ବଢ଼ୁଛି କର୍ଣ୍ଣାଟକ କନ୍ଦଳ

0

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ରାଜନୈତିକ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ସରକାର ଗଢ଼ିବା ପାଇଁ ଅନୁରୂପ ସୁଯୋଗ ଦେବାକୁ ଗୋଆ, ମଣିପୁର, ମେଘାଳୟରେ କଂଗ୍ରେସ ଓ ବିହାରରେ ଆରଜେଡି ଦାବି କରୁଛି।

ଗୋଆରେ ଚନ୍ଦ୍ରକାନ୍ତ କାଭ୍‍ଲେକରଙ୍କ ନେତୃତ୍ୱରେ କଂଗ୍ରେସ ସଂସଦୀୟ ଦଳ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। କଂଗ୍ରେସକୁ ସରକାର ଗଠନ ପାଇଁ ୭ ଦିନ ମଧ୍ୟରେ ଆବଶ୍ୟକ ବହୁମତ ସାବ୍ୟସ୍ତ କରିବାକୁ ଶକ୍ତି ପରୀକ୍ଷା ଅନୁମତି ଦେବାକୁ ପତ୍ରରେ ନିବେଦନ କରାଯାଇଛି। ୧୬ ଜଣିଆ କଂଗ୍ରେସ ବିଧାୟକ ଦଳରୁ ଆଜି ରାଜ୍ୟପାଳଙ୍କ ନିକଟକୁ ୧୪ ଜଣ ଯାଇଥିଲେ। ଜଣେ ବିଧାୟକ ବିଦେଶଗସ୍ତରେ ଥିବା ବେଳେ ଆଉ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେବାରୁ ଆସିପାରି ନ ଥିଲେ। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ସର୍ବାଧିକ ୧୭ଟି ଆସନ ପାଇଥିବା ବେଳେ ୪ଜଣ ବିଧାୟକଙ୍କ ସମର୍ଥନ କମ୍‍ ପଡ଼ିଯାଇଥିଲା। ଅପରପକ୍ଷରେ ବିଜେପି ୧୩ଟି ଆସନରେ ବିଜୟ ଲାଭ କରିଥିôଲେ ମଧ୍ୟ ଗୋଆ ଫରୱାର୍ଡ ପାର୍ଟି ଓ ମହାରାଷ୍ଟ୍ରୱାଦୀ ଗୋମଣ୍ଟକ ପାର୍ଟି ଏବଂ ତିନି ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି।

ସେହିପରି ବିହାରରେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜଶ୍ୱୀ ଯାଦବ ବିହାର ବିଧାନସଭା ଭଙ୍ଗ କରି ଆରଜେଡିକୁ ବହୁମତ ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ସତ୍ୟପାଳ ମଲିକଙ୍କୁ ଅନୁରୋଧ କରିଛନ୍ତି। ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓକ୍‍ରାମ୍‍ ଇବ୍‍ବୋଇ ସିଂହ ଏବଂ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ୍‍ ସାଙ୍ଗ୍‍ମା ମଧ୍ୟ ଏହି ପ୍ରସଙ୍ଗରେ ସେହିସବୁ ରାଜ୍ୟର ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି।

କିଛି ଦିନ ତଳେ ଅନୁଷ୍ଠିତ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ମୋଟ୍‍ ୬୦ଟି ଆସନରୁ ୨୮ଟି ଆସନ ପାଇଥିବା ବେଳେ ମାତ୍ର ୩ଟି ଆସନ ପାଇଁ ସରକାର ଗଠନ କରିପାରି ନ ଥିଲା। ଅପରପକ୍ଷରେ ବିଜେପି ୨୧ଟି ଆସନରେ ଜିତି ନାଗା ପିପୁଲ୍‍ସ ଫ୍ରଣ୍ଟର ୪ ଜଣ, ନ୍ୟାଶ୍‍ନାଲ୍‍ ପିପୁଲ୍‍ସ ପାର୍ଟିର ୪ଜଣ, ଲୋକ ଜନଶକ୍ତି ପାର୍ଟିର ଜଣେ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି।
ମେଘାଳୟରେ କଂଗ୍ରେସ ୨୧ଜଣ ବିଧାୟକଙ୍କ ସହିତ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ନ୍ୟାଶ୍‍ନାଲ୍‍ ପିପୁଲସ୍‍ ପାର୍ଟି ୧୯ ଜଣ ବିଧାୟକ ସହିତ ଅନ୍ୟମାନଙ୍କ ସମର୍ଥନରେ ସରକାର ଗଠନ କରିଛି।

କର୍ଣ୍ଣାଟକ ନାଟକର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ସମଗ୍ର ଦେଶରେ ପ୍ରଜାତନ୍ତ୍ର ବଚାଓ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରତି ଜିଲାସ୍ତରରେ ଜିଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Leave A Reply