ଏୟାରସେଲ-ମ୍ୟାକ୍ସିସ ମାମଲା : ପି.ଚିଦମ୍ବରମଙ୍କ ଗିରଫଦାରୀ ଉପରେ ରୋକ

0

ନୂଆଦିଲ୍ଲୀ : ଏୟାର୍‍ସେଲ୍‍- ମାକ୍ସିସ୍‍ ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀ ସ୍ୱତନ୍ତ୍ର ଅଦାଲତ ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଜୁନ୍‍ ୫ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଅନ୍ତରୀଣ ସୁରକ୍ଷା ନିମନ୍ତେ ଚିଦମ୍ବରମ୍‍ ପୂର୍ବାହ୍ନରେ ଅଦାଲତରେ ଆବେଦନ କରିଥିଲେ। ତାଙ୍କ ବିରୋଧରେ ଥିବା ସମସ୍ତ ଲିଖିତ ପ୍ରମାଣ ବର୍ତ୍ତମାନର ସରକାରଙ୍କ ନିକଟରେ ରହିଛି। ତାଙ୍କ ନିକଟରୁ କୌଣସି ପ୍ରମାଣ ମିଳିବାର ସମ୍ଭାବନା ମଧ୍ୟ ନାହିଁ ବୋଲି ଆବେଦନରେ ସେ ଦର୍ଶାଇଛନ୍ତି। ଅତୀତରେ ଚିଦମ୍ବରମ୍‍ଙ୍କ ନିର୍ମଳ ଭାବମୂର୍ତ୍ତି ତଥା ସାମାଜିକ ପ୍ରତିଷ୍ଠାକୁ ବିଚାରକୁ ନେଇ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ନିମନ୍ତେ ବରିଷ୍ଠ ଓକିଲ କପିଲ ସିବଲ ଏବଂ ଅଭିଶେକ ମନୁ ସିଙ୍ଘଭୀ ସ୍ୱତନ୍ତ୍ର ବିଚାରପତି ଓ. ପି. ସାଇନୀଙ୍କ ନିକଟରେ ଯୁକ୍ତି ବାଢିଥିଲେ। ମାତ୍ର ମେ’ ୩୦ରେ ଇଡିଙ୍କ ନିକଟରେ ହାଜର ହେବାକୁ ସମନ ଜାରି କରାଯାଇଥିବା ବେଳେ ଚିଦମ୍ବରମ୍‍ ତାହାର ଖିଲାପ କରିଥିବା ଇଡିଙ୍କ ଓକିଲ ନୀତେଶ ରାଣା ଅଭିଯୋଗ କରିଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ବିଚାରପତି ଅନ୍ତରୀଣ ସୁରକ୍ଷା ସମ୍ବନ୍ଧରେ ଇଡିଙ୍କ ପ୍ରତିକ୍ରିୟା ଲୋଡିଛନ୍ତି। ଏଥିସହ ଚିଦମ୍ବରମ୍‍ଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି।
ଏହି ମାମଲାରେ ସିବିଆଇ ୨୦୧୮ ଫେବୃଆରୀରେ ଚିଦମ୍ବରମ୍‍ଙ୍କ ପୁତ୍ର କାର୍ତ୍ତୀଙ୍କୁ ଗିରଫ କରିଛି। ସିବିଆଇ ଏବଂ ଇଡି ପକ୍ଷରୁ କାର୍ତ୍ତୀଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ ସମ୍ବନ୍ଧୀୟ ମାମଲା ଉପରେ ଜୁଲାଇ ୧୦ରେ ଶୁଣାଣି ହେବ। ସିବିଆଇର ଅଭିଯୋଗ ଅନୁଯାୟୀ ଏୟାରସେଲ୍‍ରେ ୮୦୦ ନିୟୁତ ଡଲାର ବିନିଯୋଗ କରିବା ନିମନ୍ତେ ମାକ୍ସିସ୍‍ର ଶାଖା କମ୍ପାନୀ ମରିସସ୍‍ ଭିତ୍ତିକ ଗ୍ଲୋବାଲ କମ୍ୟୁନିକେଶନ୍‍ ସର୍ଭିସେସ୍‍ ହୋଲ୍‍ଡିଂସ ଅନୁମତି ଲୋଡିଥିଲା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‍ କମିଟି ଏହି ଅନୁମତି ପ୍ରଦାନ କରିବାର ନିୟମ ରହିଥିଲେ ମଧ୍ୟ ତତ୍‍କାଳୀନ ଅର୍ଥମନ୍ତ୍ରୀ ଏହି ମଞ୍ଜୁରୀ ଦେଇଥିଲେ। ବୈଦେଶିକ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡ (ଏଫ୍‍ଆଇପିବି) ପକ୍ଷରୁ ଏହି ମଞ୍ଜୁରୀ ପ୍ରଦାନ କରାଯିବା ପରେ କାର୍ତ୍ତୀଙ୍କ ସହିତ ଜଡିତ ଏକ କମ୍ପାନୀକୁ ଏୟାର୍‍ସେଲ ଟେଲିଭେଞ୍ଚର ଲିମିଟେଡ୍‍ ପକ୍ଷରୁ ୨୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

Leave A Reply