ରାଜନୀତି ବନ୍ଦ କର, ଶଙ୍କରାଚାର୍ଯ୍ୟ
ପୁରୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଉଚିତ । ଏହା ଭାରତର ୧୦୦କୋଟି ହିନ୍ଦୁଙ୍କ ଇଚ୍ଛା । ରାମ ମନ୍ଦିରକୁ ନେଇ ଭୋଟ ରାଜନୀତି ବନ୍ଦ କରାଯିବାକୁ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଛନ୍ତି ।
ଏଠାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ । ଭାରତ ଓ ନେପାଳ ମଧ୍ୟରେ ଥିବା ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ଯେପରି ଅକ୍ଷୁଣ୍ଣ ରହିବ ସେଥିପ୍ରତି ଦୁଇ ଦେଶ ଧ୍ୟାନ ଦେବା ଆବଶ୍ୟକ । ମହାନଦୀ ବିବାଦ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାକୁ ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି । ସେ କହିଲେ ଏଥିପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ସହମତି ଦରକାର। ମହାନଦୀ ପ୍ରଦୂଷିତ ଏବଂ ସଂକୁଚିତ ହେଉଥିବାରୁ ଶଙ୍କରାଚାର୍ଯ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଲେ ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର ଗୋବର୍ଦ୍ଧନ ପୀଠକୁ ଜମି ନଫେରାଇଲେ ଆକ୍ରୋଶର କୁପରିଣାମ ଭୋଗ କରିବେ। ମହାନଦୀ ଜଳ ବିବାଦ ଅପେକ୍ଷା ତା’ର ସୁରକ୍ଷା ଏବଂ ପୁନରୁଦ୍ଧାର ପ୍ରତି ସରକାର ଗୁରୁତ୍ୱ ଦେବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶଙ୍କରାଚାର୍ଯ୍ୟ କହିଲେ ବିରୋଧୀ ଦଳଗୁଡ଼ିକ ଠିକ୍ ଭାବେ ସେମାନଙ୍କ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ଉଚିତ । ନେପାଳ ଓ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯିବା ସପକ୍ଷରେ ସେ ମତ ଦେଇଛନ୍ତି । ମହାନଦୀ ଜଳ ବଣ୍ଟନକୁ ନେଇ ରାଜନୀତି ଅପେକ୍ଷା ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧନ ହୋଇପାରିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।