www.samajalive.in
Sunday, December 14, 2025
17.1 C
Bhubaneswar

ଏଫଆଇଏଚ୍‍ ପ୍ରୋ- ହକି ଲିଗ୍‍ : ୩-୨ ଗୋଲରେ ଭାରତକୁ ପରାସ୍ତ କଲା ବେଲଜିୟମ

ଭୁବନେଶ୍ୱର  : ଏଫ୍‍ଆଇଏଚ୍‍ ପ୍ରୋ- ହକି ଲିଗ୍‍ ଦ୍ୱିତୀୟ ସଂସ୍କରଣରେ ଭାରତ ପ୍ରଥମ ପରାଜୟ ବରଣ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳାଯାଇଥିବା ମ୍ୟାଚରେ ବେଲଜିୟମ ୩-୨ ଗୋଲରେ ଭାରତକୁ ପରାସ୍ତ କରିଛି। ଏଥି ସହିତ ଭାରତର ବିଜୟ ଧାରାକୁ ବେଲଜିୟମ ରୋକିବାରେ ସକ୍ଷମ ହୋଇଛି। ବେଲଜିୟମ ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୪ ପଏଣ୍ଟ ପାଇ ଶୀର୍ଷରେ ରହିଥିବାବେଳେ ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

ପ୍ରଥମ ମ୍ୟାଚକୁ ଜିତିଥିବା ଘରୋଇ ଭାରତ ଦ୍ୱିତୀୟ ମ୍ୟାଚକୁ ଜିତି କ୍ଲିନ୍‍ ସୁଇପ୍‍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇଥିଲା। ଅନ୍ୟପକ୍ଷରେ ବିଶ୍ୱ ଚମ୍ପିଆନ ବେଲଜିୟମ ପ୍ରଥମ ମ୍ୟାଚର ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଖେଳିଥିଲା। ୩ ମିନିଟ୍‍ରେ ବେଲଜିୟମକୁ ମ୍ୟାଚର ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଗୋଲ ଦେବା ନେଇ ମିଳିଥିବା ସୁଯୋଗକୁ ବେଲଜିୟମ ହାତଛଡ଼ା କରିନଥିଲା। ଆଲେକ୍‍ଜାଣ୍ଡାର ହେଣ୍ଡ୍ରିକ୍‍ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ବେଲଜିୟମର ଉକ୍ତ ଅଗ୍ରଣୀକୁ ଭାରତୀୟ ଖେଳାଳିମାନେ ବେଶୀ ସମୟ ରଖିବାକୁ ଦେଇନଥିଲେ। ୧୪ ମିନିଟ୍‍ରେ ଭାରତ ପକ୍ଷରୁ ବିବେକ ସାଗର ପ୍ରସାଦ ଏକ ସୁନ୍ଦର ଗୋଲ ଦେଇ ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ପ୍ରଥମ କ୍ୱାର୍ଟର ଖେଳ ୧-୧ ବରାବରରେ ଶେଷ ହୋଇଥିଲା।

- Advertisement -

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ। ୧୭ ମିନିଟ୍‍ରେ ବେଲଜିୟମ ପକ୍ଷରୁ ମ୍ୟାକ୍ସିମ୍‍ ପ୍ଲେନିଭାସ୍କୁ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଏହାର କିଛିସମୟ ପରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ପେନାଲ୍ଟି କର୍ଣ୍ଣରର ରିଭର୍ସ ସଟ୍‍କୁ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଗୋଲରେ ପରିଣତ କରି ମ୍ୟାଚକୁ ୨-୨ ବରାବର କରିଥିଲେ। ଗୋଲ ବରାବର ରହିବା ପରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଖେଳର ୨୬ ମିନିଟ୍‍ରେ ଭାରତୀୟ ଦୁର୍ବଳ ରକ୍ଷଣାପନ୍ଥୀର ଫାଇଦା ଉଠାଇ ବେଲଜିୟମ ପକ୍ଷରୁ ମ୍ୟାକ୍ସିମ୍‍ ପ୍ଲେନଭାସ୍କୁ ଦଳ ପକ୍ଷରୁ ତୃତୀୟ ଓ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟର ଖେଳରେ ବେଲଜିୟମ ଦୁଇଟି ଗୋଲ ସ୍କୋର କରିଥିବାବେଳେ ଭାରତ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ବେଲଜିୟମ ୩-୨ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ପ୍ରଥମରୁ ଭାରତ ନିକଟରେ ଗୋଲ ବରାବର କରିବା ନେଇ ସୁଯୋଗ ରହିଥିଲେ ମଧ୍ୟ ଦଳ ବିଫଳ ହୋଇଥିଲା। ଭାରତକୁ ୩୩ ମିନିଟ୍‍ରେ ମ୍ୟାଚର ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଉକ୍ତ ପେନାଲ୍ଟିକର୍ଣ୍ଣରକୁ ବେଲଜିୟମ ଗୋଲକିପର ସୁନ୍ଦର ଭାବେ ଅଟକାଇବାରେ ସକ୍ଷମ ହୋଇଥିଲେ। ଭାରତ ଗୋଲ ବରାବର କରିବା ନେଇ ବିପକ୍ଷ ଦଳ ଉପରେ ଘନଘନ ଆକ୍ରମଣ କରିଥିଲା। ଖେଳର ୪୫ ମିନିଟ୍‍ରେ ଭାରତକୁ ମ୍ୟାଚର ତୃତୀୟ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଗୋଲ ବରାବର କରିବା ନେଇ ଆଉ ଏକ ସୁଯୋଗ ମିଳିଥିଲେ ମଧ୍ୟ ଭାରତ ହାତଛଡ଼ା କରିଥିଲା। ତୃତୀୟ କ୍ୱାର୍ଟର ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟର ଖେଳ ଶେଷ ସୁଦ୍ଧା ବେଲଜିୟମ ୩-୨ରେ ଆଗୁଆ ରହିଥିଲା।

ଅନ୍ତିମ କ୍ୱାର୍ଟରରେ ଭାରତ ଗୋଲ ବରାବର କରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ୫୦ ମିନିଟ୍‍ରେ ଚିଙ୍ଗଲେନ୍‍ସାନା ସିଂହଙ୍କ ଏକ ସୁନ୍ଦର ପାସ୍‍କୁ ଗୁରୁଜାଣ୍ଟ ସିଂହ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ଭାରତର ସମସ୍ତ ଆକ୍ରମଣକୁ ବେଲ୍‍ଜିୟମ ଖେଳର ଶେଷ ମିନିଟ୍‍ ପର୍ଯ୍ୟନ୍ତ ପ୍ରତିରୋଧ କରିବାରେ ସକ୍ଷମ ହୋଇଥିଲା। ଶେଷରେ ବେଲଜିୟମ ମ୍ୟାଚ୍‍କୁ ୩-୨ ଗୋଲରେ ଜିତିବାରେ ସକ୍ଷମ ହୋଇଥିଲା। ଉଭୟ ଦଳର ଦୁଇ ମ୍ୟାଚ ଫଳାଫଳକୁ ଦେଖିଲେ ବେଲଜିୟମ ଗୋଟିଏ ଓ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। କିନ୍ତୁ ଉଭୟ ଦଳର ଗୋଲ ବ୍ୟବଧାନ ସମାନ ରହିଛି। ଉଭୟ ଦଳ ଦୁଇଟି ମ୍ୟାଚରୁ ୪ଟି ଲେଖାଏଁ ଗୋଲ ସ୍କୋର କରିଛନ୍ତି। ବେଲଜିୟମର ନିକୋଲାସ୍‍ ଡି କ୍ରିପାଲଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ମ୍ୟାଚକୁ ଭାରତ ୨-୧ ଗୋଲରେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚରେ ବେଲଜିୟମ ବିଜୟ ସହ ବରାବର କରିନେଇଛି। ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୨୧ ଓ ୨୨ରେ ତୃତୀୟ ରାଉଣ୍ଡ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ କଳିଙ୍ଗ ଷ୍ଟାଡ଼ିୟମରେ ମ୍ୟାଚ ଖେଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories