ଆକାଶରେ ୧୪ ମିନିଟର ସଂଶୟ
ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ନେଇ ମରିସସ୍ ଯାଉଥିବା ବାୟୁସେନାର ଏକ ବିମାନ ସହ ୧୪ମିନିଟ୍ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହେବାକୁ ନେଇ ନାନା ପ୍ରକାର ସଂଶୟ ସୃଷ୍ଟି ହୋଇଛି। ଶନିବାର ସନ୍ଧ୍ୟାରେ ବାୟୁସେନାର ବିମାନ ‘ମେଘଦୂତ’ ସୁଷମାଙ୍କୁ ଧରି ତ୍ରିଭେନ୍ଦ୍ରମରୁ ମରିସସ୍ ଅଭିମୁଖେ ଉଡାଣ କରିଥିଲା। ତେବେ ବିମାନଟି ମରିସସ୍ ବାୟୁ ସୀମା ମଧ୍ୟକୁ ପ୍ରବେଶ କରିବା ପରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାକୁ ନେଇ ମରିସସ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଆଶଙ୍କିତ ହୋଇପଡିଥିଲା। ତେବେ ମରିସସ୍ ଏଟିସି କୌଣସି ପ୍ରକାର ଜରୁରୀ ଘୋଷଣା କରିବା ପୂର୍ବରୁ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଭାରତ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ବାୟୁସେନାର ‘ମେଘଦୂତ’ ବିମାନ ମରିସସ୍ ଏଟିସି ସହିତ ଯୋଗାଯୋଗ କରିପାରି ନଥିଲା। ତେବେ ବିମାନଟି ମାଳଦ୍ୱୀପ ଆକାଶ ମାର୍ଗରେ ଥିବାବେଳେ ଏହା ମାଳଦ୍ୱୀପ ଏଟିସି ସହିତ ଯୋଗାଯୋଗ କରିପାରିଥିଲା। ମରିସସ୍ ଆକାଶ ମାର୍ଗରେ ପ୍ରବେଶ ପରେ ୧୪ମିନିଟ୍ ପାଇଁ ବିମାନଟି ଏଟିସି ସହିତ ଯୋଗାଯୋଗ କରିପାରି ନଥିଲା। ପରବର୍ତ୍ତୀ ସମୟରେ ଏଟିସି ସହିତ ଯୋଗାଯୋଗ ପୂର୍ବକ ବିମାନଟି ସୁରକ୍ଷିତ ଅବତରଣ କରିଥିଲା। ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଇଣ୍ଡିଆ, ଚୀନ ଓ ଦକ୍ଷିଣ ଆଫ୍ରିକା) ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେବାକୁ ସୁଷମା ଭାୟା ମରିସସ୍ ଦେଇ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ମରିସସ୍ରେ ସାମୟିକ ରହଣି ସମୟରେ ସୁଷମା ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନୌଥ ଓ ବୈଦେଶିକ ମନ୍ତ୍ରୀ ସୀତାନାହ ଲୁଚମିନାରୈଡୁଙ୍କୁ ସାକ୍ଷାତ କରିଛନ୍ତି।