କାଶ୍ମୀର ପୁଲିସ ଗାଡ଼ି ଉପରେ ଗ୍ରେନେଡ଼ ମାଡ଼
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଦ୍ୱିପାକ୍ଷିକ ଆଲୋଚନାର ଯୁକ୍ତି ଉପସ୍ଥାପନ କରୁଥିବାବେଳେ ବିଗତ ୪ଦିନ ମଧ୍ୟରେ କାଶ୍ମୀରରେ ୧୪ଥର ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଶୋପିଆଁରେ ଗସ୍ତ କରୁଥିବା ପୁଲିସ ଗାଡ଼ି ଉପରେ ଆତଙ୍କବାଦୀମାନେ ଗ୍ରେନେଡ଼ ମାଡ଼ କରିଥିଲେ। ଆକ୍ରମଣ ଶୋପିଆଁ ମୁଖ୍ୟ ଛକ ନିକଟରେ ହୋଇଥିଲା। ବାଟପୋରା ଛକ ନିକଟରେ ଥିବା ପୁଲିସ ଛାଉଣିକୁ ଲକ୍ଷ କରି ଏଭଳି ଗ୍ରେନେଡ଼ ମାଡ଼ କରାଯାଇ ଥିଲା। ବିସ୍ଫୋରଣ ପରେ ସମ୍ପୃକ୍ତ ସ୍ଥାନରେ କିଛି ସମୟ ପାଇଁ ଗୁଳି ଚଲାଇଥିଲେ ଆତଙ୍କବାଦୀ। ଏହି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ଜଣ ପୁଲିସ କର୍ମଚାରୀ ମଧ୍ୟ ରହିଛନ୍ତି।
ବିଗତ ୪ଦିନ ମଧ୍ୟରେ କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ୧୪ଥର ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ରବିବାର ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ପୁଲବାମାରେ ନ୍ୟାସନାଲ କନଫାରେନ୍ସ ନେତା ଅବଦୁଲ ରଶିଦ୍ଙ୍କ ଘର ସମ୍ମୁଖରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ୪୨ ରାଷ୍ଟ୍ରୀୟ ରାଇଫେଲ ବ୍ୟାଟାଲିୟନ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଗ୍ରେନେଡ଼ ମାଡ଼ କରାଯାଇ ଥିଲା। ସେହିପରି ଶନିବାର ମଧ୍ୟ କାଶ୍ମୀରର ବିଭିନ୍ନ ସ୍ଥାନରେ ୪ଟି ଆକ୍ରମଣ ହୋଇଥିଲା।