୨୦୧୯ରେ କେନ୍ଦ୍ରରେ ସଫଳ ହେବ ନାହିଁ ମହାମେଣ୍ଟ: ସର୍ବେକ୍ଷଣ

0

କଟକ:  କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ୪ ବର୍ଷ ପୂରଣ କରିଛି । ଏହି ସରକାରଙ୍କ ଅନେକ ସଫଳତା ଓ ବିଫଳତା ରହିଛି । ଆଉ ବର୍ଷେ ପରେ ହେବ ସାଧାରଣ ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହେଲାଣି । ବିଭିନ୍ନ ରାଜନୈତିକ ଦଳ ବି ସଜବାଜ ହେଲେଣି । କର୍ଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ ସହ ଅନ୍ୟ ବିରୋଧୀଦଳଙ୍କର ମହାମେଣ୍ଟର ଆଭାସ ମିଳିଛି । କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଜେପି ବିରୋଧୀ ଶକ୍ତିମାନଙ୍କୁ ଏକାଠି ହେବା ଦେଖିବାକୁ ମିଳିଥିଲା ।

ତେବେ କେନ୍ଦ୍ରରେ ସରକାରରେ ରହିବାର ୪ ବର୍ଷ ପରେ ମୋଦୀଙ୍କର ଲୋକପ୍ରିୟତା, ତାଙ୍କର କେଉଁ କାମ ଜନସାଧାରଣଙ୍କୁ  ବେଶୀ ପ୍ରଭାବିତ କରିଛି – ଏପରି କିଛି ପ୍ରଶ୍ନକୁ ନେଇ ସମାଜଲାଇଭ୍‌ ଡଟ ଇନ୍‌ ପକ୍ଷରୁ ଅନ୍‌ଲାଇନ୍‌ ସର୍ବେକ୍ଷଣ କରାଯାଇଥିଲା। ମୋଦି କଟକର ଜନକଲ୍ୟାଣ ସମାବେଶରେ ଉଦ୍‌ବୋଧନ ଦେବାପରେ ଏହି ସର୍ବେକ୍ଷଣ କରାଯାଇଥିଲା  । ୧୭୦୪ଜଣ  ଏହି ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ନିର୍ବାଚନରେ ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେବେ ବୋଲି ଅଧିକାଂଶ ପାଠକ ମତ ପ୍ରକାଶ କରିଛନ୍ତି । ମହାମେଣ୍ଟ ବିଫଳ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ପ୍ରଥମ ପ୍ରଶ୍ନ- ମୋଦୀ ସରକାରଙ୍କ ୪ ବର୍ଷର ଶାସନକୁ ଆପଣ କିପରି ମୂଲ୍ୟାୟନ କରୁଛନ୍ତି ?

ଏହି ପ୍ରଶ୍ନର ଉତ୍ତରରେ ୫୬.୩୩ ପ୍ରତିଶତ ମୋଦୀଙ୍କ ଶାସନକୁ ଅତି ଭଲ ବୋଲି କହିଛନ୍ତି  । ୨୨.୬୪ ପ୍ରତିଶତ ଭଲ , ୮.୬୩ ପ୍ରତିଶତ ଚଳନୀୟ ଶାସନ ବୋଲି କହିଥିବା ବେଳେ ୧୨.୪୦ ପ୍ରତିଶତ ଖରାପ ଶାସନ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ଦ୍ୱିତୀୟ ପ୍ରଶ୍ନ- ମୋଦି ସରକାରଙ୍କର ସବୁଠାରୁ ବଡ଼ ସଫଳତା !

ଏହାର ଉତ୍ତରରେ ସର୍ଜିକାଲ ଷ୍ଟ୍ରାଇକକୁ ଅଧିକାଂଶ ପାଠକ ମୋଦୀ ସରକାରଙ୍କ ସବୁଠାରୁ ବଡ଼ ସଫଳତା ବୋଲି ମାନିଛନ୍ତି । ୩୮.୭୭ ପ୍ରତିଶତ ଏହାକୁ ସବୁଠାରୁ ବଡ଼ ସଫଳତା ବୋଲି କହିଛନ୍ତି । ୩୧.୦୮ ପ୍ରତିଶତ ଜିଏସ୍‌ଟି, ୨୦.୯୨ ପ୍ରତିଶତ ବିମୁଦ୍ରାୟନ ଓ ୯.୨୩ ପ୍ରତିଶତ ଅନ୍ୟ କିଛିକୁ ମୋଦୀଙ୍କ ସଫଳତା ବୋଲି ମତ ଦେଇଛନ୍ତି ।

ତୃତୀୟ ପ୍ରଶ୍ନ- ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତା

ରୋଜଗାର ସୃଷ୍ଟି ପାଇଁ ମୋଦୀ ଅନେକ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆରମ୍ଭ କରାଯାଇଛି ମାତ୍ର ବେରୋଜଗାରୀକୁ  ୪୦.୦୬ ପ୍ରତିଶତ  ପାଠକ ସବୁଠାରୁ ବଡ ବିଫଳତା ବୋଲି ମତ ଦେଇଛନ୍ତି । ଏହାପରେ ବିମୁଦ୍ରାୟନକୁ ୧୯.୫୬ ପ୍ରତିଶତ, କାଶ୍ମୀର ପ୍ରସଙ୍ଗରେ ମୋଦୀ ବିଫଳ ହୋଇଥିବା ୧୭.୩୫ ପ୍ରତିଶତ ଓ ଅନ୍ୟକିଛିରେ ବିଫଳ ହୋଇଥିବା ୨୩.୦୩ ପ୍ରତିଶତ ପାଠକ ମତ ଦେଇଛନ୍ତି ।

ଚତୁର୍ଥ ପ୍ରଶ୍ନ- ଆସନ୍ତା ୨୦୧୯ ନିର୍ବାଚନରେ ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଜୟୀ ହେବ !

ଆସନ୍ତା ନିର୍ବାଚନରେ ମୋଦୀ କେନ୍ଦ୍ରରେ ସରକାର ଗଠନ କରିବେ ବୋଲି ୭୭.୯୧ ପ୍ରତିଶତ ମତ ଦେଇଛନ୍ତି ।  ୧୪.୨୪ ପ୍ରତିଶତ ମୋଦୀ ସରକାର ଗଠନ କରିପାରିବେ ନାହିଁ ବୋଲି ମତ ଦେଇଥିବା ବେଳେ  ୭.୮୫ ପ୍ରତିଶତ କିଏ ସରକାର ଗଠନ କରିବ ସେ କଥା ଜାଣି ନ ଥିବା କଥା କହିଛନ୍ତି ।

ପଞ୍ଚମ ପ୍ରଶ୍ନ- କର୍ଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ ସହାୟତାରେ ହୋଇଥିବା ମହାମେଣ୍ଟ ମୋଦିଙ୍କ ବିରୋଧରେ ସଫଳ ହେବ !

କର୍ଣ୍ଣାଟକ ନିର୍ବାଚନ ପରେ ବିଜେପି ବିରୋଧରେ ମହାମେଣ୍ଟ ଗଠନ ହେବା ନେଇ ଆଭାସ ମିଳିଛି । ତେବେ ଏହି ମହାମେଣ୍ଟ ପ୍ରଭାବହୀନ ରହିବ ବୋଲି ଅନେକ ପାଠକ ମତ ଦେଇଛନ୍ତି । ୭୦.୮୯ ପ୍ରତିଶତ ପାଠକ ଏହି ମେଣ୍ଟ ପ୍ରଭାବହୀନ ବୋଲି ମତ ଦେଇଛନ୍ତି ।  ୨୧.୦୪ ପ୍ରତିଶତ ଏହି ମେଣ୍ଟ ସଫଳ ହେବ ବୋଲି  କହିଛନ୍ତି । ସେହିପରି ୮.୦୭ ପ୍ରତିଶତ ଏ ବିଷୟରେ କିଛି କହିପାରିବେ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ମୋଦୀଙ୍କୁ ଭେଟିଲେ ଆପଣଙ୍କ ଗୋଟିଏ ପ୍ରଶ୍ନ କ’ଣ ହେବ ? ଏଥିରେ ଅନେକ ପାଠକ ମତ ଦେଇଛନ୍ତି ।  ୨୦୧୪ ପୂର୍ବରୁ  ମୋଦୀ ଯେଉଁ ’ଅଛେ ଦିନ’ ଆସିବ ବୋଲି କହିଥିଲେ  ଏଥିରେ ସେ କ’ଣ ସଫଳ ହୋଇଛନ୍ତି କି ବୋଲି ଅନେକ ପାଠକ ପ୍ରଶ୍ନ କରିଛନ୍ତି । ସେହିପରି କଳାଧନ କ’ଣ ଦେଶକୁ ଫେରିଛି କି ବୋଲି ଆଉ କିଛି ପାଠକ ପ୍ରଶ୍ନ କରିଛନ୍ତି ।  ସେହିପରି ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଆସିବ ବୋଲି ମୋଦି ୨୦୧୪ ନିର୍ବାଚନ ପୂର୍ବରୁ ଯାହା କହିଥିଲେ ତାହା କେତେବେଳେ ଆସିଲା ବୋଲି ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରସ୍ତୁତି, ଉପସ୍ଥାପନା ଓ ଗ୍ରାଫିକ୍ସ-ଜିତ୍‌ ପଟ୍ଟନାୟକ

Leave A Reply