କ୍ଷମତାକୁ ଆସିବାର ୧୦ଦିନରେ କୃଷକଙ୍କ ଋଣ ଛାଡ଼ ହେବ: ରାହୁଲ୍‍

0

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି କହିଛନ୍ତି। ମନ୍ଦସୌରରେ ଚାଷୀ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଗାନ୍ଧି କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଠନ କଲେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ। ମଣ୍ଡିରେ ତତ୍କାଳ ନଗଦ ପ୍ରଦାନ କରାଯିବ। କୃଷି କ୍ଷେତ୍ର ନିକଟରେ ହିଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‍ ସ୍ଥାପନା କରାଯିବ। ଏହାଫଳରେ ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ ଏବଂ କୃଷକ ଉପକୃତ ହେବେ। ଏହି ଅବସରରେ ଶ୍ରୀ ଗାନ୍ଧି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ ମଧ୍ୟପ୍ରଦେଶର ଶିବରାଜ ଚୌହ୍ୱାନଙ୍କ ନୀତିକୁ ସମାଲୋଚନା କରିଥିଲେ। ବିଜେପି ଶାସକ କେବଳ ଶିଳ୍ପପତିଙ୍କ ପାଇଁ କାମ କରୁଛି। କୃଷକଙ୍କୁ ଉପେକ୍ଷା କରୁଛି। ଏହି କାରଣରୁ ମୋଦି ସରକାର ୧୫ ଜଣ ଶିଳ୍ପପତିଙ୍କ ୧.୫ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି ବୋଲି ସେ କହିଛନ୍ତି।
୨୦୧୭ ଜୁନ୍‍ରେ ଆନ୍ଦୋଳନ ବେଳେ ପୁଲିସ୍‍ ଗୁଳିରେ ୬ ଜଣ କୃଷକଙ୍କ ମୃତ୍ୟୁ ଘଟିଥିଲା। ଏହାର ଏକବର୍ଷ ପୂର୍ତ୍ତି ଅବସରରେ ବୁଧବାର ମନ୍ଦସୌରରେ ଏହି ରାଲି କରାଯାଇଥିଲା। ମୃତକଙ୍କ ଘରକୁ ଯାଇ ପରିବାର ବର୍ଗଙ୍କ ସହିତ ଶ୍ରୀ ଗାନ୍ଧି ଆଲୋଚନା କରିବା ସହିତ ଆଶ୍ୱାସନା ଦେଇଥିଲେ।

kalyan agarbati
Leave A Reply