ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ- ମୁଖ୍ୟସଚିବ ଆଲୋଚନା

0

ଭୁବନେଶ୍ୱର: ପ୍ରଗତି ପ୍ରକଳ୍ପ ଭାବେ ଚିହ୍ନଟ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି। ଏହି ଅବସରରେ ମୁଖ୍ୟତଃ ଅମୃତ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ରେଳବାଇ ପ୍ରକଳ୍ପ ବିଷୟରେ ସମୀକ୍ଷା ହୋଇଥିଲା।
ମୁଖ୍ୟ ସଚିବ ଶ୍ରୀ ପାଢ଼ୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ, ବାରିପଦା, ବାଲେଶ୍ୱର, ଭଦ୍ରକ ଆଦି ୯ଟି ସହରାଞ୍ଚଳରେ ଅମୃତ ଯୋଜନାରେ ୧୫୯୯କୋଟି ଟଙ୍କା ବ୍ୟୟ ଅଟକଳରେ ୧୯୩ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ୧୬୭ଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ସରି କାର୍ଯ୍ୟାଦେଶ ଦିଆଯାଇଛି। ଅବଶିଷ୍ଟ ୨୬ଟି ପ୍ରକଳ୍ପର ଟେଣ୍ଡର ଆହ୍ୱାନ କରାଯାଇଛି। ୨୭ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି। ଜୁନ ଶେଷ ସୁଦ୍ଧା ସମୁଦାୟ ୫୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୫୦:୫୦ ଅନୁପାତରେ ପାଣ୍ଠି ଯୋଗାଉଛନ୍ତି।
ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬,୮୧,୬୩୬ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଯୋଗାଣ ବ୍ୟବସ୍ଥାକୁ ଶତ ପ୍ରତିଶତ କମ୍ପ୍ୟୁଟରୀକରଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୩ପ୍ରତିଶତ ରେସନ କାର୍ଡ଼ର ଆଧାର ସଂଯୋଗୀକରଣ ହୋଇଛି। ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ସ୍ୱଚ୍ଛତା ପୋର୍ଟାଲ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି। ଧାନ ସଂଗ୍ରହ ପ୍ରକ୍ରିୟାରେ ବର୍ଷକୁ ପ୍ରାୟ ୭,୫୦୦କୋଟି ଟଙ୍କାର ଅଣନଗଦ ଦେଣନେଣ(ଡିଜିଟାଲ ପେମେଣ୍ଟ) ବ୍ୟାଙ୍କ ଖାତା ମାଧ୍ୟମରେ କରାଯାଉଛି। ରାଜ୍ୟର ଅନେକ ସ୍ଥାନରେ ଇଣ୍ଟରନେଟ ଯୋଗାଯୋଗ ନଥିବାରୁ ସେଠାରେ ଅଣନଗଦ କାରବାରରେ ଅସୁବିଧା ସୃଷ୍ଟି ହେଉଥିବା ସମ୍ପର୍କରେ ମୁଖ୍ୟ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।
ବୁଢ଼ାପଙ୍କରୁ ଶାଳଗାଁ ମଧ୍ୟରେ ୧୭୦ କିମି ବିଶିଷ୍ଟ ତୃତୀୟ ଓ ଚତୁର୍ଥ ରେଳ ଲାଇନ ନିର୍ମାଣ ପ୍ରକଳ୍ପ ପାଇଁ ସମୁଦାୟ ୧୧୭୩କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ ୮୪.୭୦ ହେକ୍ଟର ଜମି ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ୧୩.୭୦ ହେକ୍ଟର ସରକାରୀ ଜମିରେ କାମ ଆରମ୍ଭ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅବଶିଷ୍ଟ ୭୧ ହେକ୍ଟର ଘରୋଇ ଜମିକୁ ଅଧିଗ୍ରହଣ ନକରି ସିଧାସଳଖ ଜମି ମାଲିକଙ୍କଠାରୁ ଉଚିତ ଦାମରେ କ୍ରୟ କରାଗଲେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ପାଢ଼ୀ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ରାଜ୍ୟରେ ଏହି ତିନିଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବିଷୟରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ମୁଖ୍ୟ ଶାସନ ସଚିବଙ୍କ ରେଳ ପ୍ରକଳ୍ପ ସଂକ୍ରାନ୍ତ ପରାମର୍ଶକୁ ଗ୍ରହଣ କରିଥିଲେ।
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଜି.ଶ୍ରୀନିବାସ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ଡ.ଚନ୍ଦ୍ରଶେଖର କୁମାର, ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ ପ୍ରମୁଖ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିଥିଲେ।

Leave A Reply