରିଖରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ୨୦୨୧ ଜନଗଣନାରେ ଓବିସିଙ୍କ ସ୍ଥିତି ଆକଳନ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ସଂସଦର ଉଭୟ ଗୃହରେ ଆମର ସାଂସଦମାନେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏହାର ସୁଫଳ ମିଳିପାରି ନାହିଁ। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧୨ ତାରିଖରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିସନ ଗଠନ କରିଛନ୍ତି। ଏକ ଐତିହାସିକ ପଦକ୍ଷେପ ସ୍ବରୂପ ଆଜି ଏହି ଆଇନ୍‌ରେ ସଂଶୋଧନ କରାଯାଇ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବା ନିମନ୍ତେ ସର୍ଭେ କରିବା ପାଇଁ କମିଶନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ରାଜ୍ୟର ପଛୁଆ ବର୍ଗର ଲୋକଙ୍କ ସ୍ଥିତିରେ ସାମଗ୍ରିକ ପରିବର୍ତ୍ତନ ଆଣିବା ଦିଗରେ ଏହା ସହାୟକ ହେବ। ଆମେ ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଥିବା ବେଳେ ସମାଜର ଅବହେଳିତ ବର୍ଗର ଲୋକଙ୍କ ସଶକ୍ତୀକରଣ ପାଇଁ ସେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଏହି ଆଇନ୍‌ରେ ସଂଶୋଧନ ଦ୍ବାରା ସାଧିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

‘ଓଡ଼ିଶା ପଛୁଆ ବର୍ଗ କମିଶନ(ସଂଶୋଧନ) ବିଧେୟକ-୨୦୨୦’ ଉପସ୍ଥାପନ କରି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ, ଏହି ବର୍ଗର ଲୋକଙ୍କ ବିକାଶ ପାଇଁ ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଭିତ୍ତିରେ ପରିବାରକୁ ଚିହ୍ନଟ କରାଯିବା ଆବଶ୍ୟକ। ଏ ନେଇ ଯେପରି ସର୍ବେକ୍ଷଣ କରାଯାଇପାରିବ ସେଥିପାଇଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଅଧିନିୟମ-୧୯୯୩କୁ ପୁନର୍ବାର ସଂଶୋଧନ କରାଯିବା ଆବଶ୍ୟକ ପଡୁଛି। ଅଧିନିୟମ ଧାରା ୯ରେ ଉପଧାରା(୧) ସଂଲଗ୍ନ କରାଯାଇଛି। ଏହି ଉପଧାରା ଅନୁସାରେ ରାଜ୍ୟ ସରକାରଙ୍କ ବିଭିନ୍ନ ସମୟରେ ନିଷ୍ପତ୍ତି କ୍ରମେ ପଛୁଆବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ କମିସନ ସର୍ବେକ୍ଷଣ କରିବେ। ବିଧେୟକ ଉପସ୍ଥାପନ ପରେ ଏହା ଉପରେ ଆଲୋଚନା କରାଯାଇ ସର୍ବସମ୍ମତ କ୍ରମେ ପାରିତ ହୋଇଛି। ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ବିଜେପି ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଶାସକ ସଦସ୍ୟ ପ୍ରଫୁଲ୍ଲ ସାମଲ ଓ ଅତନୁ ସବ୍ୟସାଚୀ ନାୟକ ଅଂଶ ଗ୍ରହଣ କରିଥିଲେ।

ସୂଚନା ଅନୁସାରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ୧୯୩୧ରେ ଜାତିଭିତ୍ତିକ ଜନଗଣନା ହୋଇଥିଲା। ଏହା ପରେ ୨୦୧୧ ମସିହାରେ ହୋଇଥିବା ଜନଗଣନାରେ ଦ୍ବିତୀୟ ଥର ପାଇଁ ଓବିସି ବର୍ଗର ଲୋକଙ୍କ ଗଣନା କରାଯାଇଥିଲା, ହେଲେ ଓବିସିଙ୍କ ସଂଖ୍ୟା ଓ ସ୍ଥିତି ସମ୍ପର୍କିତ ରିପୋର୍ଟ ପ୍ରକାଶ କରାଯାଇନଥିଲା। ତେବେ ୨୦୧୧ ମସିହାର ରିପୋର୍ଟ ପ୍ରକାଶ ପାଇଁ ୨୦୧୩ରେ ବିଜେପି କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାଇଥିଲା। କିନ୍ତୁ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ ପରେ ତଥାପି ୨୦୧୮ ମସିହା ପର୍ୟ୍ୟନ୍ତ ଏହି ରିପୋର୍ଟ ସାର୍ବଜନୀନ ହୋଇପାରି ନଥିଲା। ସେହିବର୍ଷ ଅଗଷ୍ଟ ୩୧ ତାରିଖରେ ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ ୨୦୨୧ରେ ହେବାକୁ ଥିବା ଜନଗଣନା ପ୍ରସ୍ତୁତି ସମୀକ୍ଷା ଅବସରରେ କହିଥିଲେ ଯେ ଏଥିରେ ଓବିସିଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯିବ। ଇତିମଧ୍ୟରେ ଗତ ଜାନୁଆରୀ ମାସରେ ଓଡ଼ିଶା ସରକାର ୨୦୧୧ ଓବିସି ଜନଗଣନା ରିପୋର୍ଟ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ସତ୍ତ୍ବେ ଏହି ତଥ୍ୟ ହସ୍ତଗତ ହୋଇପାରି ନାହିଁ। ଏଥିସହ ଗତ ଫେବୃଆରୀ ମାସରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସାଂସଦମାନେ ୨୦୨୧ ଜନଗଣନାରେ ଓବିସି ଜାତିଭିତ୍ତିକ ସର୍ଭେ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ।

Comments are closed.