ୟେଦୁରାପ୍ପାଙ୍କ ଜୀବନୀ : ସାପ ଶିଢ଼ିର ଖେଳ

0

ବେଙ୍ଗାଲୁରୁ : ତୃତୀୟ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଜେପି ନେତା ବି. ଏସ୍‍. ୟେଦୁରାପ୍ପାଙ୍କ ରାଜନୈତିକ ଜୀବନ ସାପ ଶିଢିର ଖେଳ ଭଳି ଆଗେଇ ଚାଲିଛି। ଲିଙ୍ଗାୟତ ସମ୍ପ୍ରଦାୟର ଏହି ୭୫ ବର୍ଷ ବୟସ୍କ ରାଜନେତା ବିଗତ ପାଞ୍ଚ ଦଶନ୍ଧି ହେବ ରାଜନୀତିରେ ସକ୍ରିୟ ରହି ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପିର ସ୍ଥିତି ମଜବୁତ କରିବାରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ ସେ ବହୁ ଦୁର୍ନୀତି ମାମଲା ଓ ବିବାଦରେ ଛନ୍ଦି ହୋଇପଡିଥିଲେ। ଜଣେ କୀରାଣୀ ତଥା ହାର୍ଡୱେର୍‍ ଷ୍ଟୋର ମାଲିକରୁ ପ୍ରଥମେ ଆର୍‍ଏସ୍‍ଏସ୍‍ କର୍ମୀ ଏବଂ ପରେ ବିଜେପିର ତୁଙ୍ଗ ନେତା ଭାବେ ପ୍ରତିଷ୍ଠାଲାଭ ପର୍ଯ୍ୟନ୍ତ ତାଙ୍କ ରାଜନୈତିକ ଯାତ୍ରା ଅତ୍ୟନ୍ତ ବିବାଦମାନ ରହିଛି। ୧୯୮୩ରେ ସେ ଶିକରପୁର ବିଧାନସଭା ଆସନରୁ ପ୍ରଥମଥର ଲାଗି ନିର୍ବାଚିତ ହୋଇଥିଲେ। କ୍ଷମତା ଆଶାରେ ୨୦୦୬ରେ ୟେଦୁରପ୍ପା ଜେଡିଏସ୍‍ ମୁଖ୍ୟ ଏଚ୍‍.ଡି. ଦେବେଗୌଡାଙ୍କ ପୁତ୍ର ଏଚ୍‍.ଡି. କୁମାରସ୍ୱାମୀଙ୍କ ସହିତ ହାତ ମିଳାଇଥିଲେ। ପାଳିରେ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ନେଇ ମେଣ୍ଟ ବୁଝାମଣା କ୍ରମେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଏବଂ ୟେଦୁରାପ୍ପା ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ମାତ୍ର ୨୦ ମାସ ପରେ ଜେଡିଏସ୍‍ କ୍ଷମତା ବଣ୍ଟନ ପ୍ରତିଶ୍ରୁତିରୁ ଓହରିଯିବାରୁ ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ଏହାପରେ ଯଦିଓ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ ତଥାପି ତାଙ୍କ ସରକାର କେବଳ ୭ ଦିନ ପାଇଁ ତିଷ୍ଠି ରହିଥିଲା।
୨୦୦୮ରେ ବିଜେପି ତାଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଜିତି ପ୍ରଥମ ଥର ଲାଗି ଦକ୍ଷିଣ ଭାରତୀୟ ରାଜ୍ୟରେ ସରକାର ଗଠନ କରିଥିଲା। ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ହେଲେ ୟେଦୁରପ୍ପା। କିନ୍ତୁ ନିଜ ପୁଅକୁ ଜମି ଆବଣ୍ଟନ ପ୍ରସଙ୍ଗରେ କ୍ଷମତାର ଅନୁଚିତ ଉପଯୋଗ ନେଇ ଅଭିଯୋଗ ଆସିବା ପରେ ସେ ବିବାଦୀୟ ହୋଇପଡିଥିଲେ। ଏହି ବିବାଦର ସମାଧାନ ନ ହେଉଣୁ ୨୦୧୧ ଜୁଲାଇ ୩୧ରେ ଖଣି ଦୁର୍ନୀତି ଅଭିଯୋଗରେ ଲୋକାୟୁକ୍ତ ତାଙ୍କ ବିରୋଧରେ ଶୁଣାଣି କରିଥିଲେ; ଯଦ୍ଦ୍ୱାରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ୟେଦୁରାପ୍ପା ବାଧ୍ୟ ହୋଇଥିଲେ। ସେହିବର୍ଷ ଜମି ଦୁର୍ନୀତି ମାମଲାରେ ସେ ଲୋକାୟୁକ୍ତଙ୍କ ନିକଟରେ ଆତ୍ମସମର୍ପଣ କରି ଏକ ସପ୍ତାହ ପଯ୍ୟନ୍ତ କାରାଗାରରେ ରହିଥିଲେ। ବିଜେପି ସହ ମତାନ୍ତର କାରଣରୁ ସେ ‘କର୍ଣ୍ଣାଟକ ଜନତା ପକ୍ଷ(କେଜେପି)’ ନାମକ ଦଳ ଗଠନ କରିଥିଲେ; କିନ୍ତୁ ଏକାକୀ ପଡିଯାଇଥିବାରୁ କର୍ଣ୍ଣାଟକରେ କେଜେପିକୁ ଆଗେଇ ନେବାରେ ସେ ସକ୍ଷମ ହୋଇପାରି ନ ଥିଲେ। ୟେଦୁରପ୍ପାଙ୍କ ରାଜନୈତିକ ଜୀବନ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଅନ୍ୟପଟେ ୨୦୧୪ ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର ଲାଗି ବିଜେପି ଏକ ଭରସାଯୋଗ୍ୟ ନେତା ସନ୍ଧାନରେ ଥିଲା। ଏହି ସମୟରେ କେଜେପି ବିଜେପିରେ ସମ୍ମିଳିତ ହୋଇଥିଲା। ଏହି ନିର୍ବାଚନରେ ବିଜେପି ୨୮ ଲୋକସଭା ଆସନ ମଧ୍ୟରୁ ୧୯ଟିରେ ବିଜୟଲାଭ କରିଥିଲା। ୨୦୧୬ରେ ଦୁର୍ନୀତି ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ୟେଦୁରପ୍ପା ଏବଂ ତାଙ୍କର ଦୁଇ ପୁଅଙ୍କୁ ଦୋଷମୁକ୍ତ କରିଥିଲେ। କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ତାଙ୍କ ବିରୋଧରେ ଥିବା ସମସ୍ତ ୧୫ଟି ମାମଲା ରଦ୍ଦ କରି ଥିଲେ। ଫଳରେ ୨୦୧୮ ବିଧାନସଭା ନିର୍ବାଚନ ଲାଗି ବିଜେପି ତାଙ୍କୁ ପୁନଃ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ସହିତ ‘ଆମ ନେତା ଠିକ୍‍, ନୀତି ଠିକ୍‍’ର ସ୍ଲୋଗାନ ଦେଇଥିଲା।

Leave A Reply