ଆମକୁ କେହି ଅଟକାଇ ପାରିବେନି : ରମଣ ସିଂହ

0

ଝାରସୁଗୁଡ଼ା: ଭୋଟ ଆସିଲେ ମହାନଦୀ ପାଣିକୁ ନେଇ ରାଜନୀତି ହୁଏ। ନିଜ ଭୋଟ ବ୍ୟାଙ୍କ ବଢ଼େଇବା ପାଇଁ ପଡ଼ୋଶୀ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ମହାନଦୀକୁ ନେଇ ରାଜନୀତି କରନ୍ତି; କିନ୍ତୁ ମହାନଦୀର ପାଣି ନେବାକୁ ଆମକୁ କେହି ଅଟକାଇ ପାରିବେ ନାହିଁ। ସ୍ପଷ୍ଟ ଭାଷାରେ ଓଡ଼ିଶା ସରକାରକୁ ସମାଲୋଚନା କରିବା ସହ ମହାନଦୀ ପାଣି ପ୍ରସଙ୍ଗରେ ନିଜର ହକ୍‍ ସାବ୍ୟସ୍ତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡ଼. ରମଣ ସିଂହ। ବିକାଶ ଯାତ୍ରା କାର୍ୟ୍ୟକ୍ରମ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଡ଼. ସିଂହ ପରୋକ୍ଷରେ ମହାନଦୀ ପ୍ରସଙ୍ଗରେ ନିଜର ଜିଦ୍‍ ପ୍ରଦର୍ଶନ କରିଛନ୍ତି।
ସୀମାନ୍ତବର୍ତ୍ତୀ ରାୟଗଡ଼ରେ ଅନୁଷ୍ଠିତ ଏକ ସମାବେଶରେ ଛତିଶଗଡ଼ରେ ତାଙ୍କ ସରକାର କରିଥିବା ବିକାଶ କାମକଥା କହିବା ସହିତ ମହାନଦୀ ଓ ଅନ୍ୟ ନଦୀମାନଙ୍କରେ ନିର୍ମାଣ କରାଯାଇଥିବା ବ୍ୟାରେଜ ଓ ବନ୍ଧ ରାଜ୍ୟର ବିକାଶ ପାଇଁ ବୋଲି କହିଥିଲେ। ଏହାଦ୍ୱାରା ହଜାର ହଜାର
ଛତିଶଗଡ଼ର ଚାଷୀ ଲାଭବାନ ହେବେ। ପରେ ସାମ୍ବାଦିକ ସମ୍ମିଳନୀରେ ମହାନଦୀକୁ ନେଇ ଓଡ଼ିଶା ସରକାର ନିଜର ଅପାରଗତାକୁ ଲୁଚାଇବା ସହିତ ରାଜନୈତିକ ଫାଇଦା ନେବାପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରୁଛି କିମ୍ବା କେତେକ ସଂଗଠନ ଜରିଆରେ ଏହି ଆନ୍ଦୋଳନ କରାଉଥିବା ରମଣ ସିଂ କହିଛନ୍ତି। ମହାନଦୀର ୮୬ ପ୍ରତିଶତ କ୍ୟାଚମେଣ୍ଟ ଛତିଶଗଡ଼ରେ ରହିଥିବାବେଳେ ମାତ୍ର ୧୪ ପ୍ରତିଶତ ଓଡ଼ିଶାରେ ରହିଛି। ସେହି ଅନୁପାତରେ ମହାନଦୀ ପାଣି ଉପରେ ଛତିଶଗଡ଼ର ଅଧିକ ଅଧିକାର ରହିଛି। କିନ୍ତୁ ମଧ୍ୟପ୍ରଦେଶ ଥିବା ସମୟରୁ ହୀରାକୁଦ ଡ଼୍ୟାମ ନିର୍ମାଣକରି ମହାନଦୀର ପାଣି ଓଡ଼ିଶା ଅଧିକ ବ୍ୟବହାର କରୁଛି ବୋଲି ରମଣ ସିଂ କହିଛନ୍ତି। ପୂର୍ବରୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିଥିଲା। ଏବେ ୨୦୧୯ ନିର୍ବାଚନ ପାଖେଇ ଆସିବାରୁ ପୁଣି ମହାନଦୀକୁ ବିଜେଡି ଢ଼ାଳ କରିଛି ବୋଲି ସେ କହିଛନ୍ତି।
ପୂର୍ବରୁ କେନ୍ଦ୍ର ସରକାର ଉଭୟ ଛତିଶଗଡ଼ ଓ ଓଡ଼ିଶାର ମୁଖ୍ୟ ଶାସନ ସଚିବମାନଙ୍କୁ ଡ଼ାକି ଏକ ବୋର୍ଡ଼ ଗଠନ କରିବାକୁ କହିଥିଲେ। ସେତେବେଳେ ଛତିଶଗଡ଼ ମୁଖ୍ୟ ଶାସନ ସଚିବ ଏହି ପ୍ରସ୍ତାବକୁ ତୁରନ୍ତ ମାନି ନେଇଥିବାବେଳେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଥମେ ଟାଳଟୁଳ ନୀତି ଅବଳମ୍ବନ କରିଥିଲେ। ପରେ ବୋର୍ଡ଼ ଗଠନକୁ ମନା କରିଦେଇଥିଲେ। ତେବେ ଏହା କଣ ରାଜନୀତିରେ ପ୍ରେରିତ ନୁହଁ କି ବୋଲି ରମଣ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୧୯୮୩ ମସିହାରେ ମହାନଦୀ ପାଣି ବଣ୍ଟନକୁ ନେଇ ଦୁଇ ରାଜ୍ୟ ଓଡ଼ିଶା ଓ ତତ୍‍କାଳିନ ମଧ୍ୟପ୍ରଦେଶ ମଧ୍ୟରେ ମଧ୍ୟରେ ଚୁକ୍ତି ହୋଇଥିଲା। ସେତେବେଳେ ପାଣି ବଣ୍ଟନକୁ ନେଇ ଏକ ସଂଯୁକ୍ତ କଣ୍ଟ୍ରୋଲ ରୁମ ଗଠନ କରିବାକୁ ଉଭୟ ରାଜ୍ୟ ରାଜି ମଧ୍ୟ ହୋଇଥିଲେ। କିନ୍ତୁ ଦୁଇ ରାଜ୍ୟ ମଧ୍ୟରେ କୌଣସି କାରଣବଶତଃ କଣ୍ଟ୍ରୋଲ ରୁମ ଗଠନ ହୋଇପାରି ନ ଥିଲା। ଫଳରେ ଆଜି ମହାନଦୀ ପାଣିକୁ ନେଇ ଛତିଶଗଡ଼ ଓ ଓଡ଼ିଶ ମଧ୍ୟରେ ବିବାଦ ତୀବ୍ରତର ହେବାରେ ଲାଗିଛି।
ପୂର୍ବରୁ ବିଜେଡ଼ି ଏନଡ଼ିଏରେ ଥିଲା; କିନ୍ତୁ ଏନଡ଼ିଏରୁ ବାହାରିବା ପରେ କେନ୍ଦ୍ର ସରକାରଙ୍କୁ ମହାନଦୀ ପ୍ରସଙ୍ଗରେ ରାଜନୀତିରେ ସାମିଲ କରି ଏହାର ରାଜନୈତିକ ଫାଇଦା ନେବାକୁ ବିଜେଡ଼ି ପଛାଉ ନ ଥିବା ମଧ୍ୟ ରମଣ ସିଂ କହିଛନ୍ତି। ମହାନଦୀ ପାଣିରେ ଛତିଶଗଡ଼ର ଅଗ୍ରାଧିକାର ରହିଛି। ବର୍ଷାଦିନେ ମହାନଦୀରେ ବହିଯାଉଥିବା ପାଣି ବଙ୍ଗୋପସାଗରେ ବହିଯାଉଛି। ତାକୁ ସଂରକ୍ଷଣ କରିବାକୁ ଓଡ଼ିଶା ସରକାର କୌଣସି ପଦକ୍ଷେପ ନେଇ ନ ଥିବା ଶ୍ରୀ ସିଂ ଅଭିଯୋଗ କରିଛନ୍ତି। ଗତ ୨୬ ତାରିଖରେ କଟକରେ ପ୍ରଧାନମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଦାୟୀ କରିଥିଲେ। ୫୩ ପ୍ରତିଶତ ମହାନଦୀ ପାଣି ସମୁଦ୍ରରେ ଚାଲିଯାଇଛି। ମହାନଦୀ ଛଡ଼ା ଓଡ଼ିଶାରେ ଆଉ ୫ ନଦୀ ରହିଛି। ସେହି ନଦୀମାନଙ୍କରେ ଏଯାଏ ରାଜ୍ୟ ସରକାର କାହିଁକି ବ୍ୟାରେଜ ନିର୍ମାଣ କରିନାହାନ୍ତି ବୋଲି କହିଥିଲେ। ଯଦି ବି ମହାନଦୀରେ ଆଉ କେତୋଟି ସ୍ଥାନରେ ବ୍ୟାରେଜ ନିର୍ମାଣ ହୋଇଥିଲେ କଣ ଅଣମୌସୁମୀ ସମୟରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା ବ୍ୟାରେଜରେ ପାଣି ଛାଡ଼ିଥାନ୍ତା କି? ରମଣ ଓ ପ୍ରଧାନମନ୍ତ୍ରୀଙ୍କ ଏହି ଯୁକ୍ତି ମଧ୍ୟ ବିବାଦୀୟ ଛଡ଼ା ଆଉ କିଛି ହୋଇନପାରେ। ଅନ୍ୟପକ୍ଷରେ ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ବିରୋଧରେ ରାଜ୍ୟସରକାର ସୁପ୍ରିମକୋର୍ଟ ସହିତ କଲକାତା ଜାତୀୟ ସବୁଜ ଟ୍ରିବ୍ୟୁନାଲରେ ମାମଲା ଦାୟର କରିଛନ୍ତି। ଏହାର କୌଣସି ଫଇସଲା ଆସିବା ପୂର୍ବରୁ ରମଣ ସିଂ ଦେଇଥିବା ବୟାନ ‘ମହାନଦୀର ପାଣି ନେବା ପାଇଁ ଆମକୁ କେହି ଅଟକାଇ ପାରିବେ ନାହିଁ ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି।

Leave A Reply