ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ପାଇଁ ୯୦ କୋଟି ପ୍ରଦାନ ନିଷ୍ପତ୍ତି

0

ନୂଆଦିଲ୍ଲୀ : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ନିମନ୍ତେ ୯୦ କୋଟି ଟଙ୍କା ପ୍ରଦାନ ପାଇଁ ଇଣ୍ଡିଆନ ଅଏଲ୍‍ ଫାଉଣ୍ଡେସନର ଟ୍ରଷ୍ଟି ବୋର୍ଡର ବୈଠକରେ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବରୁଣେଇ ସହ ପୁରୀର ବ୍ରହ୍ମଗିରି ଗଡ ରୋଡଙ୍ଗଠାରେ ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମୃତିରେ ନିର୍ମାଣ କାମ କରାଯିବ ।
ଗୁଜରାଟର ସର୍ଦାର ପଟେଲଙ୍କ ଓ ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ସ୍ମୃତିରେ ନିର୍ମିତ ମେମୋରିଆଲ ପରି ବରୁଣେଇ ପାହାଡ଼ର ପାଦଦେଶରେ ସ୍ମାରକୀ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି । ଏଥି ନିମନ୍ତେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ୨୫ ଏକର ଜମି ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କୁ ପୂର୍ବରୁ ଅନୁରୋଧ କରାଯାଇଛି ।
କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୁଧବାର ନୂଆଦିଲ୍ଲୀଠାରେ ୧୬ତମ ଇଣ୍ଡିଆନ ଅଏଲ୍‍ ଫାଉଣ୍ଡେସନର ଟ୍ରଷ୍ଟି ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ବୈଠକରେ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ଟ୍ରଷ୍ଟ ଦ୍ୱାରା କରାଯାଉଥିବା ପ୍ରକଳ୍ପଗୁଡ଼ିକର କ୍ରିୟାନ୍ୱୟନକୁ ନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁମ୍ବଇର କାନହେରି ଗୁମ୍ଫା, ବିହାରର ଅଶୋକ ପିଲାର, ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର, ବେଙ୍ଗାଲୁରୁର ଭୋଗନନ୍ଦୀଶ୍ୱର ମନ୍ଦିର, ବିହାରର ଖାଜେଖାଲାନ ଘାଟ ଓ ପୋର୍ଟ ବ୍ଲେୟାରର ସେଲୁଲାର ଜେଲ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା ।

Leave A Reply