www.samajalive.in
Monday, December 15, 2025
16.1 C
Bhubaneswar

କେନ୍ଦ୍ର ବଜେଟ୍‌ରେ ପୂର୍ବତଟ ରେଳପଥକୁ ୫୮୬୫ କୋଟି: ଓଡ଼ିଶାର ଭାଗ ୪୩୭୩ କୋଟି

କମିଲା ଅନୁଦାନ, ମିଳିଲା ୨ ନୂଆ ପ୍ରକଳ୍ପ
ନୂଆଦିଲ୍ଲୀ : ଚଳିତ ମାସ ୧ ତାରିଖରେ କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ରେଳ ବଜେଟ ସହିତ ସାଧାରଣ ବଜେଟ ଉପସ୍ଥାପନ କରିସାରିଛନ୍ତି। ଚଳିତ ରେଳ ବଜେଟ ଅନୁସାରେ ଓଡ଼ିଶାକୁ ମିଳିଥିବା ଅନୁଦାନ ସଂପର୍କରେ ଆଜି (ବୁଧବାର) ରେଳ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ୨୦୨୦-୨୧ ରେଳ ବଜେଟରେ ଓଡ଼ିଶାକୁ ଦୁଇଟି ନୂଆ ପ୍ରକଳ୍ପ ମିଳିଛି। ତେବେ ଗତ ଆର୍ଥିକ ବର୍ଷର ବଜେଟ ତୁଳନାରେ ଚଳିତବର୍ଷ ଓଡ଼ିଶାକୁ ୧୬୨୦ କୋଟି ଟଙ୍କାର ଅନୁଦାନ କମିଛି। ଗତ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶାକୁ ସମୁଦାୟ ୫,୯୯୩ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ହୋଇଥଲା। ଏଥର ବଜେଟରେ ଓଡ଼ିଶାକୁ ମୋଟ ୪,୩୭୩ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି। ତେବେ ଗତ ବଜେଟରେ ଝାରସୁଗୁଡ଼ା-ବରପାଲି କୋଲ୍‌ କରିଡର୍‌ରେ ରେଳପଥ ନିର୍ମାଣ ପାଇଁ ଏନ୍‌ଟିପିସି ପକ୍ଷରୁ ୧୪୦୦ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ଥିଲା। ଇତିମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାରୁ ଚଳିତ ବର୍ଷ ଏନ୍‌ଟିପିସି ପକ୍ଷରୁ ଆଉ କୌଣସି ପ୍ରକଳ୍ପ ପାଇଁ ଅନୁଦାନ ବ୍ୟବସ୍ଥା ହୋଇନାହିଁ। ତେଣୁ ବାସ୍ତବରେ ଦେଖିବାକୁ ଗଲେ, ଚଳିତ ରେଳ ବଜେଟରେ ଓଡ଼ିଶାକୁ ୨୨୦ କୋଟିର ଅନୁଦାନ କମିଛି।

ରେଳବାଇ ତରଫରୁ ଜାରି ପିଙ୍କବୁକ୍‌ ତଥ୍ୟ ଅନୁଯାୟୀ, ପୂର୍ବତଟ ରେଳପଥ ଦ୍ୱାରା ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ (୨୪୧ କିଲୋମିଟର) ଓ ଦକ୍ଷିଣପୂର୍ବ ରେଳପଥ ଦ୍ୱାରା ବଡ଼ବିଲ-କିରିବୁର (୨୪.୫ କିଲୋମିଟର) ନୂତନ ରେଳପଥ ନିର୍ମାଣ କରାଯିବ। ପ୍ରସ୍ତାବିତ ସମ୍ବଲପୁର-ଗୋପାଳପୁର ରେଳପଥ ମଧ୍ୟ ଓଡ଼ିଶାର ସମ୍ବଲପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଓ ଗଞ୍ଜାମ ଆଦି ଜିଲାରେ ନିର୍ମାଣ କରାଯିବ। ଏହି ରେଳପଥ ନିର୍ମାଣ ପାଇଁ ସମୁଦାୟ ୨୯୫୭.୪୪ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେହିପରି ବଡ଼ବିଲ-କିରିବୁର ରେଳପଥ ନିର୍ମାଣ ପାଇଁ ସମୁଦାୟ ୭୦୫.୧୭ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁର କରାଯାଇଛି। ଏହି ନୂତନ ରେଳ ପ୍ରକଳ୍ପ କେନ୍ଦୁଝର ଜିଲାର ବଡ଼ବିଲ ଠାରୁ କିରିବୁରୁ ଅଞ୍ଚଳକୁ ସଂଯୋଗ କରିବ। ଲୁହାପଥର ପରିବହନ ପାଇଁ ମୁଖ୍ୟତଃ ଏହି ନୂତନ ରେଳପଥ ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି। ଓଡ଼ିଶାର ଏହି ଦୁଇ ନୂଆ ରେଳ ପ୍ରକଳ୍ପ ନିର୍ମାଣ ବାବଦକୁ ବଜେଟରେ ମାତ୍ର ୧ ହଜାର ଟଙ୍କା ଲେଖାଏଁ ଟୋକନ୍‌ ବ୍ୟୟ ବରାଦ କରାଯାଇଛି। ତେବେ ଗତବର୍ଷରୁ ଆରମ୍ଭ ହୋଇଥିବା ଅନ୍ୟ ୪ଟି ନୂଆ ପ୍ରକଳ୍ପ ଏବଂ ୪ଟି ରେଳପଥର ଦୋହରୀକରଣ ପାଇଁ ଚଳିତ ବଜେଟରେ ମାତ୍ର ୧ ହଜାର ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି। ଫଳରେ ଏହି ୮ଟି ପ୍ରକଳ୍ପର ଅଗ୍ରଗତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ରାୟ ତାଳଚେର-ଅନୁଗୁଳ ରେଳପଥ(୧୪.୪୭ କିମି.), ରାୟପୁର-ଝାରସୁଗୁଡ଼ା(୩୧୦ କିମି.), ଦିଘା-ଜଳେଶ୍ବର(୪୧ କିମି.), ବୁଢ଼ାମରା-ଚକୁଳିଆ(୫୦କିମି.) ପ୍ରକଳ୍ପ ନିର୍ମାଣ ଏବଂ ରାଜାଆଠଗଡ଼-ବାରଙ୍ଗ(୨୦କିମି.), ଝାରସୁଗୁଡ଼ା-ରେଙ୍ଗାଲି(୨୫.୬କିମି.), ଡେଲାଙ୍ଗ-ପୁରୀ(୨୮.୭), ଏବଂ ଭଦ୍ରକ-ବିଜୟନଗରମ୍‌ ତୃତୀୟ ଲାଇନ(୫୨୫କିମି.)ର ଦୋହରୀକରଣ ପାଇଁ ଚଳିତ ବଜେଟରେ ମାତ୍ର ୧ ହଜାର ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି।

- Advertisement -

ବଜେଟରେ ନୂତନ ରାୟଗଡ଼ା ଡିଭିଜନ ସ୍ଥାପନ ଓ ନୂତନ ଦକ୍ଷିଣପୂର୍ବତଟ ରେଳପଥ ସ୍ଥାପନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି। ଉଭୟ ନୂତନ ରେଳ ଜୋନ୍‌ ଓ ଡିଭିଜନ ସ୍ଥାପନ ବାବଦରେ ୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଶତ ପ୍ରତିଶତ ବିଦ୍ୟୁତ୍‌କରଣ ଲକ୍ଷ୍ୟରେ ଓଡ଼ିଶାର ସମସ୍ତ ରେଳପଥର ବିଦ୍ୟୁତ୍‌କରଣ ପାଇଁ ଆବଶ୍ୟକୀୟ ବ୍ୟୟବରାଦ କରାଯାଇଛି। ନୌପଡ଼ା-ଗୁଣୁପୁର, ରୁପସା-ବାଙ୍ଗିରିପୋଷି, ଲାଞ୍ଜିଗଡ଼-ଜୁନାଗଡ଼, ଟାଟା-ବାଦାମପାହାଡ଼ ଭଳି ଶାଖା ଲାଇନର ବିଦ୍ୟୁତ୍‌କରଣକୁ ପ୍ରାଥମିକତା ମିଳିଛି। ସେହିପରି ଅନୁଗୁଳ-ସୁକିନ୍ଦା ରୋଡ୍‌ ରେଳପଥକୁ ୪୫୦ କୋଟି, ତାଳଚେର-ବିମଳାଗଡ଼ ରେଳପଥକୁ ୧୪୦ କୋଟି ଓ ହରିଦାସପୁର-ପାରାଦ୍ୱୀପ ରେଳପଥକୁ ୧୦୦ କୋଟି ଟଙ୍କାର ବଜେଟ ଅନୁଦାନ ମିଳିଛି। ସେହିପରି ଦୋହରୀକରଣ, ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣକୁ ମଧ୍ୟ ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ବଲପୁର-ଟିଟିଲାଗଡ଼ ରେଳପଥର ଦୋହରୀକରଣ ପାଇଁ ୩୮୨ କୋଟି ଓ ବିଜୟାନଗରମ-ସମ୍ବଲପୁର ଭାୟା ଟିଟଲାଗଡ଼ ରେଳପଥ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ ପାଇଁ ୩୮୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବଜେଟରେ ସମ୍ବଲପୁରରୁ ଟିଟିଲାଗଡ଼ ରେଳପଥର ଦୋହରୀକରଣ ଓ ତୃତୀୟ ଲାଇନ୍‌ ବିଛାଇବା ଏବଂ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ନୂତନ ରେଳପଥ ନିର୍ମାଣ ଓ ବିଦ୍ୟୁତ୍‌କରଣ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ମିଳିଛି। ଅନୁଗୁଳସ୍ଥିତ ଲୋକୋ ସେଡ୍‌ ହୋଲ୍‌ଡିଂ କାପାସିଟି ୧୦୦ ଇଞ୍ଜିନରୁ ୧୫୦ଟି ଇଞ୍ଜିନକୁ ବୃଦ୍ଧି କରିବାକୁ ୪ କୋଟି ଟଙ୍କା, ମାନେଶ୍ୱରସ୍ଥିତ ରେଳ ୱାଗନ ମରାମତି କାରଖାନା ପାଇଁ ୨୦ କୋଟି ଏବଂ କଳାହାଣ୍ଡି ବିଦ୍ୟୁତ୍‌ ଇଞ୍ଜିନ ୱାର୍କସପ୍‌ ନିମନ୍ତେ ୧ କୋଟି ଅନୁଦାନ ବ୍ୟବସ୍ଥା ହୋଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ପୁରାତନ ପ୍ରକଳ୍ପ କୁହାଯାଉଥିବା ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳପଥ ପାଇଁ ସର୍ବାଧିକ ଅନୁଦାନ ମିଳିଛି। ଏହି ପ୍ରକଳ୍ପ ପାଇଁ ଗତବର୍ଷ ୩୫୦ କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ ଚଳିତବର୍ଷ ୫୧୯ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ହୋଇଛି। ନିର୍ମାଣାଧୀନ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳପଥ ବିଦ୍ୟୁତ୍‌କରଣ ପାଇଁ ୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଜି ସଂସଦରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପର ଶୀଘ୍ର ସମାପନ ଉପରେ ଗୁରୁତ୍ବାରୋପ କରିଛନ୍ତି।
୧୯୯୪-୯୫ ମସିହାରେ ଏହାକୁ ରେଳ ମନ୍ତ୍ରାଳୟର ମଞ୍ଜୁରି ଲାଭ କରିଥିବା ଖୋର୍ଦ୍ଧା​‌ ରୋଡ୍‌-ବଲାଙ୍ଗିର ରେଳପଥ ଅନେକ ଘାତ ପ୍ରତିଘାତ ମଧ୍ୟରେ ଗତି କରି ଆସିଛି। ଉପକୂଳ ଏବଂ ପଶ୍ଚିମ ଓଡ଼ିଶାକୁ ରେଳ ନେଟ୍‌ୱର୍କ ସହିତ ଯୋଡ଼ିବା ଏହି ମହଦାକାଂକ୍ଷୀ ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା। ରେଳ ଯୋଗାଯୋଗ ଆରମ୍ଭ ହେଲେ ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଫୁଲବାଣୀ, ସୋନପୁର ଭଳି ବହୁ ପଛୁଆ ଜିଲାର ଜନସଧାରଣଙ୍କ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ଦିଗରେ ଏହି ପ୍ରକଳ୍ପ ବେଶ୍‌ ସହାୟକ ହୋଇପାରିବ। ହେଲେ ଏହାପରେ ମଧ୍ୟ ପ୍ରକଳ୍ପରେ କୌଣସି ଅଗ୍ରଗତି ହୋଇ ନ ଥିଲା। ଶେଷରେ ୨୦୦୫ ମସିହାରେ ୟୁପିଏ ସରକାରଙ୍କ ସମୟରେ ୨୮୯ କିମି. ଲମ୍ବର ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ରେଳ ପ୍ରକଳ୍ପ ଉଭୟ ପଟୁ ନିର୍ମାଣ ଚାଲିଛି। ଖୋର୍ଦ୍ଧାରୁ ମହିପୁର ମଧ୍ୟରେ ୮୮ କିମି. ରେଳ ଲାଇନ୍‌ରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ୨୦୧୫ ମସିହା ଜୁଲାଇ ମାସ ୧୬ ତାରିଖରେ ଖୋର୍ଦ୍ଧା ରୋଡ୍‌ଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୧୫ ନଭେମ୍ବର ୩ ତାରିଖ ରେ ବେଗୁନିଆ-ରାଜସୁନାଖଳା, ୨୦୧୭ ମାର୍ଚ୍ଚ ୨୦ ତାରିଖରେ ରାଜସୁନାଖଳା-ବୋଲଗଡ଼ ରୋଡ୍‌, ୨୦୧୭ ଜୁନ ୧୯ ତାରିଖରେ ବୋଲଗଡ଼ ରୋଡ୍‌-ନୟାଗଡ଼ ଟାଉନ ଏବଂ ୨୦୧୯ ଜାନୁଆରୀ ମାସ ୧୫ ତାରିଖରେ ବଲାଙ୍ଗିର-ବିଛୁପାଲ୍ଲୀ ମଧ୍ୟରେ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇ ସାରିଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories