ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

0

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଜୟପୁର ଆରଡବ୍ଲ୍ୟୁ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ଭୋଳଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ସେଲ ପକ୍ଷରୁ ଚଢଉ କରାଯାଇଛି। ଚଢଉ ବେଳେ ତାଙ୍କର ୩କୋଟି ୬୪ଲକ୍ଷ ୪୨ହଜାର ୮୧୪ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିବା ଆକଳନ କରାଯାଇଛି। ଶ୍ରୀ ଭୋଳ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହେବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଶ୍ରୀ ଭୋଳଙ୍କ ଭୁବନେଶ୍ୱର ବଡଗଡଠାରେ ଥିବା ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ୪ମହଲା କୋଠା, ପୁରୀ ଗୋପଠାରେ ନିଜ ପତ୍ନୀଙ୍କ ନାମରେ ଥିବା କଲ୍ୟାଣ ମଣ୍ଡପ, ଗୋପ ଓଡମ୍ବା ଗ୍ରାମସ୍ଥିତ ପୈତୃକ ବାସଭବନ, ଜୟପୁରସ୍ଥିତ କାର୍ଯ୍ୟାଳୟ ଓ ବାସଭବନ, ପତ୍ନୀ ନିର୍ଦେଶିକା ଥିବା ସ୍ୱସ୍ତି ଆର୍କିଟେକ୍‍ ଆଣ୍ଡ ଇଞ୍ଜିନିୟରିଂ ସଂସ୍ଥାର ଭୁବନେଶ୍ୱର କାର୍ଯ୍ୟାଳୟ ଆଦିରେ ଚଢଉ କରାଯାଇଥିଲା। ଚଢଉ ସମୟରେ ଶ୍ରୀ ଭୋଳ ନିଜ ପତ୍ନୀଙ୍କ ନାମରେ ଖୋଲିଥିବା ସଂସ୍ଥା ଆଳରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବହୁ ପରିମାଣର ପ୍ଲଟ କିଣିଥିବା ଜଣାପଡିଥିଲା। ଏଥିସହ ବହୁ ପରିମାଣର ସୁନା ରୂପା ଗହଣା, ଦୁଇଟି କାର, ଦୁଇଟି ବାଇକ, ଜୀବନ ବୀମା ଓ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଥିବା ଜଣାପଡିଥିଲା। ଏଥିସହ ନିଜ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ନାମରେ ବିଭିନ୍ନ ସ୍ଥାନରେ ଜମି କିଣିଥିବା ଜଣାପଡିଛି। ଘଟଣାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

Leave A Reply