ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ : ନିଅାଁଲିଭାରେ ବାୟୁସେନା ସାମିଲ

0

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ମାଲବ୍ୟ ନଗରସ୍ଥିତ ଏକ ରବର କାରଖାନାରେ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଦୀର୍ଘ ୨୦ ଘଣ୍ଟାର ଅବିଶ୍ରାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏହାକୁ ଲିଭାଇବା ନିମନ୍ତେ ବାୟୁସେନାର ସହଯୋଗ ନେବାକୁ ପଡିଛି।  ଏକ ଏମ୍‍ଆଇ-୧୭ ହେଲିକପ୍ଟର ସହାୟତାରେ କାରଖାନାର ବିଭିନ୍ନ ମହଲାରେ ଜଳ ସିଞ୍ଚନ କରାଯାଇ ନିଆଁ ଲିଭାଯାଇଛି। ମଙ୍ଗଳବାର ଅପରାହ୍ଣ ୫ଟାରେ ଖିର୍‍କି ଏକ୍ସଟେନ୍‍ସନ୍‍ ସ୍ଥିତ ଏକ ପଣ୍ୟାଗାରରେ ପ୍ରଥମେ ନିଆଁ ଲାଗି ଅନ୍ୟତ୍ର ବ୍ୟାପିଥିଲା। କିନ୍ତୁ ଗୋଦାମ ନିକଟରେ ଥିବା ଏକ ରବର ବୋଝେଇ ଟ୍ରକ୍‍ରେ ନିଆଁ ଲାଗିଯିବା କାରଣରୁ ଏହା ଉଗ୍ର ରୂପ ଧାରଣ କରିଥାଇପାରେ ବୋଲି ପୁଲିସ କହୁଛି। ଅଗ୍ନିଶମ ବିଭାଗର ୮୦ ଜଣ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାତିତମାମ୍‍ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତୁରନ୍ତ ନିକଟସ୍ଥ ସ୍କୁଲ, ଜିମ୍‍ ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ଖାଲି କରିଦିଆଯାଇଥିଲା। ଏହି ଘଟଣାରେ ମାଲବ୍ୟନଗର ଥାନାରେ ଆଇପିସି ଧାରା ୩୩୬ ଏବଂ ୨୮୫ରେ ଏକ ମାମଲା ରୁଜୁ ହୋଇଛି ବୋଲି ଦକ୍ଷିଣ ଦିଲ୍ଲୀ ଡିସିପି ରୋମିଲ ବନିଆ ବୁଧବାର କହିଛନ୍ତି।

Leave A Reply