ବିଶ୍ୱ ଏକାଦଶର ନେତୃତ୍ୱ ନେବେ ଆଫ୍ରିଦି
ଲଣ୍ଡନ: ୱେଷ୍ଟଇଣ୍ଡିଜ ଏକାଦଶ ବିରୋଧରେ ବିଶ୍ୱ ଏକାଦଶ ଗୁରୁବାର ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ନିମନ୍ତେ ପୂର୍ବରୁ ବିଶ୍ୱ ଏକାଦଶର ଅଧିନାୟକ ଭାବେ ନିଯୁକ୍ତ ଇଂଲଣ୍ଡର ଇଅନ୍ ମୋର୍ଗାନଙ୍କ ଏକ ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ସେ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପାକିସ୍ତାନର ଅଲରାଉଣ୍ଡର ସାହିଦ୍ ଆଫ୍ରିଦିଙ୍କୁ ବିଶ୍ୱ ଏକାଦଶ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା ଆଇସିସି ତରଫରୁ ଘୋଷଣା କରାଯାଇଛି।
ଗତବର୍ଷ ଝଡବାତ୍ୟାରେ ୱେଷ୍ଟଇଣ୍ଡିଜର ଅନେକ ଷ୍ଟାଡ଼ିୟମ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏସବୁ ଷ୍ଟାଡ଼ିୟମର ମରାମତି ନିମନ୍ତେ ଏହି ପ୍ରଦର୍ଶନୀ ମ୍ୟାଚ୍ ଆୟୋଜିତ ହେଉଛି। ମୋର୍ଗାନ୍ ଗତ ରବିବାର ସମରସେଟ୍ ବିପକ୍ଷ ମ୍ୟାଚ୍ରେ ମିଡିଲସେକ୍ସ ତରଫରୁ ଖେଳୁଥିବା ବେଳେ ତାଙ୍କ ଡାହାଣ ହାତର ଆଙ୍ଗୁଠି ଭାଙ୍ଗି ଯାଇଥିଲା। ତେଣୁ ସେ ବିଶ୍ୱ ଏକାଦଶ ଦଳରୁ ବାଦ୍ ପଡ଼ିଛନ୍ତି। ମୋର୍ଗାନ୍ଙ୍କ ସ୍ଥାନରେ ସାମ ବିଲିଙ୍ଗ୍ସକୁ ବିଶ୍ୱ ଏକାଦଶ ଦଳରେ ସାମିଲ କରାଯାଇଛି। ଦଳର ଅଧିନାୟକ ଭାବେ ମନୋନୀତ ହେବା ପରେ ନିଜ ଟ୍ୱିଟର୍ ଆକାଉଣ୍ଟରେ ଆଫ୍ରିଦି ଖୁସି ବ୍ୟକ୍ତ କରିବା ସହ ଗୁରୁବାର କ୍ରିକେଟ୍ପ୍ରେମୀ ଉଚ୍ଚମାନର ଖେଳ ଦେଖିବାକୁ ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ସୂଚନାଥାଉକି କିଛିଦିନ ତଳେ ବିଶ୍ୱ ଏକାଦଶରେ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସାମିଲ କରାଯାଇଥିଲା।