ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାରେ ମୁସଲିମ ପକ୍ଷ ତଥା ସୁନ୍ନି ୱକଫ ବୋର୍ଡର ଓକିଲ ରାଜୀବ ଧୱନଙ୍କ ହିନ୍ଦୁ ବିରୋଧୀ ବିବାଦୀୟ ମନ୍ତବ୍ୟକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ କାଇଛି। ଦେଶରେ ମୁସଲମାନ ନୁହନ୍ତି, ବରଂ ହିନ୍ଦୁମାନେ ଶାନ୍ତି ଭଙ୍ଗ କରୁଛନ୍ତି ବୋଲି ରାଜୀବ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ମନ୍ତବ୍ୟକୁ ଭୁଲ ଭାବେ ଗଣମାଧ୍ୟମରେ ଉପସ୍ଥାପନ କରାଯାଇଛି ବୋଲି ସେ ସଫେଇ ଦେଇଛନ୍ତି।
ରାଜୀବ କହିଛନ୍ତି, ତାଙ୍କ ମନ୍ତବ୍ୟର ତ୍ରୁଟିପୂର୍ଣ୍ଣ ଉପସ୍ଥାପନ କରାଯାଉଛି। ଟେଲିଭିଜନ ଦ୍ବାରା ଏଭଳି କରାଯାଇଛି। ମୁଁ ଯେତେବେଳେ ହିନ୍ଦୁଙ୍କ କଥା କହିଛି, ସେତେବେଳେ ସମସ୍ତ ହିନ୍ଦୁଙ୍କ ବିଷୟରେ କହିନାହିଁ। ବାବ୍ରି ମସଜିଦ ମାମଲାରେ ଯେତେବେଳେ ହିନ୍ଦୁ ଶବ୍ଦର ପ୍ରୟୋଗ କରାଯାଏ, ଏହାର ଅର୍ଥ ହେଉଛି ସଂଘ ପରିବାର। ମୁଁ କୋର୍ଟରେ କହିଲି ଯେ ଯେଉଁମାନେ ବାବ୍ରି ମସଜିଦ ଭାଙ୍ଗିଥିଲେ ସେମାନେ ହେଉଛନ୍ତି ହିନ୍ଦୁ ତାଲିବାନ। ମୁଁ ଏହା ସଂଘ ପରିବାର ଉଦ୍ଦେଶ୍ୟରେ କହିଥିଲି, ଯେଉଁମାନେ ହିଂସା ସୃଷ୍ଟି କରିବା ପାଇଁ ସମର୍ପିତ।



