ଧଉଳି ଅଞ୍ଚଳରେ ଥିଲା ଅଶୋକଙ୍କ ବୃହତ୍ ଜନବସତି
ଭୁବନେଶ୍ୱର: ଧଉଳି ପାହାଡ଼ ନିକଟରେ ୨ଟି ପୁରାତନ ଗୁମ୍ଫାର ସନ୍ଧାନ କରାଯାଇଛି। ସେହିପରି ଏଠାରୁ ୨ଟି ଶିଳାଲିପି ଉଦ୍ଧାର ହୋଇଛି। ଅପରପକ୍ଷରେ ହାତତିଆରି ଖପରା, ବିଭନ୍ନ ରଙ୍ଗର ଖପରା ଓ ପଥରର ବାସନ ଉଦ୍ଧାର କରାଯାଇଛି। ଫଳରେ ଧଉଳି ଅଞ୍ଚଳରେ ମୌର୍ୟ୍ୟ ସମ୍ରାଟ ଅଶୋକଙ୍କ ବୃହତ ଜନବସତି ଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍ ଦାବି କରିଛନ୍ତି।
ଓଡ଼ିଶା ଇତିହାସର ପ୍ରଥମ ତାରିଖ ଥିବା ଐତିହାସିକ ଘଟଣା ତଥା ଭାରତ ଏବଂ ବିଶ୍ୱ ଇତିହାସକୁ ବିଶେଷ ଗୁରୁତ୍ୱ ରଖୁଥିବା ଖ୍ରୀଷ୍ଟପୂର୍ବ ୨୬୧ର କଳିଙ୍ଗ ଯୁଦ୍ଧକୁ ନେଇ ବିତର୍କ ଦେଖାଦେଇଛି। ଧଉଳିକୁ ସାମ୍ଭାବ୍ୟ କଳିଙ୍ଗ ଯୁଦ୍ଧର ସ୍ଥାନ ଭାବେ କିଛି ଐତିହାସିକ ସ୍ୱୀକୃତି ପ୍ରଦାନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ୱାରା ସେଠାରେ ଏକ ଗୁମ୍ଫାର ସନ୍ଧାନ କରିଥିବା ଖବର ପାଇଁ ଉତ୍କଳ ବିଶ୍ୱଦ୍ୟାଳୟର ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସେହି ସ୍ଥାନ ସର୍ବେକ୍ଷଣ କରାଯାଇଛି। ଏହି ସର୍ବେକ୍ଷଣରେ ଦୁଇଟି ପୁରାତନ ଗୁମ୍ଫାର ସନ୍ଧାନ ମିଳିଛି।
ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସନ୍ଧାନ କରାଯାଇଥିବା ଗୁମ୍ଫାରୁ ୨ଟି ଶିଳାଲେଖ ଉଦ୍ଧାର କରାଯାଇଛି। ପ୍ରଥମଟିରେ ଏକ ଧାଡ଼ିରେ ଥିବା ସ୍ୱସ୍ତିକ ଚିହ୍ନ ସହିତ ପାଞ୍ଚଟି ଅକ୍ଷର ରହିଛି।
ଦ୍ୱିତୀୟ ଶିଳାଲେଖଟି ୭୪ଟି ଅକ୍ଷର ବିଶିଷ୍ଟ ୭ଟି ଧାଡ଼ି ରହିଛି। ଏହି ଶିଳାଲିପିଗୁଡ଼ିକର ପାଠୋଦ୍ଧାର ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ସୁବ୍ରତ ଆଚାର୍ୟ୍ୟ, ରାଜ୍ୟ ସଂଗ୍ରହାଳୟର ଭାରତୀ ପାଲଙ୍କ ନିକଟକୁ ପଠାଯାଇଥିଲା। ଭାରତୀ ପାଲ୍ ଏହାର ପାଠୋଦ୍ଧାର କରି ଏହା ଏକ କୁଟୀଳ ଲିପି ଏବଂ ସଂସ୍କୃତ ଭାଷାର ଲେଖା ବୋଲି ପ୍ରକାଶ କରିଛନ୍ତି। ଏହା ଭୌମକର ରାଜବଂଶର ଶାନ୍ତିକର ଦେବଙ୍କ ସମୟର ଏକ ଶିଳାଲେଖ, ଯାହାକି ଅଷ୍ଟମ ଶତାବ୍ଦୀର ଅଟେ। ଏଥିରେ ଦୈନିକ ବୈଦ, ଯାହାଙ୍କ ଘର ଯାଜପୁର, ତାଙ୍କର ବଂଶାବଳୀ ସହିତ ସେ ଧଉଳିଠାରେ ଏକ ଔଷଧୀୟ ଉଦ୍ୟାନର ଉଲ୍ଲେଖ କରିଛନ୍ତି। ଏହା ପ୍ରଣିଧାନ ଯୋଗ୍ୟ ଯେ ଏହି ଶିଳାଲେଖଟି ବିଂଶ ଶତାବ୍ଦୀର ମଧ୍ୟ ଭାଗର ହୋଇପାରେ ପାଠୋଦ୍ଧାରରେ କୁହାଯାଇଥିବା ଉତ୍କଳ ବିଶ୍ୱିଦ୍ୟାଳୟର ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ସହାୟକ ପ୍ରଫେସର ଅନାମ ବେହେରା କହିଛନ୍ତି।
ଧଉଳିରେ ସନ୍ଧାନ କରାଯାଇଥିବା ଗୁମ୍ଫାଗୁଡ଼ିକ ଧବଳେଶ୍ୱର ମନ୍ଦିର ସମ୍ମୁଖ ତଥା ବୌଦ୍ଧ ଧର୍ମର ଉପାସନା ଗୃହ ମଧ୍ୟବର୍ତ୍ତୀ ସ୍ଥଳରେ ଅବସ୍ଥିତ। ଏସବୁ ସ୍ଥାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କରାଯିବା ଦରକାର। ଫଳରେ ଧଉଳି ଘଟଣାବଳୀକୁ ଉଜ୍ଜୀବିତ କରିହେବ। ବୁଦ୍ଧା ଉପାସନା ଗୃହ ଏବଂ ଅଶୋକଙ୍କ ଶିଳାଲେଖ ବିସ୍ତୃତ ଅଞ୍ଚଳରେ ପାଖାପାଖି ପାଞ୍ଚ ଏକ ବ୍ୟାପୀଥିବା ପ୍ରାଚୀରଘେରା ଚାଷଜମି ରହିଛି। ଏଠାରେ ବହୁ ପରିମାଣର ମାଟିପାତ୍ରର ଅବଶେଷ ପଡ଼ିରହିଛି। ଏଠାରୁ କୋର୍ ଅଫ୍ ମାଇକ୍ରୋଲିଥ୍ ଏବଂ ହାତତିଆରି ଖପରା ମିଳିଛି। ଏହାସହିତ ପଥରର ବାସନ ଏବଂ ବିଭିନ୍ନ ରଙ୍ଗର ଖପରା ମଧ୍ୟ ମିଳିଛି, ଯାହା ଚାରିହଜାର ବର୍ଷ ପୂର୍ବର ହୋଇଥାଇପାରେ। ଏହାର ନିକଟରୁ ତୃତୀୟ ଶତାବ୍ଦୀର ଅଶୋକଙ୍କ ଶିଳାଲେଖ ଏବଂ ଅଷ୍ଟମ ଶତାବ୍ଦୀର ଭୌମକର ଶିଳାଲିପି ମଧ୍ୟ ଉଦ୍ଧାର ହୋଇଛି। ଧଉଳି ପାହାଡ଼ରୁ ସନ୍ଧାନ କରାଯାଇଥିବା ପୁରାତନ ଗୁମ୍ଫା, ଶିଳାଲେଖ ଓ ସେସବୁ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ସାମଗ୍ରୀକୁ ଭିତ୍ତିକରି ଅଶୋକଙ୍କ ସମୟରେ ଏଠାରେ ଏକ ବୃହତ ଜନବସତି ଥିଲା ବୋଲି କୁହାଯାଇପାରିବ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି।