ବେଟିଂକୁ ସ୍ୱୀକାର କଲେ ଅରବାଜ୍‍

0

ଥାନେ/ମୁମ୍ବଇ : ଗତ କିଛିବର୍ଷ ଧରି ସେ ଆଇପିଏଲରେ ବେଟିଂ କରୁଥିଲେ ବୋଲି ବଲିଉଡ୍‍ ଅଭିନେତା-ପ୍ରଯୋଜକ ଅର୍‍ବାଜ୍‍ ଖାଁ ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ପୁଲିସ ନିକଟରୁ ସମନ ପାଇବା ପରେ ଅରବାଜ୍‍ ବିଳମ୍ବ ନକରି ଶନିବାର ଥାନେ ପୁଲିସର ଦାଦାବଟି ନିବାରଣ ୟୁନିଟ ସମ୍ମୁଖରେ ହାଜର ହୋଇଥିଲେ। ପୂର୍ବରୁ ଏ ପ୍ରସଙ୍ଗରେ ଗିରଫ ହୋଇଥିବା କ୍ରିକେଟ ବୁକି ସୋନୁ ଜଲାନ ଓରଫ ସୋନୁ ମଲାଡ୍‍ର ଉପସ୍ଥିତିରେ ପୁଲିସ ଅର୍‍ବାଜ୍‍ଙ୍କୁ ଜେରା କରିଥିଲା। ଏହି ମୁହାଁମୁହିଁ ଜେରା ପ୍ରାୟ ୫ ଘଣ୍ଟା ଚାଲିଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ସୋନୁ ଜରିଆରେ ବିଗତ ୬ ବର୍ଷ ଧରି ଅରବାଜ୍‍ ଆଇପିଏଲ ମ୍ୟାଚ୍‍ରେ ବେଟିଂ କରି ଆସୁଛନ୍ତି। ଏ ବାବଦରେ ସୋନୁକୁ ଅର୍‍ବାଜ୍‍ ୨.୮ କୋଟି ଟଙ୍କା ପୈଠ କରିବା କଥା। ତେବେ ଏହି ବକେୟା ଅର୍ଥ ଏପର୍ଯ୍ୟନ୍ତ ପାଇନଥିବାରୁ ସୋନୁ ବାରମ୍ବାର ଅରବାଜ୍‍ଙ୍କୁ ଧମକ ଦେଉଥିଲା। ପୁଣି ଷ୍ଟିଙ୍ଗ୍‍ ଅପରେସନ୍‍ ଜରିଆରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାକୁ ସୋନୁ ରେକର୍ଡ କରିଥିଲା ଏବଂ ଏହି ଭିଡିଓଙ୍କୁ ଭାଇରାଲ କରିଦେବ ବୋଲି କହି ବ୍ଲାକ୍‍ମେଲ କରୁଥିଲା। ଏଥିରୁ ଅର୍‍ବାଜ୍‍ ଓ ସୋନୁ ମଧ୍ୟରେ ସମ୍ପର୍କ ରହିଥିବାର ପ୍ରମାଣ ମିଳିଛି ବୋଲି ଏ ଦୁହିଁଙ୍କୁ ଜେରା
କରିଥିବା ପୁଲିସ ସବ୍‍ଇନ୍‍ସ୍ପେକ୍ଟର ପ୍ରଦୀପ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବେଟିଂ ଦୁନିଆରେ ପାଦ ଥାପିବା ପରେ ଅରବାଜ୍‍ ଆରମ୍ଭରୁ ଭଲ ଲାଭ କମାଇଥିଲେ। ଫଳରେ ସେ ପରବର୍ତ୍ତୀ ସମୟରେ ଏହି ଜାଲରେ ଛନ୍ଦି ହୋଇ ଯାଇଥିଲେ; ଅର୍ଥାତ ଜୁଆ ନିଶାରେ ପଡ଼ି ଯାଇଥିଲେ। ଫଳରେ ସେ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରି ଚାଲିଥିଲେ ବୋଲି ପୁଲିସ ଜାଣିପାରିଛି। ତେବେ କେତେକ ସିଜିନ୍‍ରେ ଅର୍‍ବାଜ୍‍ ପ୍ରବଳ କ୍ଷତି ସହିବା ଫଳରେ ସେ ତାଙ୍କୁ ଟଙ୍କା ଦେଇ ପାରିନଥିଲେ ବୋଲି ସୋନୁ ଅଭିଯୋଗ କରିଛି।
ଥାନେ ପୁଲିସ ସୂତ୍ରରୁ ପ୍ରକାଶ ଯେ ଅର୍‍ବାଜ ବେଟିଂ ବା ଜୁଆରେ ଜଡ଼ିତ ଅଛନ୍ତି ବୋଲି ତାଙ୍କ ପରିବାର ଲୋକ ଜାଣିଥିଲେ। ଦାଉଦ୍‍ ଇବ୍ରାହିମ୍‍ର ଗ୍ୟାଙ୍ଗ୍‍ ସହ ସମ୍ପର୍କ ରଖିଥିବା ବୁକି ସୋନୁ ଜଲାନ୍‍ ବାରମ୍ବାର ତାଙ୍କୁ ଭେଟିବା ପାଇଁ ଅର୍‍ବାଜଙ୍କ ବଙ୍ଗଳାକୁ ଆସୁଥିଲା। ଏହାକୁ ମଧ୍ୟ ଅର୍‍ବାଜଙ୍କ ପରିବାର ଲୋକ ପସନ୍ଦ କରୁନଥିଲେ। ସୋନୁ ହିଁ ତାଙ୍କ ବେଟିଂର ମାଧ୍ୟମ ଥିଲା ବୋଲି ଅର୍‍ବାଜ ସ୍ୱୀକାର କରିଛନ୍ତି। ପୁଣି ଅର୍‍ବାଜଙ୍କଠାରୁ ଟଙ୍କା ଆଦାୟ ପାଇଁ ସୋନୁ କୁଖ୍ୟାତ ଗ୍ୟାଙ୍ଗ୍‍ଷ୍ଟର ରବି ପୂଜାରୀର ସହାୟତା ମଧ୍ୟ ଲୋଡ଼ିଥିଲା। ଏହାସହ ଜଣାପଡ଼ିଛି ଯେ ମୁମ୍ବଇର ଜଣେ ବରିଷ୍ଠ ଆଇପିଏସ୍‍ ଅଧିକାରୀଙ୍କୁ ସୋନୁ ସୁରକ୍ଷା ଯୋଗାଉଥିଲା। ପୁଣି ଗିରଫ ଏଡ଼ାଇବା ଲାଗି ସୋନୁ ଉକ୍ତ ଆଇପିଏସ୍‍ ଅଧିକାରୀଙ୍କୁ ମୋଟାଅଙ୍କର ଲାଞ୍ଚ ମଧ୍ୟ ଦେଉଥିଲା। କେବଳ ଏତିକି ନୁହେଁ; ସୋନୁକୁ ଜାଣିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଉପମହାଦେଶରେ ଖେଳା ଯାଇଥିବା ଏକ ଆନ୍ତର୍ଜାତିକ ମ୍ୟାଚ୍‍କୁ ଫିକ୍ସ କରିବାର ଉଦ୍ୟମ ମଧ୍ୟ ସୋନୁ କରିଥିଲା। ଏଥିପାଇଁ ଶ୍ରୀଲଙ୍କାର ଜଣେ ନାମୀ କ୍ରିକେଟରଙ୍କୁ ସୋନୁ ୧୦ କୋଟି ଟଙ୍କା ପ୍ରଦାନ କରିଥିଲା। ତେବେ ଉକ୍ତ ମ୍ୟାଚ୍‍ ଫିକ୍ସ ହୋଇଥିଲା କି ନାହିଁ; ତାହା ଜଣା ପଡ଼ିନାହିଁ।

ସୋନୁ ଜାଲାନ

ବେଟିଂ ଚାଲିଥିବା ସମ୍ପର୍କରେ ନିର୍ଦିଷ୍ଟ ସୂଚନା ପାଇବା ପରେ ଥାନେ ପୁଲିସ ମେ’ ୧୫ରେ ଥାନେର ଏକ ଆପାର୍ଟମେଣ୍ଟ ଉପରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଦୁଇଜଣଙ୍କୁ ମୁମ୍ବଇରୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ସୋନୁ ଜଲାନ ଅନ୍ୟତମ। ଜେରା ସମୟରେ ସୋନୁ ନିକଟରୁ ଅରବାଜ୍‍ଙ୍କ ସଂପୃକ୍ତି ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଶୁକ୍ରବାର ଅରବାଜ୍‍ଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା। ବଲିଉଡ୍‍ର ଏକାଧିକ ବ୍ୟକ୍ତି ଆଇପିଏଲ ବେଟିଂରେ ଜଡିତ ଅଛନ୍ତି ବୋଲି ପୁଲିସ ଜବତ କରିଥିବା ସୋନୁଙ୍କ ଡାଏରୀରୁ ଜଣାପଡିଛି। ଅତୀତରେ ସୋନୁ ଜଣେ କୁଖ୍ୟାତ ବୁକି ‘ଜୁନିୟର କଲକତା’ ଅଧିନରେ କାର୍ଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ସୋନୁ ସ୍ୱତନ୍ତ୍ର ଭାବେ ଏହି ବ୍ୟବସାୟ ଚଳାଇଥିଲା। ଏହି ରାକେଟ ପଛରେ ପାକିସ୍ତାନରେ ବସବାସ କରୁଥିବା କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‍ ଦାଉଦ ଇବ୍ରାହିମ ଏବଂ ତା ମାଲିକାନାରେ ପରିଚାଳିତ ‘ଡି’ କମ୍ପାନୀ ସଂପୃକ୍ତି ଥାଇପାରେ ବୋଲି ଥାନେ ପୁଲିସ ଆଶଙ୍କା କରୁଛି। ୨୦୧୩ରେ ଆଇପିଏଲ ବେଟିଂରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଦାରା ସିଂହଙ୍କ ପୁତ୍ର ତଥା ବଲିଉଡ ଅଭିନେତା ବିନ୍ଦୁ ଦାରା ସିଂହଙ୍କୁ ଗିରଫ କରିଥିଲା।

Leave A Reply