ଏଣିକି ଆତ୍ମହତ୍ୟା ଉଦ୍ୟମ ଅପରାଧ ନୁହେଁ

0

ନୂଆଦିଲ୍ଲୀ : ଆତ୍ମହତ୍ୟା ଉଦ୍ୟମକୁ ଏଣିକି ଆଉ ଅପରାଧ ବୋଲି ବିବେଚନା କରାଯିବ ନାହିଁ। ସେହିପରି ମାନସିକ ବିକୃତ ଶିଶୁଙ୍କୁ ଚିକିତ୍ସା ଲାଗି ବିଦ୍ୟୁତ୍‍ ସକ୍‍ ଦିଆଯାଇପାରିବ ନାହିଁ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ବର୍ଷ କେନ୍ଦ୍ର ସରକାର ଗୃହୀତ କରାଇଥିବା ମାନସିକ ସ୍ୱାସ୍ଥ୍ୟସେବା ଆଇନ ୨୦୧୭ ଅନୁଯାୟୀ ମେ ୨୯ରେ ମନ୍ତ୍ରଣାଳୟ ଏହି ବିଜ୍ଞପ୍ତି ଜାରି କରିଛି। ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୩୦୯ ଅନୁଯାୟୀ କୌଣସି ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିବାକୁ ଅପରାଧ ବିବେଚନା କରାଯାଇଥାଏ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ୧ବର୍ଷ ଜେଲ୍‍ ଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇଥାଏ। ନୂଆ ଆଇନରେ ଧାରା ୩୦୯କୁ ଉଚ୍ଛେଦ କରାଯାଇ ନାହିଁ। ଧାରା ୩୦୯ ପୂର୍ବ ପରି ବଜାୟ ରହିବ। ଏଣିକି ଆତ୍ମହତ୍ୟା ଉଦ୍ୟମକୁ ମାନସିକ ଚାପ ଜନିତ ବୋଲି ବିବେଚନା କରାଯିବ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଯଦି ଆତ୍ମହତ୍ୟା ଉଦ୍ୟମ ଅନ୍ୟ କୌଣସି କାରଣରୁ ବୋଲି ପ୍ରମାଣିତ ହୁଏ ଏଥିପାଇଁ ଧାରା ୩୦୯ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ନୂଆ ଆଇନ ଅନୁଯାୟୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିକୁ ସରକାର ଚିକିତ୍ସା, ଥଇଥାନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବେ। ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା କିମ୍ବା ବାସହୀନ ମାନସିକ ବିକୃତଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ରୂପେ ମାଗଣା କରାଯିବ। ମାନସିକ ସ୍ୱାସ୍ଥ୍ୟ ଆଇନ ୧୯୮୭କୁ ପରିବର୍ତ୍ତନ କରାଯାଇ ଏହି ନୂଆ ଆଇନ ଅଣାଯାଇଛି। ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବାର ୭-୮ମାସର ବିଚାରବିମର୍ଶ ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଇନର ଅନ୍ୟ ବ୍ୟବସ୍ଥା ଅନୁଯାୟୀ ମାନସିକ ବିକୃତ ଶିଶୁଙ୍କୁ ଚିକିତ୍ସା ଲାଗି ବିଦ୍ୟୁତ୍‍ ସକ୍‍ ଦିଆଯାଇପାରିବ ନାହିଁ। ଏପରି ଚିକିତ୍ସା ବ୍ୟବସ୍ଥାକୁ ଶିଶୁଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସେହିପରି ପ୍ରାପ୍ତବୟସ୍କ ମାନସିକ ବିକୃତ ରୋଗୀଙ୍କୁ ବିନା ନିଶ୍ଚେତକରେ ବିଦ୍ୟୁତ୍‍ ସକ୍‍ ଦିଆଯାଇପାରି ନାହିଁ ବୋଲି ଆଇନରେ ଉଲ୍ଲେଖ କରାଯାଇଛି। ମାନସିକ ବିକୃତ ପୁରୁଷ ଓ ମହିଳାଙ୍କୁ ବନ୍ଧ୍ୟାକରଣ କରାଯାଇପାରିବ ନାହିଁ କି ସେମାନଙ୍କୁ ଶିକୁଳିରେ ବାନ୍ଧି ରଖାଯାଇପାରିବ ନାହିଁ। ମାନସିକ ବିକୃତ ରୋଗୀଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି ତେଣୁ ସେମାନଙ୍କୁ ସମାଜରୁ ଦୂରେଇ ରଖାଯାଇପାରିବ ନାହିଁ। ଏହି ନୂଆ ଆଇନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏ ଦିଗରେ ଆବଶ୍ୟକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି।

Leave A Reply