ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ସାମୂହିକ ଉଦ୍ୟମ ଲୋଡ଼ା: ବାଚସ୍ପତି

ଭୁବନେଶ୍ୱର : ଝଡ଼ବାତ୍ୟା ଅବା ପ୍ରାକୃତିକ ବିପର୍ଯ୍ୟୟକୁ ରୋକିହେବ ନାହିଁ। କିନ୍ତୁ ଏହାର ମୁଖ୍ୟ କାରଣ କୁହାଯାଉ ଥିବା ଜଳବାୟୁ ପରିବର୍ତ୍ତନ ଉପରେ ଅଙ୍କୁଶ ଲାଗି ପାରିଲେ ବିପର୍ଯ୍ୟୟ ପ୍ରଶମନ ଦିଗରେ ଆମକୁ ସଫଳତା ମିଳିବ ବୋଲି ମତପ୍ରକାଶ ପାଇଛି। ମଙ୍ଗଳବାର ଗୀତଗୋବିନ୍ଦ ସଦନ ଠାରେ ଜଳବାୟୁ ନ୍ୟାୟ ଅଭିଯାନ (ପିଏସିଜେ) ଓ ଫୋକସ୍ ଓଡ଼ିଶା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ସମ୍ମିଳନୀକୁ ଉଦ୍‌ଘାଟନ କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆମେ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛୁ। ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ସହ ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି ବିଶ୍ବ ସମୁଦାୟ ପାଇଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ତେବେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ପ୍ରତ୍ୟେକ ନାଗରିକ ଉଦ୍ୟମ କରିବା ଆବଶ୍ୟକ ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ।
ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ କହିଥିଲେ ଯେ ସହରାଞ୍ଚଳରେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ଅଧିକ ପ୍ରଭାବ ପଡ଼ୁଛି। ଏଥିଯୋଗୁଁ ସହରାଞ୍ଚଳରେ ଅରସଂଗଠିତ ଶ୍ରମିକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ସେ କହିଥିଲେ। ଜଳବାୟୁ ନ୍ୟୟ ଅଭିଯାନ (ପିଏସିଜେ) ଓ ଫୋକସ୍ ଓଡ଼ିଶା ଫାଉଣ୍ଡେସନ୍ ନିର୍ଦେଶକ ସୁଦର୍ଶନ ଛୋଟରାୟଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ, ଆଇଆଇଟି, ଭୁବନେଶ୍ବରର ପ୍ରାଧ୍ୟାପକ ଉମାଚରଣ ମହାନ୍ତି, ଡ଼ ଭିନୋଜ ଭେଲୁ, ଡ଼ ଦେବବ୍ରତ ସ୍ବାଇଁ, ପ୍ରଫେସର ପ୍ରିତମ ମହାନ୍ତି, ପ୍ରଫେସର ବିଷ୍ଣୁ ଦାସ, ପ୍ରଫେସର ଜୟନ୍ତ କୁମାର ରାଉତରାୟ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାନ୍ବୟର ପୁନଃସମୀକ୍ଷା କରାଯିବା ସହ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଚିହ୍ନଟ ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିବା, ଏନେଇ ଏକ ଘୋଷଣାନାମା ପ୍ରକାଶ କରିବା ଓ ପ୍ରଭାବିତ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ଏଥିରେ ମତପ୍ରକାଶ ପାଇଥିଲା।

kalyan agarbati

Comments are closed.